Odiapua.com

ପୁନଃନିଯୁକ୍ତି ଦାବିକରି ଏମ୍ ସିଏସ୍ ସଂଯୋଜିକା ମହାସଂଘର ଧାରଣା ଓ ବିକ୍ଷୋଭ

ଭୁବନେଶ୍ୱର, ୧୮.୦୭ (ଓଡ଼ିଆ ପୁଅ) : ସାରା ଓଡ଼ିଶାରେ ବିଭିନ୍ନ ବାଳିକା ବିଦ୍ୟାଳୟରେ ଛାତ୍ରୀ ସଂଖ୍ୟା କମୁଥିବାରୁ ୨୦୦୩ ମସିହାରେ କେନ୍ଦ୍ର ସରକାର ମ୍ୟୁଚୁଆଲ୍ ଗ୍ରାଣ୍ଟ୍ ରେ ଶିକ୍ଷୟିତ୍ରୀମାନଙ୍କୁ ନିଯୁକ୍ତି କରିଥିଲେ। ୨୦୧୩ ମସିହା ପର୍ଯ୍ୟନ୍ତ ଏମାନେ ସଠିକ୍ ଭାବରେ କାମ କରୁଥିଲେ, ଯାହା ଫଳରେ ଛାତ୍ରୀସଂଖ୍ୟା ବୃଦ୍ଧି ପାଇଥିଲା। ହଠାତ୍ ୨୦୧୩ ମସିହାରେ ଇ.ଜି.ଏସ୍ ., ନନ୍ -ଫର୍ମାଲ ଭଳି ଏମ୍ .ସି.ଏସ୍ . ସ୍କିମ୍ କୁ ବନ୍ଦ କରି ୬୦୦୦ ଶିକ୍ଷୟିତ୍ରୀଙ୍କୁ ଛଟେଇ କରିଦିଆଯାଇଛି। ତେଣୁ ଉକ୍ତ ଛଟେଇକୁ ପ୍ରତିବାଦ କରି ଏବଂ ଏମାନଙ୍କୁ ଅନ୍ୟ ଜାଗାରେ ଥଇଥାନ ପାଇଁ ଦାବିକରି ହଜାର ହଜାର ଶିକ୍ଷୟିତ୍ରୀ ବିଧାନସଭା ଆଗରେ ଧାରଣା ଦେଇଛନ୍ତି। ଉକ୍ତ ଧାରଣା ସଭାରେ ମହାସଂଘର ସଭାପତି ରାଧାରମଣ ଷଡ଼ଙ୍ଗୀ, ସମ୍ପାଦିକା ସରସ୍ୱତୀ ବାରିକ, ବାସନ୍ତୀ ପ୍ରଧାନ, ପ୍ରଭାତ ପାଣିଗ୍ରାହୀ, ବିଷ୍ଣୁପ୍ରିୟା ଧାରୁଆ, ଜାନକୀ ଛତ୍ରିଆ, ସଙ୍ଗୀତା ସର୍ଦ୍ଦାର, ସୂର୍ଯ୍ୟମଣି ଗିରି, ସୁସୁମଣି ମହନ୍ତ, ସୁଜାତା ମହନ୍ତ, ରଶ୍ମିମଣି ମହନ୍ତ, ନିରୂପମା ପ୍ରଧାନ, କାମିନୀ ସିଂ, ସଞ୍ଜୁଲତା ବଳିଆର ସିଂ ପ୍ରମୁଖ ବକ୍ତବ୍ୟ ରଖିବା ସହ ନେତୃତ୍ୱ ନେଇଥିଲେ।

ଶେଷରେ ବିଭାଗୀୟ ମନ୍ତ୍ରୀଙ୍କୁ ଦାବିପତ୍ର ଦେଇ ଆଲୋଚନା କରାଯାଇଥିଲା। ଧାରଣା ପୂର୍ବରୁ ସହସ୍ରାଧିକ ଏମ୍ ସିଏସ୍ ସଂଯୋଜିକାମାନେ ଏକ ଶୋଭାଯତ୍ରାରେ ମାଷ୍ଟରକ୍ୟାଣ୍ଟିନ୍ ଛକରୁ ବିଧାନସଭା ପର୍ଯ୍ୟନ୍ତ ଆସିଥିଲେ।