Odiapua.com

ପିଏମ୍ ଗ୍ରାମୀଣ ଆବାସ ଯୋଜନାରେ ପକ୍ଷପାତିତା ନକରି ଯୋଗ୍ୟ ହିତାଧିକାରୀ ଚୟନ କରି ବାସଗୃହ ବଂଟନ କରିବାକୁ ରାଜ୍ୟ ସରକାରଙ୍କୁ ଦିଅନ୍ତୁ ନିର୍ଦ୍ଦେଶ – ବିଜେପି ସାଂସଦ

– କେନ୍ଦ୍ର ଗ୍ରାମୀଣ ବିକାଶ ଓ ପଂଚାୟତିରାଜ ମନ୍ତ୍ରୀଙ୍କୁ ଭେଟି ଦାବି ପତ୍ର ଦେଲେ ଓଡିଶାର ବିଜେପି ସାଂସଦ
– କେନ୍ଦ୍ର ସରକାରଙ୍କୁ ବଦନାମ୍ କରିବା ପାଇଁ ଓଡ଼ିଶା ସରକାର ଜାଣିଶୁଣି ଘର ଆବଂଟନରେ ଅବହେଳା କରି ଆସୁଛନ୍ତି
– ନିକଟରେ ସମ୍ପ୍ରସାରିତ ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନାରେ ଯୋଗ୍ୟ ହିତାଧିକାରୀଙ୍କୁ ସ୍ୱଚ୍ଛତାର ସହ ଆବାସ ପ୍ରଦାନ କରାଯାଉ
– ଆବାସ ପ୍ଲସରେ ୬ ଥର ସମୟ ସୀମା ବୃଦ୍ଧି ପରେ ମଧ୍ୟ ଓଡିଶା ସରକାର ନିଜର ଦାୟିତ୍ୱ ପୂରଣ ନକରି କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି
– ଶାସକ ଦଳର ଭୋଟ ହାର ଅଧିକ ଥିବା ଜିଲ୍ଲା ପାଇଁ ଘର ଆବଂଟନ କରି ଆକାଂକ୍ଷୀ ଓ ଜନଜାତି ଅଂଚଳକୁ ନଗଣ୍ୟ କରାଯାଇଛି
– ଓଡ଼ିଶା ସରକାର ନିଜ ଆବାସ ଯୋଜନାର ହିତାଧିକାରୀଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପରମାନେଟ୍ ୱେଟିଂ୍ ଲିଷ୍ଟରେ ସାମିଲ କରୁଛନ୍ତି
– ପ୍ରଧାନମନ୍ତ୍ରୀ ଆବାସ ଗ୍ରାମୀଣ ଯୋଜନା ମାଧ୍ୟମରେ ନିଜର ଯୋଜନା ପାଇଁ ପାଣ୍ଠି ଯୋଗାଡ କରୁଛନ୍ତି
– ରାଜ୍ୟରେ ଘର ବଂଟନ ଏବଂ ଅଯୋଗ୍ୟ ହିତାଧିକାରୀଙ୍କୁ ପାଣ୍ଠି ସ୍ଥାନାନ୍ତର କରିବାରେ ୧ ହଜାର କୋଟି ଟଙ୍କା ଠକେଇ ହୋଇଥିବା କେନ୍ଦ୍ରୀୟ ରିପୋର୍ଟରୁ ଜଣାପଡିଛି

ନୂଆଦିଲ୍ଲୀ/ଭୁବନେଶ୍ୱର, ଡ଼ିସେମ୍ବର ୧୬ (ଓଡ଼ିଆ ପୁଅ) –କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡାଙ୍କ ନେତୃତ୍ୱରେ ରାଜ୍ୟ ବିଜେପି ସାଂସଦର ପ୍ରତିନିଧି ମଣ୍ଡଳି ଗୁରୁବାର ନୂଆଦିଲ୍ଲୀ ଠାରେ କେନ୍ଦ୍ର ଗ୍ରାମୀଣ ବିକାଶ ଏବଂ ପଂଚାୟତିରାଜ ମନ୍ତ୍ରୀ ଶ୍ରୀ ଗିରିରାଜ ସିଂହଙ୍କୁ ଭେଟି ରାଜ୍ୟ ସରକାରଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପକ୍ଷପାତିତା ନକରି ଯୋଗ୍ୟ ହିତାଧିକାରୀ ଚୟନ କରି ବାସଗୃହ ବଂଟନ କରିବାକୁ ନିର୍ଦ୍ଦେଶ ଦେବାକୁ ଦାବି କରିଛନ୍ତି।

