Odiapua.com

ପୁଣି ଫିଟିଲା ଜାଲ ଶିକ୍ଷକଙ୍କ ଗୁମର, ଚାକିରୀକୁ ୧୪ ବର୍ଷ ଫେଲ ପ୍ରମାଣ ପତ୍ରରେ!

ଭଦ୍ରକ, ୫ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଚାକିରୀକୁ ୧୪ ବର୍ଷ ପୁରିବାକୁ ବସିଲାଣି ଫେଲ ପ୍ରମାଣ ପତ୍ର ଦେଇ। କଥାଟି କାନକୁ ଠିକ୍ ଶୁଭୁ ନଥିଲେ ମଧ୍ୟ ଏହିପରି ଏକ ଘଟଣା ଘଟିଛି ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ଶିକ୍ଷାବିଭାଗ ଅର୍ନ୍ତଗତ ନିରାକାର ଉଚ୍ଚ ବିଦ୍ୟାଳୟ, ବିଣାପଦା ଠାରେ। ରାଜ୍ୟ ସରକାର ବିଭିନ୍ନ ପ୍ରକାର ଯୋଜନା ମାଧ୍ୟମରେ ରାଜ୍ୟ ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ କରିବା ପାଇଁ ଚେଷ୍ଟିତ ହେଉଥିବା ବେଳେ ଜାଲ ପ୍ରମାଣ ପତ୍ର ଦେଇ ଶିକ୍ଷକତା କରୁଥିବା ଶିକ୍ଷକ ସରକାରଙ୍କ ଯୋଜନାକୁ କେତେ ସଫଳ କରିବେ ଏହା ପ୍ରଶ୍ନବାଚୀ ସୃଷ୍ଟି କରିଛି। କିଛି ଦିନ ତଳେ ରାଜ୍ୟ ସାରା ଚର୍ଚ୍ଚା ଜୋର ଧରିଥିଲା “କେତେ ଶିକ୍ଷକ ଜାଲ ପ୍ରମାଣ ପତ୍ର ଦେଇ ଶିକ୍ଷକତା କରୁଛନ୍ତି” ଏବଂ ଏହି ପରିପ୍ରେକ୍ଷିରେ ସରକାର ପ୍ରମାଣପତ୍ରର କଡ଼ାକଡ଼ି ଯାଂଚ ମଧ୍ୟ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଯାଂଚ ପ୍ରକ୍ରିୟା ସରିବାକୁ ଇତି ମଧ୍ୟରେ ବହୁଦିନ ବିତି ଯାଇଥିଲେ ସୁଦ୍ଧା ଭଦ୍ରକ ଜିଲ୍ଳାରେ କେତେ ଶିକ୍ଷକ ଜାଲ ପ୍ରମାଣପତ୍ର ଧାରୀ ତାହା ବିଭାଗର ନାଲି ଫିତା ତଳେ ବନ୍ଧା ହୋଇ ରହି ଯାଇଥିବା ଜଣାପଡ଼ିଛି। ଏଥିରୁ ଯାଂଚ ପ୍ରକ୍ରିୟା ଏକ ପ୍ରହସନ ବୋଲି ବିବେଚନା କରାଯାଉଛି। ସୂଚନା ଅଧିକାର କର୍ମୀ ବିକାଶ ଧଳ ବ୍ଲକ ଶିକ୍ଷାଧିକାରୀ ବାସୁଦେବପୁରଙ୍କ ଠାରେ କରିଥିବା ଅଭିଯୋଗ ଅନୁଯାୟୀ ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ବାସିନ୍ଦା ହୋଇଥିବା ଜନୈକ ସହକାରୀ ଶିକ୍ଷକ ବାସୁଦେବପୁର ବ୍ଲକ ଶିକ୍ଷାଧିକାରୀଙ୍କ ଅଧିନସ୍ଥ ନିରାକାର ଉଚ୍ଚ ବିଦ୍ୟାଳୟ, ବିଣାପଦାରେ ଜାଲ ପ୍ରମାଣ ପତ୍ର ଦେଇ ଶିକ୍ଷକତା କରୁଥିବାର ଜଣାପଡ଼ିଛି।

