ପୁରୀ ୬-୩ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ବଡଦାଣ୍ଡ ସେବା। ପୁରୀରେ ଆରମ୍ଭ ହୋଇଛି ସାମୁହିକ ସଫେଈ ଅଭିଯାନ ବଡଦାଣ୍ଡ ସେବା। ପ୍ରତ୍ୟେକ ଶନିବାର ସକାଳୁ ସ୍ବେଛାସେବୀଙ୍କ ଦ୍ୱାରା ବଡଦାଣ୍ଡ ତଥା ସହାରକୁ ସଫା କରାଯିବ। ଜିଲ୍ଲା ପ୍ରଶାସନ ତରଫରୁ ଆଜିଠାରୁ ଆରମ୍ଭ ହୋଇଥିବା ଏହି ଅଭିଯାନରେ କ୍ରୀଡାମନ୍ତ୍ରୀଙ୍କ ସହ ବିଧାୟକ, ଜିଲ୍ଲାପାଳ, ଏସପି ତଥା ବିଭିନ୍ନ ସଂଗଠନର ସ୍ବେଛାସେବୀ ମାନେ ସାମିଲ ହୋଇ ବଡଦାଣ୍ଡ ସଫା କରିବା ଦେଖାଯାଇଥିଲା। ଏହି ଅବସରରେ ରଙ୍ଗରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ସହରର ସ୍ୱଚ୍ଛତା ପାଇଁ ଜନ ସଚେତନତାର ବାର୍ତ୍ତା ଦିଆଯାଇଥିଲା। ସେପଟେ ସ୍ୱର୍ଣ୍ନାଭ ବେଳାଭୂମିରେ ବାଲୁକାକଳା ଜରିଆରେ ବଡଦାଣ୍ଡ ସେବାର ଏକ ବାଲୁକାକୃତି ବାଲୁକାଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ନିର୍ମାଣ କରିଛନ୍ତି।
ପୁରୀକୁ ପବିତ୍ର ଓ ସ୍ବଚ୍ଛ ରଖିବା ପାଇଁ ଆରମ୍ଭ ହୋଇଥିବା ଏହି ଅଭିଯାନରେ ପ୍ରାୟ ୩୦ ଟି ସ୍ବେଛାସେବୀ ଅନୁଷ୍ଠାନର ୬୦୦ ରୁ ଉର୍ଦ୍ଧ ସ୍ବେଛାସେବୀ ଭାଗନେଇଥିଲେ। ୩ କିଲୋମିଟର ବଡଦାଣ୍ଡକୁ ୬ ଟି ଜୋନ୍ ରେ ବିଭକ୍ତ କରାଯାଇ ସଫେଈ ଅଭିଯାନ ସହ ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ଜନ ସଚେତନତା କାର୍ଯ୍ୟକ୍ରମ କରାଯାଇଥିଲା। ନୃତ୍ୟ, ସଂଗୀତ, ପଥପ୍ରାନ୍ତ ନାଟକ, ତର୍କ ପ୍ରତିଯୋଗିତା,, ଝୋଟି ପ୍ରଭୃତି କରାଯାଇ କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା। ତେବେ ଆଜି ବଡଦାଣ୍ଡରେ ଦେଖିବାକୁ ମିଳିଥିଲା ପୁରାତନ ଲୋକକଳା ସାଙ୍ଗକୁ ଘୋଡାନାଚ, ଓଡ଼ିଶୀ, ପାଲା ପ୍ରଭୃତି ରଙ୍ଗାରଙ୍ଗ ପୋଗ୍ରାମ। ପୁରାତନ ସଂସ୍କୃତି ଓ ଲୋକକଳାକୁ ଉଦଜୀବିତ କରି ପର୍ଯ୍ୟଟକଙ୍କ ଆଗରେ ପରିବେଷଣ କରାଯାଇଥିଲା। କାର୍ଯ୍ୟକ୍ରମରେ ପ୍ରଶାସନିକ ଅଧିକାରୀ ମାନଙ୍କ ସମେତ ବଡଦାଣ୍ଡର ଉଭୟ ପାର୍ଶ୍ୱରେ ଥିବା ସମସ୍ତ ଉଠାଦୋକାନୀ, ସ୍କୁଲ କଲେଜ ଛାତ୍ରଛାତ୍ରୀ ମାନେ ମଧ୍ୟ ଅଂଶଗ୍ରହଣ କରିଥିଲେ। ତେବେ ଜିଲ୍ଲା ପ୍ରଶାସନ ତରଫରୁ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଭାଗ ନେଇ କିଛିଜଣ ପୁରଷ୍କୃତ ହୋଇ ବେଶ୍ ଖୁସି ଜାହିର୍ କରିଛନ୍ତି। ସେପଟେ ସ୍ୱର୍ଣ୍ନାଭ ବେଳାଭୂମିରେ ବାଲୁକାକଳା ଜରିଆରେ ବଡଦାଣ୍ଡ ସେବା ପ୍ରତିକୃତି ନିର୍ମାଣ କରି ସହରକୁ ପରିଷ୍କାର ଓ ସ୍ୱଚ୍ଛ ରଖିବା ବାର୍ତ୍ତା ଦେଇଛନ୍ତି ବାଲୁକାଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ।
ଆଧ୍ୟାତ୍ମିକ ଓ ପର୍ଯ୍ୟଟନ ସହର ପୁରୀକୁ ସ୍ୱଚ୍ଛ ଓ ନିର୍ମଳ ରଖିବା ପାଇଁ ଏହି କାର୍ଯ୍ୟକ୍ରମ ସବୁସ୍ତରରେ ଆଦୃତ ହେବା ସହ ସହରର ସାମୁହିକ ବିକାଶରେ ସହାୟକ ହେବ ବୋଲି ଆଶା କରାଯାଉଛି।
ଫଟୋ – ରାଧାରମଣ ସ୍ୱାଇଁ