Odiapua.com

ପୁରୀରେ ଆକାଶ ମେଘାଚ୍ଛନ୍ନ ରହିବା ସହିତ ଝିପିଝିପି ବର୍ଷା ଚାଲିଛି

ପୁରୀ, ୧୯/୫ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) – ବାତ୍ୟା ଅମ୍ଫନକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ପ୍ରସ୍ତୁତି କରାଯିବା ସହ ବାତ୍ୟା ଆଶ୍ରୟସ୍ଥଳୀଗୁଡିକୁ ମଧ୍ୟ ପ୍ରସ୍ତୁତ କରି ରଖାଯାଇଛି। ବାତ୍ୟାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ଅତ୍ୟାବଶ୍ୟକ ସାମଗ୍ରୀ ଓ ଶୁଖିଲା ଖାଦ୍ୟ ମଧ୍ୟ ବିଭିନ୍ନ ବ୍ଲକରେ ରଖାଯାଇଛି। ସମସ୍ତ ମଣ୍ଡଳ ଉନ୍ନୟନ ଅଧିକାରୀ ଓ ତହସିଲଦାରମାନଙ୍କୁ ସଂପୃକ୍ତ ବ୍ଲକଗୁଡିକରେ ସଜାଗ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଆଜି ସକାଳୁ ସମୁଦ୍ର ଜୁଆରିଆ ରହିବା ସହ ଲହଡି ସମୁଦ୍ରକୂଳରେ ମାଡ ହେଉଥିବା ଦେଖାଯାଇଥିଲା। ସମୁଦ୍ର ବାଲିରେ ଥିବା ଉଠାଦୋକାନଗୁଡିକୁ ସ୍ଥାନାନ୍ତରିତ କରାଯାଇ ରାସ୍ତାକଡରେ ରଖାଯାଇଛି। ଲକଡାଉନ ଚାଲିଥିବା ଯୋଗୁଁ ହୋଟେଲଗୁଡିକ ବନ୍ଦ ରହିଛି। ଏବଂ ସମସ୍ତ ହୋଟେଲ କେବଳ ମୁକସାକ୍ଷୀଭାବେ ଛିଡା ହୋଇଛି। ସମୁଦ୍ରକୂଳ ରାସ୍ତାମଧ୍ୟ ସଂପୂର୍ଣ୍ଣ ଜନଶୂନ୍ୟ ହୋଇଯାଇଛି। କାଁ ଭାଁ ବାଇକ ଚଳପ୍ରଚଳ ସହ ଲୋକ ଚଳାଚଳ କରୁଥିବା ଦେଖାଯାଇଛି। ସମ୍ଭାବ୍ୟ ବାତ୍ୟାର ମୁକାବିଲା କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ କାର୍ଯ୍ୟ ପ୍ରସ୍ତୁତ ସରିଛି। ଏନଡିଆର ଟିମ୍ ଓ ଓଡ୍ରାଫ ଟିମ୍ ସହ ଦମକଳ ବାହିନୀକୁ ସଜାଗ କରି ରଖାଯାଇଛି।