Odiapua.com

ପିତେଇପୁର ଘଟଣାକୁ ନେଇ ପୋଲିସର କଡ଼ା ଆଭିମୁଖ୍ୟ, ଦୁଇ ଜଣଙ୍କ ବିରୋଧରେ ଦଙ୍ଗା କରିଥିବା ମାମଲା, ମିଥ୍ୟା ଗୁଜବ ପାଇଁ ଜଣେ ଗିରଫ

ଭଦ୍ରକ, ୨୧ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ମହିଳାଙ୍କୁ ଅନ୍ୟ ସଂପ୍ରଦାୟର ବ୍ୟକ୍ତି ନେଇଯିବାକୁ ନେଇ ଧାମନଗର ଥାନା ର ସୋହଡ଼ା ପଂଚାୟତର ପିତେଇପୁର ରେ ଦେଖା ଦେଇଥିବା ଉତେଜନା ଏବେ ଶାନ୍ତ ପଡ଼ିଛି ହେଲେ ପୋଲିସ ମୃତୟନ୍ ଅଛନ୍ତି। ଘର ଛାଡ଼ିଥିବା ଲୋକମାନେ ଗାଁକୁ ଧୀରେ ଧୀରେ ଫେରୁଛନ୍ତି। ଉଭୟ ପକ୍ଷର ଲୋକଙ୍କ ସହ ଆଲୋଚନା ଜାରି ରହିଛି। ଏହାସହ ଭିନ୍ନ ସଂପ୍ରଦାୟର ଲୋକଙ୍କ ସାହିରେ ପଶି ହିଂସା ଭିଆଇବା ସହ ଭଙ୍ଗାରୁଜା କରିଥିବା ଅଭିଯୋଗରେ ଧାମନଗର ଥାନା ପୋଲିସ କେଶ୍ ନଂ ୩୯୮ରେ ଏକ ମାମଲା ରୁଜୁ କରିଛି। ହିଂସାରେ ସଂପୃକ୍ତ ଥିବା ନେଇ ୨ ଜଣଙ୍କ ବିରୋଧରେ ଭାରତୀୟ ନ୍ୟାୟ ସଂହିତାର ଧାରା ୧୯୧(୨), ୧୯୧(୩), ୨୯୮, ୨୯୯, ୩୧୦(୨), ୩୨୪(୫) ଓ ୧୯୦ରେ ମାମଲା ରୁଜୁ କରାଯାଇଛି। ଦୁହିଁଙ୍କୁ ବର୍ତମାନ ପର୍ଯ୍ୟନ୍ତ ଗିରଫ କରାଯାଇ ପାରିନାହିଁ। ଅପରପକ୍ଷରେ ମହିଳା ନିଖୋଜ ଥିବା ଓ ତାଙ୍କୁ ଅପହରଣ କରିଥିବା ନେଇ ମଧ୍ୟ ଗୋଟିଏ ମାମଲା ଧାମନଗର ଥାନାରେ ରୁଜୁ ହୋଇଛି। ଶନିବାର ସଂଧ୍ୟା ରେ ପିତେଇପୁର ଗାଁର ଜଣେ ମହିଳାଙ୍କୁ ସେହି ଗାଁରେ ରହୁଥିବା ଭିନ୍ନ ସଂପ୍ରଦାୟର ଜଣେ ଯୁବକ ନେଇ ପଳାଇଥିବା ଅଭିଯୋଗ ହୋଇଥିଲା। ମହିଳା ଙ୍କ ଘରକୁ ଯିବା ଆସିବା କରୁଥିବା ଭିନ୍ନ ସଂପ୍ରଦାୟର ଯୁବକ ମହିଳାଙ୍କୁ ନେଇ ଯାଇ ଥିବାର ସ୍ୱାମୀ ଶୁଣିବାକୁ ପାଇ ଥିଲା। ଏହାପରେ ଗାଁ ଲୋକଙ୍କ ସହଯୋଗରେ ସ୍ୱାମୀ ପରାମର୍ଶ ନେଇ ଥାନାକୁ ଯାଇଥିଲେ। ତେବେ ମହିଳା ଙ୍କ ଉକ୍ତ ଯୁବକ ନେଇ ଯାଇ ଥିବା ଖବରପାଇ କିଛି ଗ୍ରାମର ଲୋକ ମାନେ ଉତେଜିତ ହୋଇ ଥିଲେ। ସମ୍ପୃକ୍ତ ଯୁବକଙ୍କ ଧର୍ମୀୟ ଆରାଧନାସ୍ଥଳୀ ଓ ବସ୍ତି ରେ ପଶି ଭଙ୍ଗାରୁଜା କରିଥିଲେ। ସେହି ଯୁବକଙ୍କ ସାହିରେ ଥିବା ବିଭିନ୍ନ ଲୋକଙ୍କ ପିକ୍ ଅପ୍ ଭ୍ୟାନ, ବାଇକ୍ ଓ ସାଇକେଲକୁ ପିଟି ଭାଙ୍ଗି ଦେଇଥିଲେ। ଘରୁ ଜିନିଷପତ୍ର ଫିଙ୍ଗା ଫୋପଡ଼ା କରିଥିଲେ। ଉତେଜନା ବୃଦ୍ଧି ପାଇବାରୁ ଧାମନଗର ଥାନା ପୋଲିସ ପହଂଚିଥିଲା। ଏହାସହ ଭଣ୍ଡାରିପୋଖରୀ ଓ ଧୁଷୁରୀ ପୋଲିସ ଟିମ୍ ପହଂଚିଥିଲା। ଦୀପାବଳି ଥିବାରୁ ୧ ପ୍ଲାଟୁନ ଓ ଧାମନଗର ଥାନାର ବରିଷ୍ଠ ଅଧିକାରୀ ଗାଁରେ ଉପସ୍ଥିତ ରହିଥିଲେ। ମଙ୍ଗଳବାର ଦିନ ସାଇଂଟିଫିକ୍ ଟିମ୍ ପହଂଚି ତଦନ୍ତ କରିଛି। ଏହାସହ ଯୁବକଙ୍କ ସଂପ୍ରଦାୟର ଜଣେ ଲୋକ ଥାନାରେ ପହଂଚି ଏତଲା ଦେଇଥିଲେ। ଏତଲାକୁ ଆଧାର କରି ୨ ଜଣଙ୍କ ବିରୋଧରେ ଓ୨୦୦ ଲୋକ ଙ୍କ ବିରୋଧରେ ପୋଲିସ ବିଭିନ୍ନ ଦଫାରେ ମାମଲା କରିଛି। କେବଳ ଏତିକି ନୁହେଁ, ଘଟଣାଟି ସମ୍ବେଦନଶୀଳ ହୋଇଥିବାରୁ ସୋସିଆଲ ମିଡିଆରେ ଉତେଜନାପୂର୍ଣ୍ଣ କଥା ଲେଖିଥିବାରୁ ପୋଲିସ ଜଣକୁ ଗିରଫ କରିଛି । ଆରପଟେ ଏଇ ମାସ ଶେଷକୁ ଧାମନଗରରେ ଉର୍ସ ପର୍ବ। ଲକ୍ଷ ଲକ୍ଷ ଲୋକ ଏଠାକୁ ଆସିଥାନ୍ତି। ଏଣୁ ଏଭଳି ଅବସ୍ଥାରେ ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିବା ଲାଗି ଏସପି ମନୋଜ ରାଉତ କଡ଼ା ଆଭିମୁଖ୍ୟ ଗ୍ରହଣ କରିଥିଲେ।