ସେ ୨୦୦୮ ମସିହାରେ ତାଙ୍କର ଶିକ୍ଷାଗତ ଯୋଗ୍ୟତାର ପ୍ରମାଣ ପତ୍ର ଦେଇ ଏହି ପଦବୀରେ ନିଯୁକ୍ତି ପାଇଥିଲେ। ତାଙ୍କ ଶିକ୍ଷାଗତ ଯୋଗ୍ୟତା +୩ କଳା, ବିଇଡ଼ି କିନ୍ତୁ ଅଭିଯୋଗ ଅନୁଯାୟୀ ସେ ଦେଇଥିବା ବିଇଡ଼ି ପ୍ରମାଣ ପତ୍ରଟି ଭୂଲ ବୋଲି ସୂଚନା ମିଳିଛି। ସେହି ପ୍ରମାଣ ପତ୍ରରେ ସେ ପାସ ହୋଇଥିବା ଉଲ୍ଲେଖ ଥିବା ବେଳେ ସେ ଫେଲ ବୋଲି ଅଭିଯୋଗ କରିଛନ୍ତି ସୂଚନା କର୍ମୀ। ଏହି ସୂଚନାକୁ ନେଇ ସେ ଗୋଷ୍ଠୀ ଶିକ୍ଷାଧିକାରୀ, ଜିଲ୍ଲା ଶିକ୍ଷାଧିକାରୀ, ଜିଲ୍ଲା ପ୍ରକଳ୍ପ ସଂଯୋଜକ ଓ ଜିଲ୍ଳାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିବା ଜଣାପଡ଼ିଛି। ବିଭିନ୍ନ ସୂତ୍ରରୁ ବନ୍ତ ବ୍ଲକର ବହୁ ବାସିନ୍ଦା ଜାଲ ଶିକ୍ଷାଗତ, ଜାତିଗତ ଓ ବାସସ୍ଥାନର ପ୍ରମାଣପତ୍ର ଦେଇ ଜିଲ୍ଲାର ବିଭିନ୍ନ ବ୍ଲକରେ ଚାକିରୀ କରିଆସୁଛନ୍ତି ଯେପରି ବନ୍ତ ବ୍ଲକର ଆପ୍ତିରା ୟୁଜିଏମଇ ସ୍କୁଲରେ ଜାଲ ସିଟି ପ୍ରମାଣପତ୍ର ଦେଇ ଜନୈକ ଶିକ୍ଷକ ୧୪ ବର୍ଷ ଧରି ଶିକ୍ଷକତା କରିଆସୁଥିବା ବେଳେ ସୂଚନା କର୍ମୀ ବିକାଶ ଧଳଙ୍କ ଅଭିଯୋଗ ପରେ ଚାକିରୀରୁ ବହିଷ୍କୃତ ହୋଇଛନ୍ତି ଏବଂ ଆହୁରି ମଧ୍ୟ ଅଭିଯୋଗର କାର୍ଯ୍ୟାନୁଷ୍ଠାନ ବାକିଅଛି। ତେଣୁ ନିରାକାର ଉଚ୍ଚ ବିଦ୍ୟାଳୟ, ବିଣାପଦା ଠାରେ ଜାଲ ପ୍ରମାଣପତ୍ରରେ ଚାକିରୀ କରିଆସୁଥିବା ଶିକ୍ଷକଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସୂଚନା କର୍ମୀ ଦାବି କରିଛନ୍ତି। ଏଠାରେ ପ୍ରଶ୍ନ ଉଠେଯେ ଶିକ୍ଷା ବିଭାଗ ସବୁ ସମୟରେ ପ୍ରମାଣ ପତ୍ରର ଯାଂଚ କରୁଥିବା ବେଳେ କିପରି ଜଣେ ଶିକ୍ଷକ ୧୪ ବର୍ଷ କାଳ ଶିକ୍ଷକତା କରିଆସୁଛନ୍ତି ? ତେଣୁ ଏଥିରେ କେଉଁମାନେ ସଂପୃକ୍ତ ତାହା ଖୋଜିବାହାର କରିବା ସହ ତାଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବାକୁ ବୁଦ୍ଧିଜୀବୀ ମହଲରେ ଦାବି ହେଉଛି।