Odiapua.com

ପିପିଲି ଉପ ନିର୍ବାଚନରେ ଦିବ୍ୟାଙ୍ଗ ମତଦାତାମାନଙ୍କ ନିମନ୍ତେ ସ୍ବତନ୍ତ୍ର ବ୍ୟବସ୍ଥା

ପୁରୀ ୨୮.୦୯ (ଓଡ଼ିଆ ପୁଅ) – ପିପିଲି ଉପ ନିର୍ବାଚନର ମତଦାନ ନିମନ୍ତେ ଦିବ୍ୟାଙ୍କ ଭୋଟର ମାନଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ପ୍ରତ୍ୟେକ ବୁଥ ଅର୍ଥାତ ୩୪୮ ଟିରେ ହ୍ବିଲ ଚେୟାର ଓ ରାମ୍ପ ବ୍ୟବସ୍ଥା କରାଯାଇଛି। ସେମାନଙ୍କୁ ଘରୁ ଓ ବୁଥକୁ ନେବା ଆଣିବା କରିବା ପାଇଁ ସ୍ବତନ୍ତ୍ର ବାହାନ ବ୍ୟବସ୍ଥା କରାଯାଇଛି। ଏଥିପାଇଁ ଡେଲାଙ୍ଗ ବ୍ଲକରେ ୭୧ ଏବଂ ପିପିଲି ବ୍ଲକରେ ୨୮ଟି ଗାଡି ନେବା ଆଣିବା ପାଇଁ ରଖାଯାଇଛି। ସେମାନଙ୍କୁ ସହଯୋଗ କରିବାକୁ ଜାତୀୟ ସେବା ସଂସ୍ଥା, ନେହେରୁ ଯୁବ କେନ୍ଦ୍ର, ସ୍ବୟଂ ସହାୟକ ଗୋଷ୍ଠୀ ଓ ବିଭିନ୍ନ ବେସରକାରୀ ସଂସ୍ଥାର ସେଚ୍ଛାସେବୀ ନିୟୋଜିତ ରହିବେ। ଏତଦ୍ ବ୍ୟତୀତ ଭୋଟ ଦେବା ନିମନ୍ତେ ଭୋଟର ପରିଚୟ ପତ୍ର ବ୍ୟତୀତ ଭାରତୀୟ ନିର୍ବାଚନ କମିଶନ ଏବଂ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପକ୍ଷରୁ ଜାରି ବୈଧ ଥିବା ଅନ୍ୟ ୧୧ଟି ପ୍ରମାଣପତ୍ର ଭାବେ ଦର୍ଶାଇ ଭୋଟର ମାନେ ମତଦାନ କରିପାରିବେ। ଉକ୍ତ ପ୍ରମାଣପତ୍ର ମଧ୍ୟରେ ଆଧାର କାର୍ଡ, ଏମଜି ନରେଗା କାର୍ଡ, ଫଟୋ ଥାଇ ବ୍ୟାଙ୍କ ଏବଂ ପୋଷ୍ଟ ଅଫିସ ପକ୍ଷରୁ ଜାରି ପାସବୁକ, ପ୍ୟାନ କାର୍ଡ, ପେନସନ ପତ୍ର, ଡ୍ରାଇଭିଂ ଲାଇସେନ୍ସ, ଭାରତୀୟ ପାସପୋର୍ଟ ଆଦି ରହିଛି। ମତଦାନ ଦିନକୁ ଉତ୍ସବ ଭାବେ ପାଳନ କରି ନିରପେକ୍ଷ ଓ ମୂଲ୍ୟାୟନ ମତଦାନ କରନ୍ତୁ। ବୁଥରେ କୋଭିଡ କଟକଣା କଡାକଡି ଭାବେ ପାଳନ କରିବା ଯଥା- ସାମାଜିକ ଦୂରତ୍ବ, ମାସ୍କ ବ୍ୟବହାର, ହାତ ଧୋଇବା ଓ ସାନିଟାଇଜର ବ୍ୟବହାର ଏବଂ ମତଦାନ ସମୟରେ ହାତରେ ଗ୍ଲୋଭ୍ସ ବ୍ୟବହାର କରିବାକୁ ଜିଲ୍ଲାପାଳ ଶ୍ରୀ ସମର୍ଥ ବର୍ମା ମତଦାତା ମାନଙ୍କୁ ନିବେଦନ କରିଛନ୍ତି। ଅନ୍ୟପକ୍ଷରେ ଆସନ୍ତା ୩୦ ତାରିଖରେ ମତଦାନ ନିମନ୍ତେ ପୋଲିଂ ପାର୍ଟି ପେଣ୍ଠକଟା ସ୍ଥିତ ୱେର ହାଉସରୁ ବୁଥ ଅଭିମୁଖେ ଯାତ୍ରା କରିଛନ୍ତି। ଆସନ୍ତା ଅକ୍ଟୋବର ୩ ତାରିଖରେ ଭୋଟ ଗଣତି ହେବ।