ଏହି ପ୍ରତିନିଧି ମଣ୍ଡଳୀ ମଧ୍ୟରେ ଶ୍ରୀ ପଣ୍ଡାଙ୍କ ସହିତ ସାଂସଦ ପ୍ରତାପ ଷଡଙ୍ଗୀ, ସୁରେଶ ପୂଜାରୀ, ନୀତିଶ ଗଙ୍ଗଦେବ, ସଙ୍ଗୀତା ସିଂହଦେଓ ଏବଂ ଅପରାଜିତା ଷଡଙ୍ଗୀ ପ୍ରମୁଖ ଉପସ୍ଥିତ ଥିଲେ।

ସାଂସଦମାନେ ଦାବି କରିଛନ୍ତି ଯେ ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନା ଏବଂ ରାଜ୍ୟ ସରକାରଙ୍କ ପକ୍କା ଘର ଯୋଜନାର ହିତାଧିକାରୀଙ୍କ ଡୁପ୍ଲିକେସନ ନ ହେବା ଦିଗରେ ବ୍ୟାପକ ବ୍ୟବସ୍ଥା ପ୍ରସ୍ତୁତ ହେଉ। ଯୋଜନାର ସ୍ପଷ୍ଟ ସୀମାରେଖା ପ୍ରସ୍ତୁତ କରାଯାଉ। ଯାହା ଦ୍ୱାରା ସମ୍ମିଶ୍ରଣ ନାଁରେ କେନ୍ଦ୍ରୀୟ ଯୋଜନାକୁ ନିଜ ଯୋଜନା ନାଁରେ ହଡପ୍ କରିବାର କୌଣସି ସୁଯୋଗ ରହିବ ନାହିଁ। ଏହାବ୍ୟତିତ ଭାରତ ସରକାର ୨୦୨୪ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନାର ସମ୍ପ୍ରସାରଣ କରିଥିବା ବେଳେ ଓଡିଶାରେ ଥିବା ଯୋଗ୍ୟ ପରିବାରଙ୍କୁ ସ୍ୱଚ୍ଛତାର ସହ ଆବାସ ପ୍ରଦାନ କରିବା ପାଇଁ ସାଂସଦମାନେ ଦାବି କରିଛନ୍ତି।

ଦାବି ପତ୍ରରେ ଉଲ୍ଲେଖ ରହିଛି ଯେ, ସମସ୍ତଙ୍କୁ ପକ୍କା ଘର ଦେବା ଲକ୍ଷ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ପ୍ରଧାନମନ୍ତ୍ରୀ ଆବାସ ଗ୍ରାମୀଣ ଯୋଜନା କରାଯାଇଛି। ନିକଟରେ ଭାରତ ସରକାର କେନ୍ଦ୍ରୀୟ ଅଂଶ ବଜେଟ୍ ଅନୁଦାନ ୧.୨୫ ଲକ୍ଷ କୋଟି ସହ ୨୦୨୪ ପର୍ଯ୍ୟନ୍ତ ଏହି ଯୋଜନାର ସମ୍ପ୍ରସାରଣ କରିଛନ୍ତି। ଏହାବ୍ୟତିତ ଏସଇସିସି ତାଲିକାରେ ଥିବା ପାଖାପାଖି ୯୩ ଲକ୍ଷ ପରିବାରକୁ ଏହି ଯୋଜନାରେ ଅନ୍ତର୍ଭୃକ୍ତ କରିବାର ଲକ୍ଷ୍ୟ ରଖାଯାଇଛି। କେନ୍ଦ୍ର ଗ୍ରାମୀଣ ବିକାଶ ଏବଂ ପଂଚାୟତିରାଜ ମନ୍ତ୍ରଣାଳୟ ୨୦୨୧ ନଭେମ୍ବର ସୁଦ୍ଧା ଦେଶରେ ୧.୬୫ କୋଟି ଘର ନିର୍ମାଣ କରାଯାଇଛି ଏବଂ ଏହା ଦେଶର କୋଟି କୋଟି ପରିବାରକୁ ସମ୍ମାନ ଦେଇଛି। ସେହିପରି ଓଡ଼ିଶାରେ ମଧ୍ୟ ପ୍ରାୟ ୨୭ ଲକ୍ଷ ହିତାଧିକାରୀ ଏହି ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନାରେ ଉପକୃତ ହୋଇଛନ୍ତି।

