Odiapua.com

ପୁଅବୋହୂୂଙ୍କ ନିର୍ଯ୍ୟାତନା ସହିନପାରି ଥାନାର ଆଶ୍ରୟ ନେଲେ ବୃଦ୍ଧା

ହାଟଡ଼ିହି, ୧୯। ୮ (ଓଡ଼ିଆ ପୁଅ/ବିକାଶ ବିଶ୍ୱାଳ) ଯେଉଁ ପୁଅକୁ ଦଶମାସ ଦଶଦିନ ଗର୍ଭରେ ଧରି ଜନ୍ମ ଦେଇଥିଲି, କେତେ ଆଶା କରିଥିଲି ବୃଦ୍ଧାବସ୍ଥାରେ ମୋର ସେବାଯତ୍ନ ନେବ। କିନ୍ତୁ ସେହି ପୁଅ ମୋର ଭଗାରୀ ହୋଇଛି। ଜମିବାଡ଼ି ଟଙ୍କା ସୁନା ସବୁନେବା ପରେ ଏବେ ବୋହୂ କଥାରେ ପଡ଼ି ନିତିଦିନ ଶାରୀରିକ ଓ ମାନସିକ ନିର୍ଯ୍ୟାତନା ଦେଉଛି, କେତେବେଳେ ବି ଜୀବନରେ ମାରିଦେବ ଏପରି ଅଭିଯୋଗ କରିଛି ଜଣେ ବୃଦ୍ଧା ମା’। ଘଟଣାଟି ଘଟିଛି ନନ୍ଦିପଦା ଥାନା ବଡରମ୍ପାସ ଗ୍ରାମରେ। ଗ୍ରାମର ନିରୂପମା ରାଉତ ନାମକ ଜଣେ ୮୫ ବର୍ଷ ବୟସ୍କ ବୃଦ୍ଧାଙ୍କ ଅଭିଯୋଗ ଅନୁଯାଇ ବଡ଼ପୁଅ ବାହାରେ ଥିବାରୁ ସେ ତାଙ୍କ ସାନପୁଅ ପଦ୍ମନାଭ ରାଉତ ପାଖରେ ସେ ରହୁଥିଲେ। ପଦ୍ମନାଭ ତାଙ୍କ ମାଆଙ୍କ ଭାଗ ଜମି ଓ ପଇସାପତ୍ର ସବୁ ନେଇ ଯିବାପରେ ଗତ ୬ ମାସ ହେଲା ବୋହୂ କଥାରେ ପଡି ନିରୂପମାଙ୍କୁ ମାରଧର କରିବା ସହିତ ଅଶ୍ଳିଳ ଭାଷାରେ ଗାଳିଗୁଲଜ କରୁଛି। ଏପରିକି ଅନେକ ସମୟରେ ରାତିରେ ଖାଇବାକୁ ଦେବା ସମୟରେ ଗାଳିଗୁଚଲଜ କରିବା ସହିତ ଜୀବନରେ ମାରିଦେବାକୁ ଉଦ୍ୟମ କରୁଛି। ଏନେଇ ଅନେକଥର ଭଦ୍ରବ୍ୟକ୍ତିଙ୍କ ଉପସ୍ଥିତିରେ ଆଲୋଚନା ହୋଇଥିଲେବି ସେମାନଙ୍କ ପରାମର୍ଶକୁ ପୁଅବୋହୂ ମାନୁ ନଥିବାରୁ ବାଧ୍ୟହୋଇ ଆଜି ଥାନାର ଦ୍ୱାରସ୍ଥ ହୋଇଥିବା କହିଛନ୍ତି। ଯଦି ପୁଲିସ କିଛି ନବୁଝିବ ତେବେ ଏଇଠି ରହିବି ବୋଲି କାନ୍ଦି କାନ୍ଦି କହିଛନ୍ତି।