ଭଦ୍ରକ, ୫ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପୁଣି ଡରାଇଲାଣି କରୋନା ସଂକ୍ରମଣ । ସମ୍ଭାବ୍ୟ ଲକ୍ଡାଉନକୁ ନେଇ ସହରବାସୀ ଆତଙ୍କିତ । ପ୍ରଶାସନ ମଧ୍ୟ ଚିନ୍ତାରେ । ଆଜି ଗଣମାଧ୍ୟମକୁ ଶାସକ ଦଳର ବରିଷ୍ଠ ସଦସ୍ୟ ଦିନ କର୍ଫ୍ୟୁ ସମ୍ପର୍କରେ ବିବୃତ୍ତି ରଖିବା ପରେ ଏପରି ଆଶଙ୍କା ବଢ଼ି ଯାଇଛି । ତଥାପି ସରକାରଙ୍କ କୋଭିଡ କଟକଣାକୁ ମାନୁ ନାହାନ୍ତି ସହରବାସୀ । ଇତିମଧ୍ୟରେ ପ୍ରଶାସନ କୋଭିଡ ସଂକ୍ରମଣକୁ ଦୃଷ୍ଟିରେ ରଖି କୋଭିଡ କଟକଣାକୁ କଡାକଡି ପାଳନ କରିବାକୁ କଠୋର ଆଭିମୁଖ୍ୟ ଗ୍ରହଣ କରିଛି । ଗୋଟେ ପଟେ ଟୀକାକରଣ କାର୍ଯ୍ୟକ୍ରମକୁ ପ୍ରଶାସନ ପକ୍ଷରୁ ତ୍ୱରାନ୍ୱିତ କରାଯାଇଥିବାବେଳେ, ବିଭିନ୍ନ ବ୍ଲକ ପ୍ରଶାସନ ଓ ପୌର ପ୍ରଶାସନ ସହ ଘନଘନ ବୈଠକ କରି ଏଦିଗରେ ଅମାନିଆଙ୍କୁ ସାବାଡ଼ କରିବାକୁ ଯୋଜନା ପ୍ରସ୍ତୁତ କରୁଛି । ଜିଲ୍ଲାପାଳ ଡ. ଜ୍ଞାନ ଦାସ ଟ୍ୟୁଟ୍ କରି କେତେକ କୋଭିଡ କଟକଣାକୁ ଅଧିକ କଠୋର କରାଯାଇଥିବାର ନିର୍ଦ୍ଦେଶାନାମା ଜାରୀ କରିଛନ୍ତି । ଜିଲାପାଳ ଜାରୀ କରିଥିବା ନିର୍ଦ୍ଦେଶାନାମା ଅନୁଯାୟୀ ସମସ୍ତ ଧାର୍ମିକ ଉତ୍ସବରେ ଜନସମାଗମ ଉପରେ କଟକଣା ଜାରୀ କରାଯାଇଛି । ଚଳିତ ଏପ୍ରମିଲ ମାସ ରାମ ନବମୀ, ହନୁମାନ ଜୟନ୍ତୀ, ମହା ବିଷୁଭ ସଂକ୍ରାନ୍ତି, ଝାମୁଯାତ୍ରା, ପବିତ୍ର ରମଜାନ, ଛୋଟେ ସରକାର ବାବାଙ୍କ ବାର୍ଷିକ ଉସବବ ପଡ଼ୁଥିବାରୁ ଏସମସ୍ତ କାର୍ଯ୍ୟକ୍ରମ ସମ୍ପୂର୍ଣ୍ଣ କୋଭିଡ ଗାଇଡଲାଇନ ଓ ବିନା ଶ୍ରଦ୍ଧାଳୁଙ୍କ ସମାଗମରେ କରାଯିବାକୁ ନିର୍ଦ୍ଦେଶ ଜାରୀ ହୋଇଛି । ସେହିପରି ବିଭିନ୍ନ ମଠ, ମନ୍ଦିର, ମସଜିଦ, ଖାନକା, ଚର୍ଚ୍ଚ ପରିସରରେ ପାରମ୍ପରିକ ପୂଜାର୍ଚ୍ଚନା ସିମୀତ ଶ୍ରଦ୍ଧାଳୁଙ୍କୁ ନେଇ ଅନୁଷ୍ଠିତ ହେବ । ଅନୁରୂପ ଦଣ୍ଡ ଯାତ୍ରାରେ ସର୍ବାଧିକ ୨୫ଜଣ ଯୋଗଦେବାକୁ କୁହାଯାଇଛି ।
