Odiapua.com

ପିଲା ଗଣେଶ ଭସାଣି ଉତ୍ସବ, ଆଧୁନିକ-ପାରମ୍ପରିକ ବାଦ୍ୟଯନ୍ତ୍ର ଓ ନୃତ୍ୟ ଶୋଭାଯାତ୍ରାରେ କମ୍ପିଲା ଭଦ୍ରକ ସହର

ଭଦ୍ରକ, ୭ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ସହରର କୁଆଁସସ୍ଥିତ ବାବା ପିଲା ଗଣେଶ ମାସାଧିକ କାଳ ପୂଜା ପାଇଆସୁଥିବାବେଳେ ଆଜି ତାଙ୍କର ଭସାଣି ଉତ୍ସବ ଅନୁଷ୍ଠିତ ହୋଇଛି। ଏହି ଭସାଣି ଉତ୍ସବ ଦିବା ୧୨ ଘଟିକାରୁ ଆରମ୍ଭ ହୋଇ ସନ୍ଧ୍ୟା ୭ ଘଟିକାରେ ସଂପନ୍ନ ହୋଇଛି। ଏହା କୁଆଁସ ଗ୍ରାମରୁ ବାହାରି ବାଇପାସ୍ ଦେଇ ପରେ ରାଜଘଟ ଛକ, ଟାଉନ୍ ହଲ ଛକ, କଜେରୀ ବଜାର ଓ ଅପର୍ଲିବିନ୍ଧା ଛକ ପରିଭ୍ରମଣ କରିସାରିବା ପରେ ସାଳନ୍ଦୀ ନଦୀରେ ବିସର୍ଜନ କରାଯାଇଥିଲା। ଏହି ପିଲା ଗଣେଶ ଭସାଣି ଉତ୍ସବରେ ସବୁଠାରୁ ମନୋରମ ଦୃଶ୍ୟ ଥିଲା ଏହାର ଶୋଭାଯାତ୍ରା। ଗୋଟେ କିଲୋମିଟର ଲମ୍ବର ଏହି ଶୋଭାଯାତ୍ରାକୁ ଦେଖିବାକୁ ସହରର ବହୁ ଲୋକଙ୍କ ସମାଗମ ଦେଖିବାକୁ ମିଳିଥିଲା। ସମସ୍ତେ ଏହି ଭସାଣି ଶୋଭାଯାତ୍ରାକୁ ଆନନ୍ଦ ଉଲ୍ଲାସର ସହ ଉପଭୋଗ କରିଛନ୍ତି। ଏହି ଭସାଣି ଉତ୍ସବରେ ଗଞ୍ଜାମରୁ ସନ୍ତୋଷୀ ମ୍ୟୁଜିକ୍‌, ଯାଜପୁର ଟାଉନ୍‌ରୁ ଅଜୟ ମ୍ୟୁଜିକ୍‌, ବଲାଙ୍ଗୀରରୁ ମେଲୋଡି ମ୍ୟୁଜିକ୍ ସାମିଲ ହୋଇଥିବାବେଳେ ରାଜ୍ୟର ଅନ୍ୟ ଜିଲାମାନଙ୍କରୁ ଆସିଥିବା ପାରମ୍ପରିକ ବାଦ୍ୟ ଓ ନୃତ୍ୟ ଯଥା ଆଦିବାସୀ ନୃତ୍ୟ, ଶଙ୍ଖୁଆ ଦଳ, ଘୋଡାଦଳ, ଘଂଟଦଳ, ମାଦଳ ଦଳ, ଗୋଟିପୁଅ ଦଶ ଅବତାର ଓ ଘଂଟୁଆଳଙ୍କ ମନଛୁଆଁ ବାଦନ ଲୋକମାନଙ୍କୁ ବେଶ୍ ବିମୋହିତ କରିଥିଲା। ଚଳିତବର୍ଷ ମହାରାଷ୍ଟ୍ରରୁ ଆସିଥିବା ଭାଙ୍ଗଡା ଦଳ ସମସ୍ତଙ୍କୁ ବେଶ୍ ପସନ୍ଦ ଆସିଥିଲା। ଏକ କିଲୋମିଟର ଲମ୍ବର ଏହି ଭସାଣି ଶୋଭାଯାତ୍ରାକୁ ଦେଖିବା ପାଇଁ ସହର ସାରା ପ୍ରବଳ ଭିଡ ପରିଲକ୍ଷିତ ହୋଇଥିଲା। ଏହି ପିଲା ଗଣେଶ ଭସାଣି ଉତ୍ସବକୁ ଶାନ୍ତିଶୃଙ୍ଖଳା ରକ୍ଷା ଦିଗରେ ଜିଲା ଆରକ୍ଷୀ ଅଧୀକ୍ଷକ ମାଡକର ସନ୍ଦୀପ ସମ୍ପତ ଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ପୁଲିସ୍ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। ଆସନ୍ତାକାଲି ପୁରୁଣାବଜାରର ଟୋକା ଗଣେଶଙ୍କ ଭସାଣି ଉତ୍ସବ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି।