Odiapua.com

ପୁଅର ଗିରଫଦାରୀକୁ ବିରୋଧ, ପୁଲିସ୍‌କୁ ଦାୟୀ କଲା ପରିବାର, ଏସ୍‌ପିଙ୍କ ଅଫିସ୍ ସମ୍ମୁଖରେ ନ୍ୟାୟ ପାଇବାରୁ ବଂଚିତ ଅଗ୍ନି ବିପନ୍ନ ପରିବାରର ଆତ୍ମାହୁତି ଉଦ୍ୟମ

ଭଦ୍ରକ, ୧୩ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ନ୍ୟାୟ ପାଇବାରୁ ବଂଚିତ ଏକ ଅଗ୍ନି ବିପନ୍ନ ପରିବାର ଭଦ୍ରକ ଜିଲା ଆରକ୍ଷୀ ଅଧୀକ୍ଷକଙ୍କ ଅଫିସ୍ ସମ୍ମୁଖରେ ଦେହରେ ପେଟ୍ରୋଲ ଢାଳି ଆତ୍ମାହୁତି ଉଦ୍ୟମ କରିବା ଘଟଣା ଜିଲାରେ ଚର୍ଚ୍ଚାରେ ବିଷୟ ହୋଇଛି। ଏହି ଘଟଣାରେ ପୁଲିସ୍ ସେମାନଙ୍କୁ ନିଜ ଆୟତ୍ତକୁ ନେବାସହ ପରିବାରର ୪ ଜଣଙ୍କୁ ସହରାଞ୍ଚଳ ଥାନାରେ ଅଟକ ରଖିଛି। ଘଟଣା ଘଟିବା ସମୟରେ ଜିଲା ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ ସମ୍ମୁଖ ରାସ୍ତା କିଛି ସମୟ ପାଇଁ ଜାମ୍ ହୋଇଯିବାରୁ ଗାଡିମୋଟର ଯାତାୟତ ବାଧାପ୍ରାପ୍ତ ହୋଇଥିଲା। ଏଠାରେ ସୂଚନାଯୋଗ୍ୟ ଗତମାସ ୧୩ ତାରିଖରେ ଭଦ୍ରକ ସହରାଞ୍ଚଳ ଥାନା ଅଧୀନସ୍ଥ ଗବସାହି ଗ୍ରାମରେ ଜମିବାଡି ବିବାଦକୁ ନେଇ ସୁଦର୍ଶନ ଦାସ ଓ ବ୍ରଜେନ୍ଦ୍ର ଦାସଙ୍କ ପରିବାର ମଧ୍ୟରେ ବିବାଦ ଉଗ୍ରରୂପ ନେଇଥିଲା। ଏପରିକି ଏହି ଘଟଣାରେ ପୁଲିସ୍ ଓ ଭଦ୍ରବ୍ୟକ୍ତିଙ୍କ ମଧ୍ୟରେ ଆପୋଷ ସମାଧାନ ନିମନ୍ତେ ପ୍ରୟାସ ହୋଇଥିଲେ ବି କୌଣସି ସୁଫଳ ମିଳିନଥିଲା। ପରେ ସୁଦର୍ଶନ ଦାସଙ୍କ ପରିବାର ଲୋକେ ଶୋଇଥିବାବେଳେ ବିଳମ୍ବିତ ରାତିରେ ବ୍ରଜେନ୍ଦ୍ର ଦାସ, ନରେନ୍ଦ୍ର ଦାସ, ରବିନ୍ଦ୍ର ଦାସ, ରଂଜନ କୁମାର ଦାସ, ପ୍ରଫୁଲ୍ଲ ଦାସ, ଆରତୀ ଦାସ, ଶ୍ରୀଧର ଦାସ, ହରେରାମ ଦାସ, ଶାନ୍ତିଲତା ଦାସ, ରଶ୍ମିରେଖା ଦାସ ପ୍ରମୁଖ ବାହାରପଟୁ ତାଲା ଦେଇ ସେମାନଙ୍କ ଘରେ ନିଆଁ ଲଗାଇଦେଇଥିଲେ।

