ଆଗାମୀ ୭ ଦିନ ମଧ୍ୟରେ କାର୍ଯ୍ୟାନୁଷ୍ଠାନ ନହେଲେ ଧାରଣା ଦେବାକୁ ଚେତାବନୀ
ଭଦ୍ରକ, ୩ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ତିହିଡି ବ୍ଲକ୍ ଅଧୀନ ପୀରହାଟ ଶାନ୍ତି ଶୈଳେନ୍ଦ୍ର ହାଇସ୍କୁଲର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଲକ୍ଷ୍ମୀଧର ପତିଙ୍କ ବିଭିନ୍ନ ବେଆଇନ୍ କାର୍ଯ୍ୟ ପ୍ରତିବାଦରେ ବିନ୍ଧା ବଜାର ଠାରେ ଏଫଏମ୍ଏସଏସର ସଭାପତି ସୁରେନ୍ଦ୍ର ସାହୁଙ୍କ ସଭାପତିତ୍ୱରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଆଗାମୀ ୭ ଦିନ ମଧ୍ୟରେ କାର୍ଯ୍ୟାନୁଷ୍ଠାନ ନହେଲେ ଜିଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯିବ ବୋଲି ଚେତାବନୀ ଦିଆଯାଇଛି । ଏଥିରେ ଏଫଏମ୍ଏସଏସର ସଂପାଦକ ପିତାମ୍ବର ବେହେରା, ଉମାକାନ୍ତ ବେହେରା, ବିଜୟ କୁମାର ଦାସ, ଯଶୋବନ୍ତ ବଳ, ବାବାଜୀ ରାଉତ, ଭରତ ଜେନା ଓ ରବିନ୍ଦ୍ର ଜେନା ପ୍ରମୁଖ ଯୋଗଦେଇ ଜଣାଇଛନ୍ତି ଯେ ପୀରହାଟ ଶାନ୍ତି ଶୈଳେନ୍ଦ୍ର ହାଇସ୍କୁଲ ବ୍ଲକ୍ର ପୁରାତନ ଶିକ୍ଷାନୁଷ୍ଠାନ । ଏହି ସ୍କୁଲରେ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ରହିଛି । ଯେଉଁଥିପାଇଁ ସ୍କୁଲ ଶିକ୍ଷା ଓ ଅନ୍ୟାନ୍ୟ କ୍ଷେତ୍ରରେ ଗୁରୁତ୍ୱ ବହନ କରୁଛି । ଉକ୍ତ ସ୍କୁଲରେ ସ୍ଥାୟୀ ପ୍ରଧାନ ଶିକ୍ଷକ ନଥିବାରୁ ପ୍ରଶାସନିକ କ୍ଷମତା ଭଙ୍ଗ ହେଉଛି । ଏବେ ସ୍କୁଲରେ ଥିବା ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଲକ୍ଷ୍ମୀଧର ପତିଙ୍କ ସ୍ୱେଚ୍ଛଚାରିତା ମନବୃତ୍ତି ଯୋଗୁଁ ସ୍କୁଲର ଛାତ୍ରଛାତ୍ରୀଙ୍କ ଅଭିଭାବକ ଓ ପୁରାତନ ଛାତ୍ରଛାତ୍ରୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଦୀର୍ଘଦିନ ଧରି ରହିବା ମଧ୍ୟରେ ବ୍ୟାପକ ଅନିୟମିତତା କାର୍ଯ୍ୟ କରିଛନ୍ତି । ଯାହାର ଉଦାହରଣ ସ୍ୱରୂପ ପୁରୁଣା କୋଠାକୁ ଭାଙ୍ଗି ନୂତନ କୋଠା ନିର୍ମାଣ । ଏଥିରୁ ଅନିୟମିତତାର ଜ୍ୱଳନ୍ତ ପ୍ରମାଣ ମିଳେ । କୌଣସି ଟେଣ୍ଡର ବା ପ୍ରସାର ପ୍ରଚାର ନକରି ଭାରପ୍ରାପ୍ତ ପ୍ରଧାନଶିକ୍ଷକ ଶ୍ରୀ ପତି ସ୍କୁଲର ବହୁ ଆସବାବ ପତ୍ରକୁ ଶାଗମାଛ ଦରରେ ବିିକ୍ରି କରିଛନ୍ତି । ଏପରିକି ଭଙ୍ଗା ଇଟା ଓ ମାଟିକୁ ବଜାର ଦରରେ ବିକ୍ରି କରୁଥିବା ବେଳେ ଘରୋଇ ଲୋକଙ୍କୁ ଭଙ୍ଗା ଇଟାକୁ ଚଢାଦରରେ ବିକ୍ରି କରିଛନ୍ତି । ଏ ସଂପର୍କରେ ପଚାରିଲେ କମିଟି ଦ୍ୱାହି ଦେଇ ଖସିଯିବାକୁ ଚେଷ୍ଟା କରୁଛନ୍ତି । ତେବେ ସ୍କୁଲରେ ସ୍ଥାୟୀ ପ୍ରଧାନ ଶିକ୍ଷକ ନିଯୁକ୍ତି, ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଲକ୍ଷ୍ମୀଧର ପତିଙ୍କ ସମୟରେ ହୋଇଥିବା ବିଭିନ୍ନ କାର୍ଯ୍ୟର ସ୍ୱତନ୍ତ୍ର ଅଡିଟ୍ କରାଯିବା ଓ ବେଆଇନ୍ ଭାବେ ବିକ୍ରି ହୋଇଥିବା ଆସବାବ ପତ୍ର ଉପରେ ଉପଯୁକ୍ତ ତଦନ୍ତ କରାଯାଇ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ସାମ୍ବାଦିକ ସମ୍ମିଳନୀରେ ଦାବି କରାଯାଇଛି । ଏ ସଂପର୍କରେ ସେମାନେ ମୁଖ୍ୟମନ୍ତ୍ରୀ, ୫-ଟି ସଚିବ, ଜିଲାପାଳ ଓ ଜିଲା ଶିକ୍ଷାଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରାଇଛନ୍ତି । ଜିଲା ଶିକ୍ଷାଧିକାରୀ କପିଳେନ୍ଦ୍ର ମିଶ୍ରଙ୍କୁ ଏ ସଂପର୍କରେ ପଚାରିବାରୁ ସେ କହିଛନ୍ତି ଯେ ଅଭିଯୋଗ ହସ୍ତଗତ ହୋଇଛି, ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।