ଭାରତ ସରକାର ରାଜ୍ୟ ସରକାରଙ୍କ ପାଇଁ ସମୟ ସୀମାକୁ ବୃଦ୍ଧି କରି ଅତିରିକ୍ତ ଯୋଗ୍ୟ ହିତାଧିକାରୀ, ଯେଉଁମାନେ ଏସଇସିସି ତାଲିକାରୁ ବାଦ୍ ପଡ଼ୁଥିଲେ, ପରମାନେଟ୍ ୱେଟିଂ ଲିଷ୍ଟରେ ସାମିଲ କରିବା ପାଇଁ ଅନୁମତି ଦେଇଥିଲେ। ଅଣ-ଅନ୍ତର୍ଭୁକ୍ତ ପରିବାରର ଯୋଗ୍ୟତା ଚିହ୍ନଟ ଏବଂ ମୂଲ୍ୟାଙ୍କନ କରିବା ପାଇଁ ଆବାସ ପ୍ଲସ ସର୍ଭେ ପାଇଁ ପ୍ରାରମ୍ଭିକ ସମୟସୀମା ୩୧ ମାର୍ଚ୍ଚ, ୨୦୧୮ ଥିଲା। ପ୍ରଥମେ ୩୦ ଜୁନ୍‌, ୨୦୧୮, ଏହାପରେ ୩୦ ସେପ୍ଟେମ୍ବର, ୨୦୧୮, ୩୦ ନଭେମ୍ବର, ୨୦୧୮ ଏବଂ ଶେଷରେ ୭ ମାର୍ଚ୍ଚ, ୨୦୧୯ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିଲା।

ଅନୁରୂପ ଭାବରେ ବାତ୍ୟା ଫନୀ କାରଣରୁ ଆବାସ ପ୍ଲାସ ପ୍ଲାଟଫର୍ମରେ ଓଡ଼ିଶାକୁ ଦୁଇଟି ସ୍ପେଶାଲ ୱିଣ୍ଡୋରେ ଅଧିକ ଯୋଗ୍ୟ ପରିବାର ବର୍ଗଙ୍କୁ ସାମିଲ କରିବା ପାଇଁ ଅନୁମତି ଦିଆଯାଇଥିଲା। ପ୍ରଥମେ ୨୭ ଅଗଷ୍ଟ ୨୦୧୯ରୁ ୧୦ ଅଗଷ୍ଟ ୨୦୧୯ ଏବଂ ଦ୍ୱିତୀୟ ଥର ୨୫ ସେପ୍ଟେମ୍ବର ୨୦୧୯ରୁ ୦୯ ଅକ୍ଟୋବର ୨୦୧୯ ପର୍ଯ୍ୟନ୍ତ ସମୟ ଦିଆଯାଇଥିଲା। ବାତ୍ୟାରେ ଭାଙ୍ଗି ଯାଇଥିବା କିମ୍ବା କ୍ଷତିଗ୍ରସ୍ତ ହୋଇଥିବା ଘର ଗୁଡ଼ିକୁ ପ୍ରଧାନମନ୍ତ୍ରୀ ଆବାସ ଗ୍ରାମୀଣ ଯୋଜନାରେ ଘର ଯୋଗାଇଦେବା ନେଇ ପ୍ରଧାନମନ୍ତ୍ରୀ ଘୋଷଣା କରିବା ପରେ ରାଜ୍ୟର ୧୪ଟି ଫନୀ ପ୍ରଭାବିତ ଜିଲ୍ଲା ଯଥା ଅନୁଗୁଳ, ବାଲେଶ୍ୱର, ଭଦ୍ରକ, କଟକ, ଢେଙ୍କାନାଳ, ଗଞ୍ଜାମ, ଜଗତସିଂହପୁର, ଯାଜପୁର, କେନ୍ଦ୍ରାପଡ଼ା, କେନ୍ଦୁଝର, ଖୋର୍ଦ୍ଧା, ମୟୁରଭଞ୍ଜ, ନୟାଗଡ଼ ଏବଂ ପୁରୀକୁ ଆବାସ ପ୍ଲସ ପ୍ଲାଟଫର୍ମରେ ସାମିଲ ହେବା ଏବଂ ସଂଶୋଧନ ପାଇଁ ଅନୁମତି ମିଳିଥିଲା। ପ୍ରଧାନମନ୍ତ୍ରୀଙ୍କ ଏହି ପଦକ୍ଷେପ ରାଜ୍ୟର ୩.୮୯ ଲକ୍ଷ ପରିବାରକୁ ଗୃହ ଯୋଗାଇଥିଲା।

