Odiapua.com

ପୁଅ ଝିଅ ଭିତରେ ପାନ୍ତର ଅନ୍ତର କରିବା ନାହିଁ, ଜିଲ୍ଲା ସ୍ତରୀୟ ଆନ୍ତର୍ଜାତିକ ଶିଶୁ କନ୍ୟା ଦିବସ ପାଳନ

ଭଦ୍ରକ, ୯ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ନାରୀ ଓ ପୁରୁଷ ସମାଜର ପରସ୍ପର ପରିପୂରକ ହେଲେ ବି ନାରୀ ଠାରୁ ହିଁ ଆମ ସମସ୍ତଙ୍କର ସୃଷ୍ଟି। ନାରୀ ହିଁ ସକଳ ଶକ୍ତିର ଆଧାର। ପୁରୁଷ ଶାରୀରିକ ଭାବେ ନାରୀଠାରୁ ଅଧିକ ଶକ୍ତିଶାଳୀ ହେଲେ ବି ନାରୀ ପୁରୁଷ ଠାରୁ ସଦା ସର୍ବଦା ଅଧିକ କାର୍ଯ୍ୟକ୍ଷମ। ପୁରୁଷମାନେ ଶୈଶବରେ ମା’ ଉପରେ, ଯୌବନରେ ସ୍ତ୍ରୀ ଉପରେ, ବାର୍ଦ୍ଧକ୍ୟରେ ପୁତ୍ରବଧୁ, କନ୍ୟା ଉପରେ ଏହିପରି ସାରାଜୀବନ ମହିଳା ଉପରେ ନିର୍ଭରଶୀଳ। ତଥାପି ଶିଶୁ କନ୍ୟାର ସୁରକ୍ଷା ଆଜି ଚିନ୍ତାଜନକ। ଶିଶୁ କନ୍ୟାଟିଏ ଜନ୍ମନେଲେ ପରିବାର ର ସମସ୍ତେ ମନ ଦୁଃଖ କରୁଛନ୍ତି। କିନ୍ତୁ ଆଜିର ଦିନରେ ଝିଅଟିଏ ସବୁ କ୍ଷେତ୍ରରେ ପୁଅଠାରୁ ଆଗୁଆ ପ୍ରମାଣିତ କରିପାରିଛି। ଏହି ପରିପ୍ରେକ୍ଷୀରେ ଝିଅ ପୁଅ ମଧ୍ୟରେ ଆମେ ପାତର ଅନ୍ତର ରଖିବା ନାହିଁ। ଆମେ ସମସ୍ତେ ଆଜିର ସମାଜରେ ଯାହା ଦେଖିଛୁ ପୁଅ ସ୍ତ୍ରୀ ପାଇଲା ପର୍ଯ୍ୟନ୍ତ ମାତ୍ର ଝିଅ ଆମ ଜୀବନ ଶେଷ ହେଲା ପର୍ଯ୍ୟନ୍ତ। ତେଣୁ ନାରୀର ହକ୍ ତାକୁ ଦେବା ଆମର ପରମ କର୍ତବ୍ୟ ବୋଲି ସଂସ୍କୃତି ଭବନରେ ଆୟୋଜିତ ଭଦ୍ରକ ଜିଲ୍ଲା ସ୍ତରୀୟ ଆନ୍ତର୍ଜାତିକ ଶିଶୁ କନ୍ୟା ଦିବସ ପାଳନ ଉତ୍ସବରେ ଯୋଗ ଦେଇଥିବା ଅତିଥିମାନେ ବକ୍ତବ୍ୟ ଜରିଆରେ ପ୍ରକାଶ କରିଥିଲେ। ଭଦ୍ରକ ଲୋକସଭା ସାଂସଦ ଅଭିମନ୍ୟୁ ସେଠୀ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଜିଲ୍ଲାପାଳ ଦିଲ୍ଲୀପ ରାଉତରାଏଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଭଦ୍ରକ ବିଧାୟକ ସିତାଂଶୁ ଶେଖର ମହାପାତ୍ର, ବାସୁଦେବପୁର ବିଧାୟକ ଅଶୋକ କୁମାର ଦାସ, ଅତିରିକ୍ତ ଜିଲ୍ଲାପାଳ ଶାନ୍ତନୁ କୁମାର ମହାନ୍ତି, ବାସୁଦେବପୁର ବ୍ଲକ୍ ଅଧ୍ୟକ୍ଷ ନଗେନ୍ଦ୍ର ବିଶ୍ୱାଳ, ଚାନ୍ଦବାଲି ଏନ୍‌.ଏ.ସି. ଅଧ୍ୟକ୍ଷା ଶାନ୍ତିଲତା ସେଠୀ, ଡି.ଏସ୍‌.ଡବ୍ଲୁ.