Odiapua.com

ପୁଣି ବାଲିଚୋରି ଋତୁ ଆସିଗଲା, ବୈତରଣୀରୁ ଚାଲିଛି ବାଲି ଚୋରି, ଚୁପ୍ ବସିଛି ପ୍ରଶାସନ, ଲକ୍ଷ ଲକ୍ଷ ଟଙ୍କା ରାଜସ୍ୱ ହାନି

ଭଦ୍ରକ, ୨୮ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବୈତରଣୀ ନଦୀ ପଠାରୁ ବେଆଇନ୍ ଭାବେ ବାଲି ଚୋରି ଆରମ୍ଭ ହେଲାଣି । ଧାମନଗର ତହସିଲ ଅଧୀନ ଆନନ୍ଦପୁର ପଂଚାୟତ ଉତ୍ତେଇପୁର ମୌଜାରେ ମଲ୍ଲିମାହାରା ଘାଟ ପାଖରୁ ବେଆଇନ୍ ଭାବେ ବାଲି ଉଠା ଆରମ୍ଭ ହୋଇଗଲାଣି । ପ୍ରତିଦିନ ୫୦ ରୁ ୬୦ ଟ୍ରିପ୍ ଟ୍ରାକ୍ଟର ଓ ମିନିଟ୍‌କୁ ଏଠାରୁ ବାଲି ଚୋରି କରିନେଉଛନ୍ତି । ସ୍ଥାନୀୟ ବାଲି ମାଫିଆ ବାଲି ଉଠାଇ ବିକ୍ରି କରୁଥିବା ଅଭିଯୋଗ ହୋଇଛି । ଉତ୍ତେଇପୁରର ଏହି ବାଲିଘାଟଟି ୨୦୧୭ ମସିହାରେ ନିଲାମ ଡକାଯାଇଥିଲା । ୨୦୧୮ ଜାନୁଆରୀରେ ନିଲାମ ହୋଇଥିଲା । ସେବେଠାରୁ ଏହି ଘାଟରୁ ବାଲି ଉଠାଉଛନ୍ତି । ଏହି ଘାଟକୁ ଅତି ଚଞ୍ଚକତାର ସହ ତତ୍‌କାଳୀନ ତହସିଲଦାର ଓ ଅତିରିକ୍ତ ତହସିଲଦାର ନିଲାମ କରିଥିଲେ । ୨୦୧୯ ଡିସେମ୍ବରରେ ୫ ବର୍ଷିୟା ଚୁକ୍ତି କରିଥିଲେ । ଚୁକ୍ତି ଅନୁସାରେ ବାଲିଘାଟର ଅବଧି ୫ ବର୍ଷ ରହିବ । ଏଣୁ ନିଲାମ ଶରତ ମାଝୀଙ୍କ ନାମରେ ନିଲାମ ଥିବା ଏହି ଉତ୍ତେଇପୁର-୨ ବାଲିଘାଟର ଅବଧି ୨୦୨୪ ଡିସେମ୍ବର ୨୦ ରେ ଶେଷ ହେଉଛି । ପ୍ରକୃତ ପକ୍ଷେ ବାଲିଘାଟର ନିଲାମ ୨୦୧୭ ରେ ହୋଇଥିବାରୁ ସେହି ଅନୁସାରେ ଶରତଙ୍କ ପକ୍ଷରୁ ମାଇନିଂ ପ୍ଲାନ, ପରିବେଶ ଅନୁମତି ଓ ବାଲିଘାଟ ଚଳାଇବା ପାଇଁ ଓଡ଼ିଶା ରାଜ୍ୟ ପ୍ରଦୂଷଣ ନିୟାମକ ବୋର୍ଡ ସ୍ୱୀକୃତି ପତ୍ର ବା କନସେଣ୍ଟ ଟୁ ଅପରେଟ୍ (ସିଟିଓ) ୨୦୨୨ ଯାଏ ଦାଖଲ କରାଯାଇଥିଲା । ସେହି ଅନୁସାରେ ଉତ୍ତେଇପୁର-୨ ବାଲିଘାଟରୁ ବାଲି ଉତ୍ତୋଳନ ପାଇଁ ଶରତଙ୍କୁ ୨୦୨୨ ମାର୍ଚ୍ଚ ୩୧ ତାରିଖ ଯାଏ ସିଟିଓ ମିଳିଥିଲା । ସିଟିଓର ଅବଧି ସରିବା ପରେ ବାଲିଘାଟରୁ ବାଲି ଉତ୍ତୋଳନ ବନ୍ଦ କରାଯିବା କଥା ।

