Odiapua.com

ପୁରସ୍କାର କିମ୍ବା ସମ୍ବର୍ଦ୍ଧନା ସାଧକକୁ ବଡ଼ କରେନା

??????

ଭଦ୍ରକ, ୨୦ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପୁରସ୍କାର କିମ୍ବା ସମ୍ବର୍ଦ୍ଧନା ଜଣେ ସାରସ୍ୱତ ସାଧକକୁ ବଡ଼ କରେନା, ଲେଖକ କେତେ ପଢ଼ିଛି ବା ପଢ଼ିବାର ଆଗ୍ରହ ରଖିଛି ତାହାହିଁ ହେଉଛି ତା’ପାଇଁ ସବୁଠୁ ବଡ଼ କଥା । ସେ ଦୃଷ୍ଟିରୁ ସେ କେତେ ଜ୍ଞାନର ଅଧିକାରୀ ଚିନ୍ତା କରିବାର କଥା । ଜଣେ ବ୍ୟକ୍ତିର ବ୍ୟକ୍ତିତ୍ୱ ଓ ତାର ସାମଗ୍ରିକ ଜୀବନ, ତାର ଶରୀରର ଗଠନ ଓ ରୂପରେଖରୁ ଅନୁଭବ କରାଯାଇପାରେ ନାହିଁ । ଆତ୍ମୀୟ ଭାବେ ସେ କିପରି ଅତି ଗଭୀରତମ ରାଜ୍ୟକୁ ପ୍ରବେଶ କରିଛି ତାହାହିଁ ଜାଣିବା ହେଉଛି ସେହି ବ୍ୟକ୍ତି ସହିତ ପରିଚିତ ହେବାର ଏକମାତ୍ର ମାଧ୍ୟମ ବୋଲି ଭଗବାନ ଚନ୍ଦ୍ର ନାୟକଙ୍କୁ ନାଗରିକ ସମ୍ବର୍ଦ୍ଧନା ଉତ୍ସବରେ ଯୋଗଦେଇ ଅତିଥି ମାନେ ମତ ପ୍ରକାଶ କରିଛନ୍ତି । ଭଦ୍ରକ ପୂଜ୍ୟପୂଜା ସଂସଦ ଆନୁକୂଲ୍ୟରେ ଆୟୋଜିତ ଉତ୍ସବରେ ଅନୁଷ୍ଠାନର ସଭାପତି କରୁଣାକର ବେହୁରିଆ ସଭାପତିତ୍ୱ କରିଥିଲେ । ଉଦ୍‌ଘାଟକ ଭାବେ ‘ଘାସଫୁଲ’ର ସମ୍ପାଦକ ବିଷ୍ଣୁ ଚରଣ ସେଠୀ ଓ ମୁଖ୍ୟଅତିଥି ଭାବେ ‘କାହାଣୀ’ର ସମ୍ପାଦକ ବିଜୟ କୁମାର ନାୟକ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ‘ତ୍ୟାଗଭୂମି’ର ସଭାପତି ଅଜୟ କୁମାର ନାୟକ ଯୋଗଦେଇଥିଲେ । ସମ୍ମାନିତ ବକ୍ତା ଭାବେ ସ୍ତମ୍ଭକାର ବିଶ୍ୱରଞ୍ଜନ ଦାସ ଓ ତିହିଡ଼ି ଲେଖକ ସାମ୍ମୁଖ୍ୟର ସମ୍ପାଦକ ରାମନାରାୟଣ ନାୟକ ଯୋଗଦେଇଥିଲେ । ପୂଜ୍ୟପୂଜା ସଂସଦର ସମ୍ପାଦକ ରୂପକ ବିହାରୀ ରାୟ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ଦେଇଥିବା ବେଳେ ସହସମ୍ପାଦକ ବୈକୁଣ୍ଠ ବିଶ୍ୱାଳ ମଞ୍ଚ ଆମନ୍ତ୍ରଣ କରିଥିଲେ । ପ୍ରାରମ୍ଭିକ ସଂଗୀତ ‘ବନ୍ଦେ ଉତ୍କଳ ଜନନୀ’କବୟିତ୍ରୀ ଜାନକୀ ପାଢ଼ୀ ଓ କବୟିତ୍ରୀ ଦୀପ୍ତିମୟୀ ସାହୁ ଗାନ କରିଥିବା ବେଳେ, ଶିକ୍ଷକ ଶରତ ଚନ୍ଦ୍ର ଜେନା ଧନ୍ୟବାଦ ଦେଇଥିଲେ । ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ସର୍ବଶ୍ରୀ ସୁରେନ୍ଦ୍ର କୁମାର ପଣ୍ଡା, ବସନ୍ତ ନାୟକ, ଗୀରିଶ ବିହାରି ମିଶ୍ର, ବାବୁଲା ରାଉତ, ଭାସ୍କର ନାୟକ, ଶାନ୍ତନୁ ରାଉତ, ସୁଧାକର ରାଉତ, ପ୍ରୀତିଲତା ପଣ୍ଡା, ବିଜୟ କୁମାର ମିଶ୍ର, ହରମୋହନ ଜେନା, ପର୍ଶୁରାମ ସାହୁ, ଅଶୋକ କୁମାର ନାୟକ, ଇଂ.ଅରୁଣ କୁମାର ପାତ୍ର, ରବୀନ୍ଦ୍ର ବେହୁରିଆ, ଦୈତାରୀ ମହାପାତ୍ର ପ୍ରମୁଖ ଶ୍ରୀଯୁକ୍ତ ନାୟକଙ୍କୁ ସମ୍ବର୍ଦ୍ଧିତ କରିଥିଲେ ।