ସୁଦର୍ଶନ ଦାସଙ୍କ ପରିବାର ଜୀବନ ବଂଚାଇବାକୁ ଝରକା ଭାଂଗି ବାହାରକୁ ଆସିଥିଲେ ମଧ୍ୟ କୌଣସି ଜିନିଷ ଓ ଆସବାବ ପତ୍ର ଉଦ୍ଧାର କରିପାରିନଥିବା ବିଷୟ ଥାନାରେ ଅଭିଯୋଗ ହୋଇଥିଲା। ଏହି ଅଗ୍ନିକାଣ୍ଡରେ ଉକ୍ତ ପରିବାରର ଲକ୍ଷାଧିକ୍ଷ ଟଙ୍କାର କ୍ଷତି ହୋଇଥିବାବେଳେ ସେମାନେ ବେଘର ହୋଇ ସରକାରୀ ଆଶ୍ରୟସ୍ଥଳୀରେ ମୁଣ୍ଡ ଗୁଂଜିଛନ୍ତି। ତେବେ ଏହି ଘଟଣାରେ ସେମାନେ ଟାଉନ୍ ଥାନାରେ ଲିଖିତ ଅଭିଯୋଗ କରିଥିବାବେଳେ ଅପରପକ୍ଷଙ୍କ ପକ୍ଷରୁ ମଧ୍ୟ ଏତଲା ଦିଆଯାଇଥିଲା। ଆଜି ସହରାଞ୍ଚଳ ଥାନା ପୁଲିସ୍ ଅଗ୍ନି ବିପନ୍ନ ପରିବାରକୁ ଥାନାକୁ ଥାନାକୁ ଡାକି ତାଙ୍କ ପୁଅକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଏହାର ପ୍ରତିବାଦରେ ପ୍ରଥମେ ଟାଉନ୍ ଥାନା ଆଗରେ ପରିବାର ପକ୍ଷରୁ ଧାରଣା ଦିଆଯାଇଥିଲା। ପରେ ପରିବାର ଲୋକମାନେ ପୁଲିସ୍‌କୁ ଦାୟୀ କରି ନ୍ୟାୟ ପାଇଁ ଏସ୍‌ପିଙ୍କ କାର୍ଯ୍ୟାଳୟ ଆଗରେ ଧାରଣାରେ ବସିଥିଲେ। ଏପରିକି ପରିବାର ଲୋକେ ପୁଅର ଗିରଫଦାରୀକୁ ବିରୋଧ ସହ ଏସ୍‌ପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପେଟ୍ରୋଲ ଢାଳି ଆତ୍ମାହୁତି ଉଦ୍ୟମ କରିଥିଲେ। ଏହି ଆତ୍ମାହୁତି ଉଦ୍ୟମରୁ ବିରତ କରିବା ପାଇଁ ପୁଲିସ୍‌କୁ ନାକେଦମ୍ ହେବାକୁ ପଡିଥିଲା। ପରେ ପୁଲିସ୍ ପକ୍ଷରୁ ଧାରଣା ଓ ଆତ୍ମାହୁତି ଉଦ୍ୟମ କରିଥିବା ଯୁବକକୁ କାବୁ କରାଯାଇ ଥାନାକୁ ନେବାପରେ ୪ ଜଣଙ୍କୁ ଅଟକ ରଖାଯାଇଥିବାର ଜଣାପଡିଛି। ଏହି ଘଟଣାରେ ସ୍ଥାନୀୟ ବୁଦ୍ଧିଜୀବୀ ଓ ଜନସାଧାରଣଙ୍କ ମଧ୍ୟରେ ପୁଲିସ୍‌ର ନିରପେକ୍ଷତାକୁ ନେଇ ତୀବ୍ର ସମାଲୋଚନା ସହ ନିନ୍ଦା କରାଯାଇଛି।