ହେଲେ ବାଲି ଉତ୍ତୋଳନ ବନ୍ଦ ହେଉନାହିଁ । ସେହିପରି ସିଟିଓ ପାଇବାର ନିୟମ ଅନୁସାରେ ଯଦି ବାଲିଘାଟର ନିଲାମ ଅବଧି ଥିବ ଓ ସିଟିଓର ଅବଧି ଶେଷ ହୋଇଥିବ, ସେ କ୍ଷେତ୍ରରେ ନୂଆ ସିଟିଓ ପାଇଁ ଆବେଦନ କରାଯିବ । ଏଥିଲାଗି ସିଟିଓର ଅବଧି ଶେଷ ହେବାର ୯୦ଦିନ ପୂର୍ବରୁ ନୂଆ ସିଟିଓ ପାଇଁ ଆବେଦନ କରାଯିବ । ହେଲେ ନିଲାମ ଧାରୀ ନୂଆ ସିଟିଓ ପାଇଁ ଆବେଦନ କରିନାହାଁନ୍ତି କି ସିଟିିଓ ପାଇନାହାଁନ୍ତି । ସିଟିଓ ନଥିବାରୁ ବାଲି ଉତ୍ତୋଳନ ବେଆଇନ୍ ଓ ଏହାକୁ ଲଘୁ ଖଣିଜ ସଂପଦ ଚୋରି ବୋଲି ବିବେଚନା କରାଯିବ । ତହସିଲଦାର କୌଣସି ପଦକ୍ଷେପ ନେଉନାହାଁନ୍ତି । ଅନ୍ୟପକ୍ଷରେ ଲଘୁ ଖଣିଜ ପଦାର୍ଥ ନିଲାମ ଓ ସୈରାତ ଉତ୍ସ ପରିଚାଳନା ଦାୟିତ୍ୱ ରାଜସ୍ୱ ବିଭାଗରୁ କାଢି ନିଆଯାଇ ଖଣି ବିଭାଗକୁ ରାଜ୍ୟ ସରକାର ପ୍ରଦାନ କରିଛନ୍ତି । ଏହି ଆଳରେ ଧାମନଗର ତହସିଲଦାର କୌଣସି ପଦକ୍ଷେପ ନେଉନାହାଁନ୍ତି । ଏ ସଂପର୍କରେ ପଚାରିଲେ ତହସିଲଦାର ଦୀପକ ଦାସ କହୁଛନ୍ତି ଆମ ହାତରେ ବାଲିଘାଟ ଆଉ ନାହିଁ । ସେପଟେ ବାଲି ଚୋରି ରୋକିବା ପାଇର୍ ଥିବା ଏମଏମଡିଆର ଆଇନ୍ ଅନୁସାରେ ତହସିଲଦାର, ରେଭିନ୍ୟୁ ସୁପରଭାଇଜର, ପୋଲିସ୍ ସବଇନ୍ସିପେକ୍ଟର ବାଲି ଚୋରି ରୋକିବାର ନିୟମ ରହିଛି । ହେଲେ ଏହି ସୁଯୋଗରେ ପୁଣି ଚୋରା ବାଲି ଚାଲାଣ ଆରମ୍ଭ ହୋଇଯାଇଛି । ଏ ଦିଗରେ ଭଦ୍ରକ ଜିଲାପାଳ ଦୃଷ୍ଟି ଦେବାକୁ ସ୍ଥାନୀୟ ଅଂଚଳବାସୀ ଦାବି କରିଛନ୍ତି ।