ଭାରତ ସରକାରଙ୍କ ସମସ୍ତ ପ୍ରକାର ଉଦ୍ୟମ ଏବଂ ନିରନ୍ତର ସହଯୋଗ ସତ୍ୱେ ସର୍ଭେ କାର୍ଯ୍ୟକୁ ସାରିବା, ଗୃହକୁ ଜିଓ ଟ୍ୟାଙ୍ଗିଂ କରିବା, ଯୋଗ୍ୟ ହିତାଧିକାରୀଙ୍କ ଆଧାରକାର୍ଡ୍ ଓ ଜବ୍ କାର୍ଡକୁ ସଂଯୋଗୀକରଣ କରିବା କାର୍ଯ୍ୟକୁ ୬ ଥର ସମୟ ବୃଦ୍ଧି କରାଯାଇଥିଲେ ମଧ୍ୟ ଓଡ଼ିଶା ସରକାର ନିଜ ଦାୟିତ୍ୱକୁ ପୂରଣ କରିବାରେ ବିଫଳ ହୋଇଛନ୍ତି ଏବଂ ଏବେ ପାଖାପାଖି ୭ ଲକ୍ଷ ପରିବାର ସର୍ଭେରୁ ବାଦ୍ ପଡ଼ିଥିବାର କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି। କିନ୍ତୁ ସତ ହେଉଛି ଓଡ଼ିଶା ସରକାର ବହୁତ ଚାଲାକି ଭାବରେ ନିଜ ଆବାସ ଯୋଜନାର ହିତାଧିକାରୀଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଗ୍ରାମୀଣ ଯୋଜନାରେ ପରମାନେଟ୍ ୱେଟ୍ ଲିଷ୍ଟରେ ସାମିଲ କରୁଛନ୍ତି ଏବଂ କେନ୍ଦ୍ର ଆବାସ ଯୋଜନା ମାଧ୍ୟମରେ ନିଜର ଯୋଜନା ପାଇଁ ପାଣ୍ଠି ଯୋଗାଉଛନ୍ତି।

ରାଜ୍ୟ ସରକାରଙ୍କ ଅବ୍ୟବସ୍ଥା, ଖାମଖିଆଲି ନୀତି, ଅପାରଗତା, ମନୋମୁଖୀ ଶାସନ ତଥା ରାଜ୍ୟରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଆସୁଥିବା ଘର ବାବଦ ଅର୍ଥରେ ଅନିୟମିତା ଓ ଅଯୋଗ୍ୟଙ୍କୁ ଘର ମିଳିବା ପରେ ଦଳ ପକ୍ଷରୁ ୧୧ ଫେବୃୟାରୀ ୨୦୨୦ରେ ସେ ସମୟରେ କେନ୍ଦ୍ର ଗ୍ରାମୀଣ ବିକାଶ ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ଏବଂ ୧୪ ଜାନୁଆରୀ ୨୦୨୧ରେ ମହାମହିମ ରାଜ୍ୟପାଳଙ୍କ ନିକଟରେ ଏ ସମ୍ପର୍କରେ ବାରମ୍ବାର ଅଭିଯୋଗ କରାଯାଇଥିଲା। ଏହି ପରିପ୍ରେକ୍ଷୀରେ ଭାରତ ସରକାରଙ୍କ ଗ୍ରାମ୍ୟ ବିକାଶ ମନ୍ତ୍ରଣାଳୟଙ୍କ ଦ୍ୱାରା ରାଜ୍ୟରେ ପିଏମ ଆବାସ ଯୋଜନା–ଗ୍ରାମୀଣରେ ବ୍ୟାପକ ଅବ୍ୟବସ୍ଥା ନେଇ ତଦନ୍ତ କରିବା ପାଇଁ ଏକ ସ୍ୱତନ୍ତ୍ର କେନ୍ଦ୍ରୀୟ ଟିମ୍ ଗଠନ କରାଯାଇଥିଲା ଏବଂ ସେହି ଟିମର ରାୟ ଏବଂ ପରାମର୍ଶ ଚିନ୍ତାଜନକ ଓ ଗୁରୁତ୍ୱପୂର୍ଣ୍ଣ ଥିଲା।

