Odiapua.com

ପୁଣି ବିଜେପି ଶିବିରକୁ ଆସିବେ ପି.କେ!

ଭୁବନେଶ୍ୱର(ଓଡ଼ିଆ ପୁଅ):ରାଜନୀତିରେ ଚାଣକ୍ୟ କୁହାଯାଉଥିବା ନିର୍ବାଚନୀ ରଣନୀତିକାର ପ୍ରଶାନ୍ତ କିଶୋର(ପି.କେ) ପୁଣି ଥରେ ବିଜେପି ଶିବିରରେ ନିର୍ବାଚନ ପରିଚାଳନା ପାଇଁ ଦାୟିତ୍ୱ ନେଇପାରନ୍ତି।୨୦୧୯ ଲୋକସଭା ନିର୍ବାଚନରେ ବିଜେପି ପାଇଁ ପ୍ରଚାର କୌଶଳରେ ସହଯୋଗ କରିବାକୁ ପ୍ରଶାନ୍ତ କିଶୋର ସମ୍ମତି ପ୍ରକାଶ କରିଥିବା କୁହାଯାଉଛି।ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ,ନରେନ୍ଦ୍ର ମୋଦି ଓ ପ୍ରଶାନ୍ତ କିଶୋରଙ୍କ ମଧ୍ୟରେ ସାକ୍ଷାତ ଆଲୋଚନା ହୋଇ ସାରିବାଥିବା ବେଳେ ଏଇ ନିକଟରେ ପୁଣି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହାଙ୍କ ସହ ପ୍ରଶାନ୍ତ କିଶୋରଙ୍କର ଏକାଧିକ ବାର ବିଭିର୍ଣ୍ଣ ପର୍ଯ୍ୟାୟରେ ବୈଠକ ହୋଇସାରିଛି।ତେବେ ବିଜେପି କିମ୍ବା ପ୍ରଶାନ୍ତ କିଶୋରଙ୍କ ଶିବିରରୁ ଏନେଇ କିଛି କୁହାଯାଇନାହିଁ।
ଏହା ପୂର୍ବରୁ ପ୍ରଶାନ୍ତ କିଶୋର ୨୦୧୯ ନିର୍ବାଚନ ପରିପ୍ରେକ୍ଷୀରେ ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ସହିତ ସାକ୍ଷାତ ଆଲୋଚନା କରି ସାରିଛନ୍ତି।ମଝିରେ ବିଜେଡି ମଧ୍ୟ ୨୦୧୯ ନିର୍ବାଚନ ପାଇଁ ପ୍ରଶାନ୍ତ କିଶୋରଙ୍କ ସାହାଯ୍ୟ ନେଇପାରେ ବୋଲି ଆଲୋଚନା ହେଉଥିଲା।ସୂଚନାଯୋଗ୍ୟ ୨୦୧୨ ଗୁଜୁରାଟ ବିଧାନସଭା ନିର୍ବାଚନ ଏବଂ ୨୦୧୪ ଲୋକସଭା ନିର୍ବାଚନରେ ପ୍ରଶାନ୍ତ ବିଜେପିର ରଣନୀତିକାର ଥିଲେ।ତେବେ ୨୦୧୪ ପରେ ଅମିତ ଶାହାଙ୍କ ମନମୁଖୀ କାର୍ଯ୍ୟକଳାପରେ ଅସନ୍ତୁଷ୍ଟ ହୋଇ ପ୍ରଶାନ୍ତ କିଶୋର ବିଜେପି ଶିବିରରୁ ବାହାରି ଆସି ନୀତିଶ କୁମାରଙ୍କୁ ସହଯୋଗ କରିଥିଲେ।ପରେ ଉତ୍ତରପ୍ରଦେଶ ଏବଂ ପଞ୍ଜାବ ଆଦି ନିର୍ବାଚନରେ କଂଗ୍ରେସ ପାଇଁ କାମ କରିଥିଲେ।