ସେହିପରି ବିବାହ ଉତ୍ସବରେ ଶହେ, ମୃତ୍ୟୁକାଳୀନ କାର୍ଯ୍ୟକ୍ରମରେ ସର୍ବାଧିକ ୫୦ ଜଣ ଭାଗନେବାକୁ ତାହା ପୁଣି ସ୍ଥାନୀୟ ଥାନାଧିକାରୀଙ୍କ ଅନୁମତିରେ କରାଯିବାକୁ ନିର୍ଦ୍ଦେଶ ଦିଆଯାଇଛି । କୌଣସି ପ୍ରକାର ସମ୍ମିଳନୀ, ଶିକ୍ଷାନୁଷ୍ଠାନର ରୌପ୍ୟ, ସୁବର୍ଣ୍ଣ, ହରକ ଜୟନ୍ତୀ ପରି କାର୍ଯ୍ୟକ୍ରମକୁ ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବେ ବନ୍ଦ କରାଯାଇଛି । ତେବେ କୌଣସି ଜରୁରୀକାଳୀନ କାର୍ଯ୍ୟକ୍ରମ ଉପଜିଲାପାଳଙ୍କ ଅନୁମତି କ୍ରମେ କରାଯାଇ ପାରିବ ବୋଲି କୁହାଯାଇଛି । ତେବେ ଜିଲାପାଳଙ୍କ ଅଧ୍ୟକ୍ଷତାରେ ଗତକାଲି ଏକ ଜରୁରୀ ବୈଠକ ଅନୁଷ୍ଠିତ ହେବା ପରେ ପୌର ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି । ରବିବାର ଛୁଟିଦିନ ଥାଇ ମଧ୍ୟ ପୌର ନିର୍ବାହୀ ଅଧିକାରୀ ବିଚିତ୍ରାନନ୍ଦ ନାୟକ ବିଭିନ୍ନ ଜନଗହଳୀପୂର୍ଣ୍ଣ ମାର୍କେଟରେ ନିଜର ଏନଫୋର୍ସମେଣ୍ଟ ଟିମ ସହିତ ପହଞ୍ଚିଛନ୍ତି । ମାଛ ମାର୍କେଟ, ପରିବା ମାର୍କେଟ, ଏକତା ମାର୍କେଟ, ବଡ଼ ବ୍ୟବସାୟିକ ପ୍ରତିଷ୍ଠାନ, ସପିଂ ମଲରେ ପହଞ୍ଚି ବ୍ୟବସାୟୀ ଓ ଲୋକମାନଙ୍କୁ କୋଭିଡ କଟକଣା ବିଶେଷ କରି ମାସ୍କ ପରିଧାନ ଓ ସେନିଟାଇଜର ବ୍ୟବହାର ଦିଗ ଉପରେ ସତର୍କ କରାଇଛନ୍ତି । ଅପରପକ୍ଷେ କୋଭିଡ କଟକଣାକୁ କଡାକଡି ପାଳନ ପାଇଁ ପ୍ର।।ସନ ପକ୍ଷରୁ ଗଠିତ ଏନଫୋର୍ସମେଣ୍ଟ ଟିମ ଓ ପୁଲିସକୁ ଯଥେଷ୍ଟ କ୍ଷମତା ପ୍ରଦାନ କରାଯାଇଛି । ଏପରିପ୍ରେକ୍ଷୀରେ ଜିଲାରେ କୋଭିଡ ଟୀକାକରଣ କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରାଯାଇଛି ।
ଗତକାଲି ସୁଦ୍ଧା ୭୪ ହଜାର ୮୦୩ ବରିଷ୍ଠ ନାଗରିକଙ୍କ ସମେତ ୧ଲକ୍ଷ ୧୧ହଜାର ୪୨୫ଜଣ କୋଭିସିଲ୍ଡର ପ୍ରତମ ଡୋଜ ନେଇ ସାରିଥିବା ସୂଚନା ଦିଆଯାଇଛି । ଗତମାସର ପ୍ରତମାର୍ଦ୍ଧ ଜିଲା କରୋନା ଶୂନ୍ୟ ରହିବା ପରେ, ଏହା ପର ଠାରୁ ଆକ୍ରାନ୍ତଙ୍କ ସଂଖ୍ୟାରେ ବୃଦ୍ଧି ଘଟିଛି । ଆଜି ପୁଣି ୬ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏସବୁ ସତ୍ତ୍ୱେ ସହରବାସୀଙ୍କ ମଧ୍ୟର ସଚେତନତା ପରିଲକ୍ଷିତ ହେଉ ନାହିଁ । ଅଧିକାଂଶ ମାସ୍କ ପରିଧାନ କରୁ ନାହାନ୍ତି କିମ୍ବା ସାମଜିକ ଦୂରତ୍ୱ ବଜାୟ ରଖୁ ନାହାନ୍ତି । ତେଣୁ ପରିସ୍ଥିତି ଗତବର୍ଷ ପରି ନିୟନ୍ତ୍ରଣ ବାହାରକୁ ଯିବା ପୂର୍ବରୁ କେବଳ ସହର ନୁହେଁ, ସମଗ୍ର ଜିଲାବାସୀ ସଚେତନ ବେହାର ଆବଶ୍ୟକତା ଦେଖା ଦେଇଛି ।