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ୟାପକ ଅନିୟମିତା ଏବଂ ଦୁର୍ନୀତିର ଅଭିଯୋଗର ସତ୍ୟାସତ୍ୟ ଜାଣିବା ପାଇଁ ଚଳିତବର୍ଷ ଫେବୃଆରୀ ୯ ରୁ ୧୧ ତାରିଖ ପର୍ଯ୍ୟନ୍ତ କେନ୍ଦ୍ରୀୟ ଗ୍ରାମୀଣ ବିକାଶ ମନ୍ତ୍ରଣାଳୟର ଡେପୁଟି ଡାଇରେକ୍ଟର ଜେନେରାଲ୍ ଶ୍ରୀ ଗୟା ପ୍ରସାଦଙ୍କ ନେତୃତ୍ୱରେ କେନ୍ଦ୍ରୀୟ ଦଳ ଓଡିଶା ଗସ୍ତରେ ଆସି ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନାର ଅନୁଧ୍ୟାନ କରିଥିଲେ।

ତଦନ୍ତରୁ ଏହା ସ୍ପଷ୍ଟ ହୋଇଛି ଯେ ଯୋଗ୍ୟ ହିତାଧିକାରୀଙ୍କୁ ପରମାନେଟ୍ ୱେଟିଂ ଲିଷ୍ଟରୁ ବାଦ ଦିଆଯାଇଛି ଏବଂ ପକ୍କା ଘର ଥିବା ପରିବାର ଅର୍ଥାତ୍ ଅଯୋଗ୍ୟ ହିତାଧିକାରୀଙ୍କୁ ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନା ଅଧୀନରେ ଘର ଯୋଗାଇ ଦିଆଯାଇଛି। ଆୱାସ ସଫ୍ଟରେ ଦିଆଯାଇଥିବା ତଥ୍ୟରେ ବ୍ୟାପକ ଅନିୟମିତତା ଥିବା ସ୍ପଷ୍ଟ ହୋଇଥିଲା। ଏହି ୱେବସାଇଟରେ ଅନେକ ଯୋଗ୍ୟ ପରିବାରକୁ ବାଦ୍ ଦେଇ ଅଯୋଗ୍ୟ ପରିବାରକୁ ପଞ୍ଜିକରଣ କରାଯାଇଛି ଏବଂ ଗୁହାଳକୁ କଚ୍ଚା ଘର ଭାବରେ ଜିଓ ଟ୍ୟାଗ୍ କରାଯାଇଛି। ପୁନଃଯାଂଚ୍ ପରେ ପ୍ରାରମ୍ଭିକ ତାଲିକାରେ ଖୋର୍ଦ୍ଧା ଜିଲ୍ଲା ପାଇଁ ଚିହ୍ନଟ ହୋଇଥିବା ୮୦ ପ୍ରତିଶତ ଘରକୁ ଆୱାସଫ୍ଟ ୱେବସାଇଟରୁ ହଟାଇ ଦିଆଯାଇଥିଲା। ଏହି ତଦନ୍ତକାରୀ ଦଳ ରାଜ୍ୟ ରାଜ୍ୟ ସରକାରଙ୍କ ଦ୍ୱାରା ୱେବସାଇଟରେ ନିର୍ମିତ ଘରର ଡମି/ନକଲି ଏଂଟ୍ରି କରାଯାଇଥିବା ପ୍ରମାଣ ପାଇଥିଲେ। ସେହିପରି କେନ୍ଦ୍ର ସରକାରଙ୍କ ସହାୟତା ସତ୍ୱେ ଫୋନି ବାତ୍ୟାରେ ପ୍ରଭାବିତ ପରିବାର ନିଜ ଖର୍ଚ୍ଚରେ ବାତ୍ୟା ଦ୍ୱାରା ଭାଙ୍ଗି ପଡିଥିବା ଘରର ମରାମତି କରିଥିଲେ।

