Odiapua.com

ପିପିଲି ଉପ ନିର୍ବାଚନ ନିମନ୍ତେ ପୋଷ୍ଟାଲ ବାଲାଟ ଗାଡି ଶୁଭାରମ୍ଭ

ପୁରୀ- ୨୩.୦୯ (ଓଡ଼ିଆ ପୁଅ) – ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶାନୁଯାୟୀ ପିପିଲି ବିଧାନସଭା ଉପ ନିର୍ବାଚନ ନିମନ୍ତେ ୮୦ ବର୍ଷ ବୟସରୁ ଉର୍ଦ୍ଦ୍ବ ବରିଷ୍ଠ ନାଗରିକ ଏବଂ ଦିବ୍ୟାଙ୍ଗ ଭୋଟର ମାନଙ୍କ ପାଇଁ ପୋଷ୍ଟାଲ ବାଲାଟର ବ୍ୟବସ୍ଥା କରାଯାଇଛି। ଜିଲ୍ଲାପାଳ ଶ୍ରୀ ସମର୍ଥ ବର୍ମା ପତାକା ଦେଖାଇ ପୋଷ୍ଟାଲ ବାଲାଟ ଗାଡିର ଶୁଭାରମ୍ଭ କରିଛନ୍ତି। ପୋଲିଂ ଅଧିକାରୀ ମାନେ ସେମାନଙ୍କ ଘରକୁ ଯାଇ ମତଦାନ କରାଇବେ। ଡେଲାଙ୍ଗ ବ୍ଲକର ୭୧୨ ଓ ପିପିଲି ବ୍ଲକର ୩୬୫ ମୋଟ ୧୦୭୭ ଜଣ ମତଦାନ ସାବ୍ୟସ୍ତ କରିବେ। ଡେଲାଙ୍ଗ ବ୍ଲକରେ ୮୦ ବର୍ଷରୁ ଉର୍ଦ୍ଦ୍ବ ୬୧୪ ଏବଂ ଦିବ୍ୟାଙ୍ଗ ୯୮ ଜଣ ଏବଂ ପିପିଲିର ୨୯୫ ଜଣ ବରିଷ୍ଠ ନାଗରିକ ଓ ୭୦ ଜଣ ଦିବ୍ୟାଙ୍ଗ ସାମିଲ ଅଛନ୍ତି। ପୂର୍ବରୁ ଏମାନଙ୍କ ମଧ୍ୟରୁ ଗତ ମେ ୩ ତାରିଖରେ ପୋଷ୍ଟାଲ ବାଲଟ ମାଧ୍ୟମରେ ପିପିଲିର ୬୩ ଓ ଡେଲାଙ୍ଗର ୭୫ ଜଣଙ୍କ ମୋଟ ୧୩୮ ଜଣଙ୍କ ଠାରୁ ମତଦାନ ନିଆଯାଇ ସରିଛି। ଏଥିନିମନ୍ତେ ୭ଟି ଗାଡି ବ୍ୟବସ୍ଥା କରାଯାଇଛି। ପ୍ରତ୍ୟେକ ଟିମରେ ୨ ଜଣ ପୋଲିଂ ଅଧିକାରୀ, ମାଇକ୍ରୋ ଅବଜରଭର, ପୁଲିସ ଓ ଭିଡିଓଗ୍ରାଫରଙ୍କୁ ମିଶାଇ ୫ ଜଣ ସାମିଲ ରହିବେ। ବୁଥ ସ୍ତରୀୟ ଅଧିକାରୀ ମାନେ ଏଥିନିମନ୍ତେ ସହଯୋଗ କରିବେ।

ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରଦୀପ କୁମାର ସାହୁ, ତହସିଲଦାର ଶ୍ରୀ ରବିନ୍ଦ୍ର କୁମାର ପ୍ରଧାନ, ଡେପୁଟି କଲେକ୍ଟର ଶ୍ରୀ ସୁମନ୍ତ କର, ଶ୍ରୀ ଜିତେନ୍ଦ୍ର କୁମାର ପାତ୍ର, ପୋଲିଂ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।