ଓ. ପୁଷ୍ପଲତା ପାତ୍ର ପ୍ରମୁଖ ସମ୍ମାନିତ ଅତିଥି ଭାବେ ଏଥିରେ ଯୋଗ ଦେଇଥିଲେ। ସୂଚନା ଯୋଗ୍ୟକି ମିଳିତ ଜାତି ସଂଘର ଅନୁମୋଦନ କ୍ରମେ ପ୍ରତିବର୍ଷ ଅକ୍ଟୋବର ୧୧ ତାରିଖକୁ ଆନ୍ତର୍ଜାତିକ ଶିଶୁକନ୍ୟା ଦିବସ ରୂପେ ପାଳନ କରାଯାଇ ଆସୁଅଛି। ଚଳିତ ବର୍ଷ ସରକାରଙ୍କ ନିର୍ଦ୍ଦେଶାନୁଯାୟୀ ଅକ୍ଟୋବର ଦୁଇ ରୁ ୧୧ ତାରିଖ ପର୍ଯ୍ୟନ୍ତ ପାଳନ କରାଯାଉଥିବା ଏହି ଦିବସକୁ ଭଦ୍ରକ ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ଜିଲ୍ଲା ସ୍ତରରେ ଅକ୍ଟୋବର ୯ରେ ପାଳନ କରାଗଲା। ଶିଶୁ କନ୍ୟା ମାନଙ୍କର ସ୍ୱାସ୍ଥ୍ୟ, ଶିକ୍ଷା, ମୈାଳିକ ଅଧିକାର ନେଇ ସମୃଦ୍ଧ ଜୀବନ ଗଠନ ପାଇଁ ପ୍ରତ୍ୟେକ ପରିବାରକୁ ସଚେତନ କରିବା ଏହି ଦିବସ ପାଳନର ଆଭିମୁଖ୍ୟ ସମ୍ବନ୍ଧରେ ମଧ୍ୟ ଅତିଥିମାନେ ଆଲୋକପାତ କରିଥିଲେ। ଭ୍ରୁଣହତ୍ୟା ନିଷେଧ ନେଇ ସମସ୍ତ ବାପା, ମା’ ସଚେତନ ହେବା ଆବଶ୍ୟକ। ଶିଶୁ କନ୍ୟା ପ୍ରତି ନିର୍ଯ୍ୟାତନା କି ଅବହେଳା ଆଦୈା ଗ୍ରହଣୀୟ ନୁହେଁ। ପ୍ରତ୍ୟେକ ନାରୀ ମଧ୍ୟ ନିଜକୁ କେବେ ଛୋଟ ନ ମଣି ନିଜ ଅଧିକାର ସାବ୍ୟସ୍ତ ପାଇଁ ସଚେତନ ହେବା ଜରୁରୀ ବୋଲି ମଧ୍ୟ ଆଲୋଚନା କରାଯାଇଥିଲା। ନାରୀକ୍ଷେତ୍ରରେ ବିଶେଷ ସଫଳତା ଓ ଉଲ୍ଲେଖନୀୟ ଅବଦାନ ପାଇଁ ଅବସରପ୍ରାପ୍ତ ଅଧ୍ୟାପିକା ସାହିତ୍ୟିକା ରାଧାରାଣୀ ମହାପାତ୍ର, ସମାଜସେବୀ, ମୁକ୍ତାଶୟ ଶିଶୁ ଯତ୍ନ ଅନୁଷ୍ଠାନର ନିର୍ଦ୍ଦେଶିକା ତଥା ଯମୁନାଲାଲ ବଜାଜ୍ ପୁରସ୍କାର ପୁରସ୍କାର ପ୍ରାପ୍ତା ସେଖ୍ ସୋଫିଆ, ଉଦ୍ୟୋଗ ପତି ଏମ୍‌.ବି.କେ. ମହିଳା କମଳା ମିତ୍ର, ସୂର୍ଣ୍ଣପଦକ ବିଜେତା କ୍ରୀଡ଼ାବିତ୍ ସ୍ମୃତିରେଖା ସେଠୀ, ଅଦ୍ୱିକା ସ୍ୱେଚ୍ଛାସେବୀ ଦିପ୍ତୀମୟୀ ମହାନ୍ତି ପ୍ରମୁଖଙ୍କୁ ଅତିଥିମାନଙ୍କ ଦ୍ୱାରା ସମ୍ବର୍ଦ୍ଧିତ ହୋଇଥିଲେ। ଶିଶୁ କନ୍ୟା ସୁରକ୍ଷା ନେଇ ଅତିରିକ୍ତ ଜିଲ୍ଲାପାଳ ସମସ୍ତଙ୍କୁ ଶପଥ ପାଠ କରାଇ ଧନ୍ୟବାଦ ଅର୍ପଣ କରିଥିଲେ। ବିଭାଗୀୟ କର୍ମଚାରୀ ସେକ୍ ଶିରାଜ ଅକତର, ଜିଲ୍ଲା ବାଲ୍ୟ ବିବାହ ନିଷେଧ ସଂଯୋଜକ ପ୍ରଦ୍ୟୁତରଞ୍ଜନ ରାଉତ ପ୍ରମୁଖ ଏହି କାର୍ଯ୍ୟକ୍ରମ ଆୟୋଜନରେ ଆନୁସଙ୍ଗିକ ସହଯୋଗ କରିଥିଲେ। ସଂପୃକ୍ତ ପ୍ରଶାସନିକ ଅଧିକାରୀ ସମସ୍ତ ସି.ଡ଼ି.ପି.ଓ, ସୁପରଭାଇଜର, ବିଭିନ୍ନ କଲେଜର ଛାତ୍ରଛାତ୍ରୀ, ଗଣମାଧ୍ୟମ ପ୍ରତିନିଧି ବହୁ ସଂଖ୍ୟାରେ ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ।