Odiapua.com

ପୀତାମ୍ବରା ସିଦ୍ଧମହାଶକ୍ତି ପୀଠରେ ନବରାତ୍ର ପୂଜା

ବାଲେଶ୍ୱର, ୨୩ା୧୦(ଓଡ଼ିଆ ପୁଅ/ଅଭୟ ଦାସ): ଦୁର୍ଗତି ନାଶିନୀ ମାଆ ଦୁର୍ଗାଙ୍କ ଆଗମନରେ ପ୍ରତିପଦ ତିଥିଠାରୁ ବିଭିନ୍ନ ଶକ୍ତିପୀଠାରେ ଆରମ୍ଭ ହୋଇଛି ନବରାତ୍ରୀ ପୂଜା। ଦୈନିକ ପ୍ରାତଃକାଳରୁ ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ଶ୍ରଦ୍ଧା ଓ ନିଷ୍ଠାର ସହିତ ଚାଲିଛି ମାଆଙ୍କ ପୂଜାର୍ଚ୍ଚନା। ମାନସିକଧାରୀଙ୍କଠାରୁ ଆରମ୍ଭ କରି ଶ୍ରଦ୍ଧାଳୁ ଓ ସେବକମାନେ ଭକ୍ତିର ସହ କରୁଛନ୍ତି ମଆଙ୍କର ଆରଧନା। ସେହିକ୍ରମରେ ବାଲେଶ୍ୱର ସହର ଉପକଣ୍ଠ ତାମୁଳିଆ ସ୍ଥିତ ଶ୍ରୀ ଶ୍ରୀ ପୀତାମ୍ବରା ସିଦ୍ଧ ମାଆ ବଗଳାମୁଖୀଙ୍କ ପୀଠରେ ରୀତିନୀତି ଅନୁସାରେ ନବରାତ୍ର ପୂଜା ଆରମ୍ଭ ହୋଇଥିବାର ଲକ୍ଷ୍ୟ କରାଯାଇଛି। ସରକାରଙ୍କ କୋଭିଡ କଟକଣା ପାଇଁ ବିନା ଭକ୍ତରେ କେବଳ ସ୍ୱଳ୍ପ ସଂଖ୍ୟକ ସେବକଙ୍କ ଦ୍ୱାରା ପ୍ରତ୍ୟେକ ଦିନ ପ୍ରାତଃକାଳରୁ ରାତ୍ରି ପର୍ଯ୍ୟନ୍ତ ଷୋଡ଼ଶ ଉପଚାର ପୂଜା ହେବା ସହିତ ସଂଧ୍ୟାରେ ସପ୍ତଗଣ ଚଣ୍ଡିପାଠ ୧୦୮ ଆହୁତି ଆଦି କର୍ମକାଣ୍ଡ ନିୟମିତ ଚାଲିଛି ଏହି ପିଠରେ। ପଣ୍ଡିତମାନଙ୍କ ବେଦମନ୍ତ୍ରରେ ସମଗ୍ର ପରିବେଶ ହୋଇ ଉଠୁଛି ମନ୍ତ୍ରମୟ। ଦେବୀଙ୍କ ନବଶକ୍ତିକୁ ଶ୍ରଦ୍ଧାର ସହ ଆହ୍ୱାନ କରାଯାଇ ପୂଜା କରାଯାଉଛି ଏଠାରେ। ପ୍ରଥମ ଦିନରେ ଶୈଳପୁତ୍ରୀ ଦ୍ୱୀତିୟ ଦିନରେ ବ୍ରହ୍ମଚାରିଣୀ, ତୃତୀୟ ଦିନରେ ଚିତ୍ରଘଂଟା, ଚତୁର୍ଥ ଦିନରେ ମା କୁଷ୍ମାଣ୍ଡା, ୫ମ ଦିବସରେ ସ୍କନ୍ଧମାତା ଓ ଷଷ୍ଠ ଦିବସରେ ମାଆଙ୍କର କାତ୍ୟାୟନୀ ସ୍ୱରୂପକୁ ପୂଜା କରାଯାଇଥିବା ବେଳେ ଆଜି ମହାସପ୍ତମୀ ତିଥିରେ ମା’ଙ୍କର କାଳରାତ୍ରୀ ସ୍ୱରୂପଙ୍କୁ ପୂଜା କରାଯାଇଥିଲା। ଅଷ୍ଟମୀ ତିଥିରେ ମାଙ୍କର ମହାଗୌରୀ ସ୍ୱରୂପ ଓ ନବମୀ ଦିନ ମା’ ସିଦ୍ଧିଦାତ୍ରୀଙ୍କୁ ପୂଜା କରାଯିବାର ବିଧି ରହିଛି। ଶ୍ରୀ ପିତାମ୍ବରା ସିଦ୍ଧ ମହାଶକ୍ତି ପୀଠରେ ସ୍ୱତନ୍ତ୍ର ଭାବେ ସଜ୍ଜିତ ମା ବଗଳାମୂଖୀଙ୍କର ବେଶ ସେଠରେ ଭକ୍ତିମୟ ପରିବେଶ ସୃଷ୍ଟି କରିଥିଲା। ସକଳ ଶକ୍ତିର ଆଧାର ଭାବେ ଏହି ପୀଠରେ ପୂଜା ପାଉଥିବା ମାଆ ବଗଳାମୁଖୀ ତାଙ୍କର ଭକ୍ତଙ୍କୁ ସର୍ବଦା ଅଭୟ ପ୍ରଦାନ କରିଥା’ନ୍ତି ବୋଲି ବିଶ୍ୱାସ ରହିଛି।