ଅନୁଧ୍ୟାନରୁ ଜଣାପଡ଼ିଥିଲା ଯେ ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନାର ଲୋଗୋ ଅନେକ ସ୍ଥାନରେ ନଥିଲା, କିଛି ସ୍ଥାନରେ ଲିଭାଇ ଦିଆଯାଇଥିଲା ବେଳେ କିଛି ସ୍ଥାନରେ ଭୁଲରେ ଲଗାଯାଇଥିଲା। ସେହିପରି ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନାର ଷ୍ଟିକର ଛୋଟ ଆକାରରେ ଓ ବିଜୁ ପକ୍କା ଘର ଯୋଜନାର ବଡ଼ ଷ୍ଟିକର ଲଗାଯାଇଥିବା କେନ୍ଦ୍ରୀୟ ଟିମ୍ ପକ୍ଷରୁ ପ୍ରକାଶ କରାଯାଇଛି। ଏହି ବାବଦରେ ଗ୍ରାମୀଣ ବିକାଶ ମନ୍ତ୍ରଣାଳୟ ଦ୍ୱାରା ରାଜ୍ୟ ସରକାରଙ୍କୁ କେବଳ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ଲୋଗୋ ଲଗାଇବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା ଏବଂ ଦର୍ଶାଯାଇଥିଲା ଯେ ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନାର ଷ୍ଟିକର ବ୍ୟବହାର ନକଲେ ହିତାଧିକାରୀଙ୍କ ମଧ୍ୟରେ ଏହି ଯୋଜନା ବିଷୟରେ ଭୁଲ ବୁଝାମଣା ରହିବ। ଏହା ମଧ୍ୟ ଜଣାପଡ଼ିଥିଲା ଯେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ପାଣ୍ଠିକୁ ଅନ୍ୟ କାହାକୁ ହସ୍ତାନ୍ତର କରିବା ପାଇଁ ପ୍ରକୃତ ହିତାଧିକାରୀଙ୍କ ବ୍ୟାଙ୍କ୍ ନମ୍ବରକୁ ପରିବର୍ତ୍ତନ କରାଯାଇଛି। ଫଳସ୍ୱରୂପ ପ୍ରକୃତ ହିତାଧିକାରୀ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ଆର୍ôଥକ ଅନୁଦାନ ପାଇବାରୁ ବଂଚିତ ହୋଇଛନ୍ତି।

ଅନୁସନ୍ଧାନକାରୀ ଦଳ ଓଡ଼ିଶାରେ ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନାରେ ହିତାଧିକାରୀଙ୍କ ବିଷୟରେ ଆୱାସ ସଫ୍ଟ ୱେବସାଇଟ୍ ତଥ୍ୟକୁ ବିସ୍ତୁତ ଭାବରେ ବିଶ୍ଳେଷଣ କରିଥିଲେ ଏବଂ ଜାଣିବାକୁ ପାଇଥିଲେ ଯେ ଆବାସ ସଫ୍ଟ ଡାଟାବେସରେ ବିଡ଼ିଓଙ୍କ ଦ୍ୱାରା ୯୮, ୫୬୨ ହିତାଧିକାରୀଙ୍କୁ ମାନୁଆଲ ଓଭରରାଇଡରେ ପାଣ୍ଠି ହସ୍ତାନ୍ତର କରାଯାଇଛି, ଯାହା ଦୁର୍ନୀତି ଆଡକୁ ଇଙ୍ଗିତ କରୁଛି। ଏହାର ଅର୍ଥ ଘର ବଂଟନ ଏବଂ ଅଯୋଗ୍ୟ ହିତାଧିକାରୀଙ୍କୁ ପାଣ୍ଠି ସ୍ଥାନାନ୍ତର କରିବାରେ ୧ ହଜାର କୋଟି ଟଙ୍କା ଠକେଇ ହୋଇଥିବା ସ୍ପଷ୍ଟ ହୋଇଛି।

