Odiapua.com

ପିତାନାଉ ଓ ଦଲକି ଗ୍ରାମକୁ ରାଜସ୍ୱ ଗ୍ରାମର ମାନ୍ୟତା ଦେବା ନିମନ୍ତେ ଗ୍ରାମସଭା

ହାଟଡ଼ିହି,୨୮/ ୭/ : (ଓଡିଆପୁଅ / ବିକାଶ ବିଶ୍ୱାଳ) କେନ୍ଦୁଝର ଜିଲ୍ଲାର ହଦଗଡ ହସ୍ତୀ ଅଭୟାରଣ୍ୟ ଭିତରେ ରହୁଥିବା ଦଲକି ଓ ପିତାନାଉ ଗ୍ରାମକୁ ୨୦୦୬ ଜଂଗଲ ଅଧିକାର ଆଇନ ବଳରେ ରାଜସ୍ୱ ଗ୍ରାମରେ ପରିବର୍ତ୍ତନ କରିବା ନିମନ୍ତେ ସ୍ୱତନ୍ତ୍ର ଗ୍ରାମସଭା ଅନୁଷ୍ଠିତ ହୋଇଯାଇଛି । ପିତାନାଉ ଗ୍ରାମର ଗଜାତୋଟା ପଡିଆ ଓ ଦଲକିର ହୋ ସାହି ପଡିଆ ଠାରେ ସରପଞ୍ଚ ଅଶୋକ ଯେନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସ୍ୱତନ୍ତ୍ର ଗ୍ରାମସଭାରେ ଜିଲ୍ଲାପରିଷଦ ସଦସ୍ୟା ଟିକି କିସ୍କୁ, ପୁର୍ବତନ ଜିଲ୍ଲାପରିଷଦ ସଦସ୍ୟ ସୋମନାଥ ଦାସ, ପୁର୍ବତନ ଜିଲ୍ଲାପରିଷଦ ସଦସ୍ୟ ବିଜୟ କୁମାର ରାଉତ, ପୁର୍ବତନ ସରପଞ୍ଚ ମଦନ ମୋହନ ନନ୍ଦି, ହଦଗଡ ରାଜସ୍ୱ ନିରୀକ୍ଷକ ସନ୍ତୋଷ କୁମାର ନାୟକ, ବ୍ଲକ ମଙ୍ଗଳ ଅଧିକାରୀ ଆଲୋକ ମାଝୀ, ଜିଆରଏସ ଗୋଲଖ ନାଇକ, ୱାର୍ଡସଭ୍ୟ ତୁଳସୀ ଚନ୍ଦ୍ର ପଇଦା ପ୍ରମୁଖ ଯୋଗଦେଇ ଜଂଗଲ ଭିତରେ ରହିଥିବା ଏହି ଗ୍ରାମ ଗୁଡିକୁ ରାଜସ୍ୱ ଗ୍ରାମର ମାନ୍ୟତା ଦେବାପାଇଁ ଦାବି ଉପସ୍ଥାପିତ କରିଥିଲେ । ଏହି ସବୁ ଗ୍ରାମର ଲୋକମାନେ ୧୯୭୧ ମସିହାରେ ହଦଗଡ ସାଳନ୍ଦୀ ନଦୀବନ୍ଧ ନିର୍ମାଣ ସମୟରେ ବିସ୍ଥାପିତ ହୋଇ ବଣପାହାଡ ଘେରା ଦଲକି, ପିତାନାଉ ପ୍ରଭୃତି ଗ୍ରାମରେ ରହି ଆସୁଛନ୍ତି । ରାଜସ୍ୱ ଗ୍ରାମ ହୋଇନଥିବାରୁ ସେମାନେ ସରକାରଙ୍କ ବିଭିନ୍ନ ଜନହିତକର ଯୋଜନାରୁ ବଞ୍ଚିତ ହୋଇ ଆସୁଛନ୍ତି । ଗାଁକୁ ରାସ୍ତାଘାଟ, ପାନୀୟଜଳ, ସ୍ୱାସ୍ଥ୍ୟ ଓ ବିଦ୍ୟୁତ ଆଦି ବିକାଶ ମୁଳକ କାର୍ଯ୍ୟ ହୋଇପାରୁ ନାହିଁ । ଫଳରେ ଏହିସବୁ ଗ୍ରାମର ଲୋକମାନେ ଅବହେଳିତ ହୋଇ ରହି ଆସିଛନ୍ତି । ଏନେଇ ଗ୍ରାମବାସୀମାନେ ବାରମ୍ବାର ପ୍ରଶାସନକୁ ନିବେଦନ କରିବାପରେ ପ୍ରଶାସନ କୌଣସି କର୍ଣ୍ଣପାତ ନକରିବାରୁ ଗ୍ରାମବାସୀମାନେ ବାଧ୍ୟହୋଇ ରାଜ୍ୟପାଳଙ୍କ ନିକଟରେ ଏନେଇ ଅଭିଯୋଗ କରିଥିଲେ । ରାଜ୍ୟପାଳ ଏ ସମ୍ପର୍କରେ ପଦକ୍ଷେପ ନେବାକୁ ସରକାରଙ୍କୁ ନିର୍ଦ୍ଦେଶ ଦେବାପରେ ସରକାରଙ୍କ ନିର୍ଦ୍ଦେଶ ଅନୁଯାଇ କେନ୍ଦୁଝର ଜିଲ୍ଲାପାଳଙ୍କ ଜ୍ଞାପନ ସଂଖ୍ୟା ୬୯୯ତା ୭/୪/୨୦୨୧ଅନୁଯାଇ ହଦଗଡ ସରପଞ୍ଚ ଏହି ଗ୍ରାମସଭା ଡକାଇଥିଲେ । ଏଥିରେ ଦଲକି, ପିତାନାଉ ଦୁଇଟି ଗ୍ରାମର ହେମନ୍ତ ବେହେରା, ଗୋବିନ୍ଦ ଦଣ୍ଡପାଟ, ସହଦେବ ବେହେରା, ଅଇବଲ କପଣ୍ଡିଆ, ସନ୍ତୋଷ ଖଟୁଆ, ଧନେଶ୍ୱର ମଢ଼େଇ, କିର୍ତ୍ତନ କପଣ୍ଡିଆ, ଭାଗିରଥି ପଇଦା, ବିରଞ୍ଚି ଖଟୁଆ, ହରିହର ପଇଦା, ରମାକାନ୍ତ କଲପାଳିଆ, ମିଶ୍ରଦେବ ବେହେରା, ଧନେଶ୍ୱର କପୁଣ୍ଡିଆ, ବିଜୟ କୁମାର ପ୍ରଧାନ, ବାମନ ନାଇକ, ବୁଧଦେବ ଖଟୁଆ, ଇନ୍ଦ୍ରମଣି ପଇଦା, ରବିନ୍ଦ୍ର ଖଟୁଆ, ଅକ୍ଷୟ ମଢ଼େଇ, ଜଗନ୍ନାଥ ଖଟୁଆ, ଶଙ୍କର୍ଷଣ ବଂଶିଳିଆ, ପଞ୍ଚାନନ ଖଟୁଆ, ଗାନ୍ଧୀ ଦଣ୍ଡପାଟଙ୍କ ସମେତ ଶହଶହ ଗ୍ରାମବାସୀ ଯୋଗଦେଇ ସେମାନଙ୍କର ଦାବି ଉପସ୍ଥାପିତ କରିଥିଲେ । ଜଂଗଲ ଅଧିକାର ଆଇନି ୨୦୦୬ ଧାରା (୩୧)ଜ ଅନୁଯାଇ ଜଂଗଲ ଗ୍ରାମ, ଅଣ ସର୍ବେକ୍ଷଣ ହୋଇଥିବା ଗ୍ରାମ କିମ୍ବା ପୁରୁଣା ଜନବସତିକୁ ରାଜସ୍ୱ ମାନ୍ୟତା ମିଳିପାରିବାର ଥିବାରୁ ସେମାନଙ୍କ ଗ୍ରାମକୁ ରାଜସ୍ୱ ଗ୍ରାମର ମାନ୍ୟତା ଦିଆଯାଉ ବୋଲି ଦାବି କରିଥିଲେ । ଆର.ସି.ବି.ସି ସ୍ୱେଚ୍ଛାସେବୀ ସଂଗଠନର କାର୍ଯ୍ୟକାରୀ ଅଧିକାରୀ ଆନନ୍ଦ ଚନ୍ଦ୍ର ସେଠୀ ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ହଦଗଡ ପଞ୍ଚାୟତର ଅନ୍ୟ ଦୁଇଟି ଗାଁ ସୁଜୁନାପାଳ, ରତ୍ନମରା ଗ୍ରାମକୁ ରାଜସ୍ୱ ଗ୍ରାମର ମାନ୍ୟତା ଦେବାପାଇଁ ଆସନ୍ତାକାଲି ଗ୍ରାମସଭା ଅନୁଷ୍ଠିତ ହେବ ବୋଲି ସରପଞ୍ଚ ଅଶୋକ ଯେନା ସୁଚନା ଦେଇଛନ୍ତି ।