Odiapua.com

ପୁରୀରେ ଜିରୋ ନାଇଟ ସେଲିବ୍ରେସନ ପାଇଁ ପୋଲିସ ପ୍ରଶାସନ ଏବଂ ହୋଟେଲ ଆସୋସିଏସନର ବୈଠକ

ପୁରୀ ୩୦-୧୨ (ଓଡ଼ିଆ ପୁଅ) ପୁରୀରେ ଜିରୋ ନାଇଟ ସେଲିବ୍ରେସନ ଓ ନୂଆବର୍ଷରେ ପର୍ଯ୍ୟଟକ ମାନେ ଯେଭଳି ସୁଖଦ ଅନୁଭୂତି ନେଇ ଫେରିବେ ସେନେଇ ପୁରୀ ପୋଲିସ ପ୍ରଶାସନ ପକ୍ଷରୁ ହୋଟେଲିୟରମାନଙ୍କ ସହ ବୈଠକ। ପୁରୀ ଟାଉନ ଥାନା ଠାରେ ଅତିରିକ୍ତ ଏସପି ମିହିର କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି ଏହି ବୈଠକ। ନୂଆବର୍ଷ ପାଳନ କରିବା ପାଇଁ ପୁରୀ ଆସି ହୋଟେଲରେ ରହୁଥିବା ପର୍ଯ୍ୟଟକଙ୍କ ସମ୍ପୂର୍ଣ୍ଣ ତଥ୍ୟ, ସମସ୍ତ ସିସିଟିଭି କ୍ୟାମେରା କାର୍ଯ୍ୟକାରୀ କରିବା, ସରକାରଙ୍କ ନିୟମ ଅନୁଯାୟୀ ଜିରୋ ନାଇଟ୍ ସେଲିବ୍ରେସନ କରିବା ଉପରେ ଆଲୋଚନା ହୋଇଛି। ପର୍ଯ୍ୟଟକ ଓ ହୋଟେଲିୟରମାନଙ୍କ କୌଣସି ଅସୁବିଧା ହେଲେ ପୋଲିସର ସହାୟତା ନେବା ପାଇଁ ୧୧୨ ନଂ କୁ କିମ୍ବା ୬୩୭୦୯୬୭୧୦୦ ଚବିଶି ଘଣ୍ଟିଆ ହେଲ୍ପଲାଇନ ନମ୍ବରରେ ଫୋନ କରିପାରିବେ ବୋଲି ଅତିରିକ୍ତ ଏସପି କହିଛନ୍ତି। ଗତ ଦୁଇବର୍ଷ ଧରି କୋଭିଡ କଟକଣା ଯୋଗୁ ହୋଟେଲ ମାନଙ୍କରେ ଜିରୋ ନାଇଟ୍ ସେଲିବ୍ରେସନ ବନ୍ଦ ରହିଥିଲା। ତେବେ ଚଳିତବର୍ଷ ଶ୍ରୀକ୍ଷେତ୍ରରେ ଜିରୋ ନାଇଟ୍ ସେଲିବ୍ରେସନ ସହ ନୂଆବର୍ଷକୁ ସ୍ବାଗତ କରିବା ପାଇଁ ଲକ୍ଷ ଲକ୍ଷ ଭକ୍ତ ଓ ପର୍ଯ୍ୟଟକଙ୍କ ସମାଗମ ହୋଇଛି। ତେଣୁ ଭକ୍ତ ଓ ପର୍ଯ୍ୟଟକଙ୍କ ସୁରକ୍ଷା, ସୁବିଧା ଓ ଗମନାଗମନକୁ ଗୁରୁତ୍ବ ଦେବା ପାଇଁ ପ୍ରଶାସନକୁ ଅନୁରୋଧ କରିଛନ୍ତି ହୋଟେଲିୟର। ରାଜ୍ୟ ସରକାରଙ୍କ ସମସ୍ତ ନିୟମ ମାନି ହୋଟେଲ ମାନଙ୍କରେ ଜିରୋ ନାଇଟ୍ ସେଲିବ୍ରେସନ କରାଯିବ ବୋଲି ହୋଟେଲିୟର ମାନେ କହିଛନ୍ତି।