Odiapua.com

ପିତୃମାତୃ ହୀନ ଦୁଇଜଣ ଶିଶୁଙ୍କୁ ଜିଲ୍ଳା ଶିଶୁ ମଙ୍ଗଳ ସମିତି ଆଗରେ ହାଜର କରାଗଲା

ଭଦ୍ରକ, ୬ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ମା’ର ଦଶଦିନ କ୍ରିୟା ଦିନ ବାପାଙ୍କର ମୃତ୍ୟୁ ସମ୍ବାଦ ବିଭିନ୍ନ ଗଣମାଧ୍ୟମରେ ପ୍ରସାରିତ ହେଲା ପରେ, ଜିଲ୍ଳା ଶିଶୁ ମଙ୍ଗଳ ସମିତିର ଅଧ୍ୟକ୍ଷ ଡ. ସୁଦର୍ଶନ ବାରିକ୍‌ଙ୍କ ନିର୍ଦ୍ଦେଶ କ୍ରମେ ଶିଶୁ ଦୁଇଜଣଙ୍କୁ ଆଜି ଶିଶୁ ମଙ୍ଗଳ ସମିତି ଆଗରେ ହାଜର କରାଯାଇଥିଲା। ବଣିଆ ପଞ୍ଚାୟତ ଅଧୀନସ୍ଥ ଭଗବାନପୁର ଗ୍ରାମରେ ମା’ର ଦଶଦିନ କ୍ରିୟା ଦିନ, ବାପାଙ୍କର ମୃତ୍ୟୁ ହୋଇଥିବା ମାତୃପିତୃହୀନ ଶିଶୁଙ୍କୁ ଆଜି ଚାଇଲ୍‌ଡ ଲାଇନ ପକ୍ଷରୁ ଜିଲ୍ଳା ଶିଶୁ ମଙ୍ଗଳ ସମିତି ଆଗରେ ହାଜର କରାଯାଇଥିଲା। ସମସ୍ତ ଘଟଣା ଶୁଣି ସାରିବା ପରେ ଶିଶୁ ମଙ୍ଗଳ ସମିତିର ନିଷ୍ପତ୍ତି କ୍ରମେ ଅଧ୍ୟକ୍ଷ ଡ. ସୁଦର୍ଶନ ବାରିକ୍ ଶିଶୁ ଦୁଇଟିଙ୍କୁ ଜେଜେବାପା ଓ ଜେଜେମାଆଙ୍କ ହେପାଜତରେ ରହିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। କ୍ରିୟାକର୍ମ ସରିଲା ପରେ ଉପଯୁକ୍ତ ତଦନ୍ତ କରାଯାଇ ଶିଶୁ ଦୁଇଜଣଙ୍କୁ ସ୍ଥାୟୀ ଭାବରେ ଥଇଥାନ କରାଯିବ ବୋଲି ଡ. ବାରିକ ମତବ୍ୟକ୍ତ କରିବା ସଙ୍ଗେସଙ୍ଗେ ସରକାରଙ୍କ ଯୋଜନା ଅନୁଯାୟୀ ଶିଶୁ ଦୁଇଜଣଙ୍କୁ ସମସ୍ତ ସାହାଯ୍ୟ ପ୍ରଦାନ କରାଯିବ ବୋଲି ଅଧ୍ୟକ୍ଷ ଡ. ବାରିକ ସୂଚନା ପ୍ରଦାନ କରିଛନ୍ତି। ଜିଲ୍ଲା ଶିଶୁ ମଙ୍ଗଳ ସିମତିର ସଦସ୍ୟ ସତ୍ୟ ସୁନ୍ଦର ପୁହାଣ, ପ୍ରଦୀପ୍ତ କୁମାର କର, ସଂଗୀତା ଗିରି, ସ୍ମୃତିରେଖା ମହାନ୍ତି, ମନୋଜ ଦାସ, ଚାଇଲ୍‌ଡ ଲାଇନ୍‌ର ସଦସ୍ୟ ରମାକାନ୍ତ ଜେନା, ସଂଯୁକ୍ତା ମଲ୍ଲିକ, ପ୍ରଶାନ୍ତ ମହାପାତ୍ର, ବିକାଶ ରାଉତ ପ୍ରମୁଖ ଆଲୋଚନା ସମୟରେ ଉପସ୍ଥିତ ରହି ସହଯୋଗ କରିଥିଲେ।