Odiapua.com

ପୁନଃ ନିଯୁକ୍ତି ଦାବିରେ ମହିଳା ସ୍ୱାସ୍ଥ୍ୟକର୍ମୀଙ୍କ ଗଣଧାରଣା

ବାଲେଶ୍ୱର, ୨୫ା୧୧(ଓଡ଼ିଆ ପୁଅ/ଅଭୟ ଦାସ): ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗର କରୋନା ପରିଚାଳନାରେ ସକ୍ରିୟ ସେବା ଯୋଗାଇ ନିକଟ ଅତୀତରେ ଛଟେଇ ହୋଇଥିବା ୩ଶହରୁ ଊର୍ଦ୍ଧ୍ୱ ମହିଳା ସ୍ୱାସ୍ଥ୍ୟକର୍ମୀ ପୁନଃ ନିଯୁକ୍ତି ଦାବିରେ ଆଜି ଜିଲାମୁଖ୍ୟ ଚିକିତ୍ସାଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଛନ୍ତି। ଜିଲାରେ କରୋନା ସଂକ୍ରମଣ କ୍ରମଶଃ ହ୍ରାସ ପାଇବା ଓ ପ୍ରଥମ କୋଭିଡ୍ ହସପିଟାଲ ବନ୍ଦ ହେବା ପରେ ସେମାନଙ୍କୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଛଟେଇ କରାଯାଇଥିବା ଧାରଣାରତ କର୍ମୀମାନେ କହିଛନ୍ତି। ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ହୋଇଥିବା ପ୍ରକ୍ରିୟରେ ଯୋଗ୍ୟତା ଭିତ୍ତିରେ ସେମାନେ ଦୈନିକ ୮୫୦ ଟଙ୍କା ପାରିଶ୍ରମିକରେ ଅସ୍ଥାୟୀ ସ୍ୱାସ୍ଥ୍ୟକର୍ମୀମାନେ ନିଯୁକ୍ତି ପାଇଥିଲେ। ତେବେ ମହାମାରୀ କରୋନା ପରିଚାଳନା ସମୟରେ ଜୀବନକୁ ପାଣିଛଡ଼େଇ ବିଭାଗୀୟ ଅଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ବିବିଧ କାର୍ଯ୍ୟରେ ନିୟୋଜିତ ହୋଇଥିଲେ। ଗାଁ ଗାଁ ବୁଲି ଜନସାଧାରଣଙ୍କ କରୋନା ପରୀକ୍ଷାଠାରୁ ଆରମ୍ଭ କରି ରୋଗୀଙ୍କ ସେବା ପର୍ଯ୍ୟନ୍ତ କାର୍ଯ୍ୟକରି କରୋନା ସଂକ୍ରମଣର ବି ଶିକାର ହୋଇଥିଲେ। ଏମିତିକି ୩ମାସ କାର୍ଯ୍ୟ କରିବା ପରେ ସେମାନଙ୍କୁ ଉପ-ନିର୍ବାଚନରେ ମଧ୍ୟ କାର୍ଯ୍ୟ କରିବାକୁ ପଡ଼ିଥିଲା। ସେତେବେଳେ ଉପରିସ୍ଥ ଅଧିକାରୀମାନେ ତାଙ୍କୁ ଅଶ୍ୱାସନା ଦେଇଥିଲେ କି ସୁଚାରୁରୂପେ କାର୍ଯ୍ୟକର, ଆଗାମୀ ଦିନରେ ତୁମ୍ଭମାନେ ନିୟମିତ କର୍ମଚାରୀର ମାନ୍ୟତା ପାଇପାରିବ। ମାତ୍ର କରୋନା ସଂକ୍ରମଣ ହ୍ରାସ ପାଇବା ଓ ନିର୍ବାଚନ ଶେଷ ହେବା ପରେ ସେମାନଙ୍କୁ ଏବେ କାର୍ଯ୍ୟରୁ ଛଟେଇ କରିଦିଆଯାଇଛି ବୋଲି ସେମାନେ କ୍ଷୋଭର ସହ ପ୍ରକାଶ କରିଛନ୍ତି। ସେମାନଙ୍କର ବକେୟା ଦରମା ବି ଅଦ୍ୟାବଧି ମିଳିନଥିବା କର୍ମୀମାନେ କହିଛନ୍ତି। ମକେୟା ଦରମା ସହ ପୁନଃ ନିଯୁକ୍ତି ଦାବିରେ ଗଣଧାରଣା କରିବାକୁ ସେମାନେ ବଧ୍ୟ ହୋଇଛନ୍ତି ବୋଲି ପ୍ରକାଶ କରିଛନ୍ତି। ଏନେଇ ପ୍ରଶାସନ ତଥା ରାଜ୍ୟ ସରକାର ଉଚିତ ପଦକ୍ଷେପ ଗ୍ରହଣ ନ କରିବା ଯାଏଁ ଏହିଭଳି ଆନ୍ଦୋଳନ ଓ ଗଣଧାରଣା ଜାରି ରହିବ ବୋଲି ମହିଳା ସ୍ୱାସ୍ଥ୍ୟକର୍ମୀମାନେ ଚେତାବନୀ ଦେଇଛନ୍ତି। ଏହି ଅବସରରେ ସେମାନେ ଜିଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ଶୁଭଲକ୍ଷ୍ମୀ ନାୟକ, ସୁଚିସ୍ମିତା ଦାସ, କ୍ଷୀରାବ୍ଦୀ ତନୟା ପଣ୍ଡା, ଜୟନ୍ତୀ ପାଣିଗ୍ରାହୀ, ପ୍ରିୟଙ୍କା ଦେ, ନମିତା ଦାସ ପ୍ରମୁଖ ଏହି ଗଣଧାରଣା ଓ ପ୍ରତିବାଦ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।