କେନ୍ଦ୍ର ସରକାର ୨୦୨୧-୨୨ ଆର୍ôଥକ ବର୍ଷରେ ଚୂଡ଼ାନ୍ତ ଆବାସ ପ୍ଲସ ତାଲିକାରୁ ୮ ଲକ୍ଷ ୧୭ ହଜାର ୫୧୩ ଘର ନିର୍ମାଣର ଲକ୍ଷ୍ୟ ରଖିଥିଲେ। ସେଥିରୁ ରାଜ୍ୟ ସରକାର ଜିଲ୍ଲାୱାରୀ ଆବଂଟନରେ ନିଜର ଭୋଟ ହାର ଅଧିକ ଥିବା ଜିଲ୍ଲା ପାଇଁ ଅଧିକ ଘର ଆବଂଟନ କରିଥିଲେ। ଅପରପକ୍ଷରେ ୮ ଲକ୍ଷ ୧୭ ହଜାର ୫୧୩ ଆବଂଟି ତ ଘର ମଧ୍ୟରୁ ଜନଜାତି ବହୁଳ ଏବଂ ମାଓବାଦୀ ଅଂଚଳ ପରିଗଣିତ ବୌଦ୍ଧ, ବରଗଡ଼, ବଲାଙ୍ଗୀର, କଳାହାଣ୍ଡି, କୋରାପୁଟ, ନବରଙ୍ଗପୁର, ରାୟଗଡ଼ା, ସମ୍ବଲପୁର, ସୁନ୍ଦରଗଡ଼, ଝାରସୁଗୁଡ଼ା, ଗଜପତି, କନ୍ଧମାଳ, ଦେବଗଡ଼ ଏବଂ ସୋନପୁର ଇତ୍ୟାଦି ୧୪ଟି ଜିଲ୍ଲାକୁ ମାତ୍ର ୬ ହଜାର ୬୪୮ ଘର ପ୍ରଦାନ କରାଯାଇଥିଲା, ଯାହା ମୋଟ ଆବଂଟନ ହାରର ୧ ପ୍ରତିଶତ। ଏହାବ୍ୟତିତ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅଧିକାଂଶ ଆକାଂକ୍ଷୀ, ଜନଜାତି ଜିଲ୍ଲା ତଥା ବରଗଡ, ବଲାଙ୍ଗୀର, ବୌଦ୍ଧ, କଳାହାଣ୍ଡି, କୋରାପୁଟ, ନବରଙ୍ଗପୁର, ରାୟଗଡ଼ା, ସମ୍ବଲପୁର ଓ ସୁନ୍ଦରଗଡ ଆଦି ୯ଟି ଜିଲ୍ଲାରେ ଘର ଆବଂଟନ ଶୂନ ରହିଛି। ଓଡ଼ିଶା ସରକାର ଜାଣିଶୁଣି ଏହି ସବୁ ଜିଲ୍ଲାକୁ ଘର ଆବଣ୍ଟନରେ ଅବହେଳିତ କରି ଆସୁଛନ୍ତି ଏବଂ ଏବେ ସ୍ୱତନ୍ତ୍ର ୱିଣ୍ଡୋ ବ୍ୟବସ୍ଥା ମାଧ୍ୟମରେ ସେମାନଙ୍କୁ ଅନ୍ତର୍ଭୃକ୍ତ କରିବା ପାଇଁ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି।

ଦକ୍ଷିଣ ଏବଂ ପଶ୍ଚିମ ଓଡ଼ିଶାର ପ୍ରଧାନମନ୍ତ୍ରୀ ଆବାସ ଗ୍ରାମୀଣ ଯୋଜନାର ହିତାଧିକାରୀଙ୍କୁ ଜିଓ ଟ୍ୟାଙ୍ଗିଂ ହୋଇନଥିବା କିମ୍ବା ଆବାସ ପ୍ଲସ ସଫ୍ଟ ଓୟାରରେ ଆଧାର ଓ ଜବ୍ କାର୍ଡ୍ ଲିଙ୍କ୍ ହୋଇନଥିବା କାରଣରୁ ପରମାନେଟ୍ ୱେଟିଂ ଲିଷ୍ଟରେ ଥାଇ ମଧ୍ୟ ଆବାସ ମିଳିପାରିନାହିଁ। ଏହାବ୍ୟତିତ କିଛି ଯୋଗ୍ୟ ହିତାଧିକାରୀ ମଧ୍ୟ ଆବାସ ପ୍ଲାଟଫର୍ମରୁ ବଂଚିତ ହୋଇଛନ୍ତି ବୋଲି ଦାବି ପତ୍ରରେ ଉଲ୍ଲେଖ କରିଛି।