Odiapua.com

ପିକ୍‌ଅପ୍ ଧକ୍କାଦେଲା ବାଇକ୍‌କୁ, ଯୁବକ ମୃତ୍ୟୁ, ବାସୁଦେବପୁରର ପଦ୍ମପୁର ଠାରେ ଉତ୍ତ୍ୟକ୍ତ ଲୋକଙ୍କ ରାସ୍ତାରୋକ

ଭଦ୍ରକ, ୧୨ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ଭଦ୍ରକ ଜିଲାର ବାସୁଦେବପୁର ବ୍ଲକ୍ ଅଧୀନସ୍ଥ ପଦ୍ମପୁର ଠାରେ ଏକ ସଡକ ଦୁର୍ଘଟଣା ଘଟି ଜଣେ ଯୁବକର ମୃତ୍ୟୁକୁ ନେଇ ସ୍ଥାନୀୟ ଅଂଚଳ ଲୋକେ ନିଆଁ ଜାଳି ରାସ୍ତାରୋକ କରିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି । ପ୍ରାପ୍ତ ଖବରରୁ ଯାହା ଜଣାଯାଏ ଭଦ୍ରକରୁ ବାସୁଦେବପୁରକୁ ଯାଉଥିବା ମୁଖ୍ୟ ରାସ୍ତା ପଦ୍ମପୁର ଠାରେ ପଦ୍ମପୁର ପଂଚାୟତ ରୁକୁଣାଦେଇପୁର ଗ୍ରାମର ଧନେଶ୍ୱର ବାରିକଙ୍କ ପୁତ୍ର ଆଲୋକ ପୋଲର ବାମପାଶ୍ୱର୍ରେ ମୋଟର ସାଇକେଲ୍ ରଖି ଠିଆ ହୋଇଥିବାବେଳେ ବାସୁଦେବପୁରରୁ ଦ୍ରୁତ ଗତିରେ ଆସୁଥିବା ଏକ ପିକ୍‌ଅପ୍ ଭ୍ୟାନ୍ ତାଙ୍କୁ ଧକ୍କା ଦେଇ ପୋଲ ତଳ ପାଣିରେ ପଡିଥିଲା । ଏହି ଦୁର୍ଘଟଣା ଘଟାଇବା ପରେ ସଂପୃକ୍ତ ଗାଡିର ଚାଳକ ସେଠାରୁ ଫେରାର ହୋଇଯାଇଥିବାବେଳେ ସ୍ଥାନୀୟ ଲୋକେ ଆଲୋକକୁ ଗୁରୁତର ଭାବେ ଏକ ଟାଟା ମ୍ୟାଜିକ୍ ଯୋଗେ ଭଦ୍ରକ ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ । ମାତ୍ର ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଥିଲେ । ଏହି ଘଟଣାକୁ ନେଇ ଆଜି ସ୍ଥାନୀୟ ଲୋକେ ଭଦ୍ରକ ବାସୁଦେବପୁର ମୁଖ୍ୟରାସ୍ତାର ପଦ୍ମପୁର ଠାରେ ଟାୟାର ଜାଳି ରାସ୍ତାରୋକ କରିଥିଲେ । ପରେ ଖବର ପାଇ ପୁଲିସ୍ ପ୍ରଶାସନ ସେଠାରେ ପହଞ୍ôଚ ଲୋକଙ୍କୁ ବୁଝାସୁଝା କରିବା ପରେ ଏହି ରାସ୍ତାରୋକ ପ୍ରତ୍ୟାହୃତ ହୋଇଥିବା ଜଣାପଡିଛି ।