Odiapua.com

ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଓ ତାଙ୍କ ସମର୍ଥକଙ୍କୁ ମାଡ ଘଟଣାରେ ୮ ଗିରଫ

ଘଷିପୁରା ୨୨-୪ (ଓଡ଼ିଆ ପୁଅ) ଘଷିପୁରାରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଓ ତାଙ୍କ ସମର୍ଥକଙ୍କୁ ମାଡ ଘଟଣାରେ ଆଜି ରାମଚନ୍ଦ୍ରପୁର ପୋଲିସ ୮ଜଣଙ୍କୁ ଗିରଫ କରିଛି। ଗତକାଲି କଂଗ୍ରେସ କର୍ମୀଙ୍କ ଉପରେ ମରଣାନ୍ତକ ଆକ୍ରମଣ କରିଥିଲେ ଦୁର୍ବୃତ୍ତ। ପୋଲିସ ଏହି ଘଟଣାର ଛାନଭିନ କରି ଆଜି ୮ ଜଣଙ୍କୁ ଗିରଫ କରିଛି। ସୂଚନାଯୋଗ୍ୟଯେ, କେନ୍ଦୁଝର ଜିଲ୍ଲା ଘସିପୁରା ନିର୍ବାଚନ ମଣ୍ଡଳୀରେ ରାଜନୈତିକ ହିସାଂରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଓ ରମେଶ ଜେନାଙ୍କ ସମେତ ଅନେକ କର୍ମୀ ଆହତ ହୋଇଥିଲେ। ରାମଚନ୍ଦ୍ରପୁର ଥାନା ଅଧିନସ୍ଥ ଭଣ୍ଡାରିପଡ଼ା ଗ୍ରାମରେ ଗତକାଲି କଂଗ୍ରେସ ଦଳର ନିର୍ବାଚନ ପ୍ରଚାର ସମୟରେ ପିସିସି ସଭାପତି ତଥା ଘସିପୁରା ନିର୍ବାଚନ ମଣ୍ଡଳୀର କଂଗ୍ରେସ ବିଧାୟକ ପ୍ରାର୍ଥୀ ନିରଞ୍ଜନ ପଟ୍ଟନାୟକଙ୍କ ସମେତ ଅନେକ କଂଗ୍ରେସ ସମର୍ଥକଙ୍କୁ ଆକ୍ରମଣ କରାଯାଇଥିଲା। ପ୍ରଚାର ସମୟରେ କିଛି ଦୁର୍ବୁତ୍ତ ଟେକା ମାଡ କରିଥିବା ବେଳେ ପ୍ରଚାର ଶେଷ କରି ଫେରୁଥିବା ସମୟରେ ଦୁଇଟି ବୋଲେରୋରେ ପିଛା କରି ନିରଞ୍ଜନଙ୍କ ଗାଡି ଉପରେ ଆକ୍ରମଣ କରିଥିଲେ। ଫଳରେ ନିରଞ୍ଜନ ପଟ୍ଟନାୟକ, ରମେଶ ଜେନାଙ୍କ ସମେତ ଅନେକ କଂଗ୍ରେସ କର୍ମୀ ଆହତ ହୋଇଥିଲେ। ସୁରକ୍ଷା କର୍ମୀ ଆଗରେ ବସିଥିବା ବେଳେ ନିରଞ୍ଜନ ଓ ରମେଶ ପଛ ସିଟରେ ବସିଥିଲେ। ନିରଞ୍ଜନଙ୍କୁ ଆକ୍ରମଣ କରିବାର ଦେଖି ରମେଶ ସମ୍ମୁଖକୁ ଚାଲି ଯାଇଥିଲେ ଏବଂ ସୁରକ୍ଷା କର୍ମୀ ଗୁଳି ଫୁଟାଇବାର ଆକ୍ରମଣକାରୀ ସେଠାରୁ ଚାଲିଯାଇଥିଲେ। ଏହି ଆକ୍ରମଣରେ କଂଗ୍ରେସ ବିଧାନସଭା ପ୍ରାର୍ଥୀ ନିରଞ୍ଜନ ପଟ୍ଟନାୟକ ଓ ଅନେକ ସମର୍ଥକ ଆହତ ହୋଇଛନ୍ତି। ବିଜେଡି ସମର୍ଥକମାନେ ସଙ୍ଘବଦ୍ଧ ଭାବେ ଏହି ଆକ୍ରମଣ କରିଥିବାର ଅଭିଯୋଗ ହୋଇଥିଲା। ଉକ୍ତ ଆକ୍ରମଣରେ ଶିକାର ହୋଇଥିବା ପିସିସି ସଭାପତି ଓ କଂଗ୍ରେସ କର୍ମୀମାନଙ୍କୁ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟ ଭର୍ତ୍ତି କରାଯାଇଥିଲା। ଆହତ କଂଗ୍ରେସ କର୍ମୀମାନେ ବିଜୁ ଜନତାଦଳର ମନ୍ତ୍ରୀ ତଥା ଦଳୀୟ ବିଧାନସଭା ପ୍ରାର୍ଥୀ ବଦ୍ରି ନାରାୟଣ ପାତ୍ର ଓ ତାଙ୍କ ପୁଅଙ୍କ ଉପରେ ଦୋଷାରୋପ କରିଛନ୍ତି। ଏଥିସହ ମନ୍ତ୍ରୀ ଓ ତାଙ୍କ ପୁଅଙ୍କ ନିକଟତମ ସମର୍ଥକମାନେ ଏହି ଆକ୍ରମଣ କରିଥିବାକୁ ନେଇ ଥାନାରେ ଏକ ଲିଖିତ ଅଭିଯୋଗ କରିଥିବାର ଜଣାପଡିଛି। ଅଭିଯୋଗକୁ ଭିତ୍ତି କରି ପୋଲିସ ଘଟଣାର ତଦନ୍ତ ଆରମ୍ଭ କରି ଆଠ ଜଣଙ୍କୁ ଗିରଫ କରିଛି।