Odiapua.com

ପିଆଜ ଦର ଏବଂ ଉପଲବ୍ଧତା ସମୀକ୍ଷା କଲେ କେନ୍ଦ୍ର ଉପଭୋକ୍ତା ବ୍ୟାପାର, ଖାଦ୍ୟ ଓ ସାଧାରଣ ବଂଟନ ମନ୍ତ୍ରୀ ଶ୍ରୀ ରାମ ବିଳାସ ପାଶ୍ୱାନ

– ବର୍ଷା କାରଣରୁ ପିଆଜ ଉତ୍ପାଦନ ଓ ଯୋଗାଣ ପ୍ରଭାବିତ
– ରପ୍ତାନି ଉପରେ କଟକଣା, ଆମଦାନୀ ନିୟମ କୋହଳ
– ବିଦେଶରୁ ପିଆଜ ଆମଦାନୀ ଲାଗି ଭାରତୀୟ ମିଶନଙ୍କୁ ନିର୍ଦ୍ଦେଶ

ନୂଆ ଦିଲ୍ଲୀ ୭-୧୧ (ଓଡ଼ିଆ ପୁଅ) କେନ୍ଦ୍ର ଉପଭୋକ୍ତା ବ୍ୟାପାର, ଖାଦ୍ୟ ଏବଂ ସାଧାରଣ ବଂଟନ ମନ୍ତ୍ରୀ ଶ୍ରୀ ରାମବିଳାସ ପାଶ୍ୱାନ ଆଜି ସାରା ଦେଶରେ ପିଆଜ ଦର ବୃଦ୍ଧି ଏବଂ ଉପଲବ୍ଧତାର ସମୀକ୍ଷା କରିଛନ୍ତି। ଉପଭୋକ୍ତା ବ୍ୟାପାର ସଚିବ ଶ୍ରୀ ଅବିନାଶ କେ ଶ୍ରୀବାସ୍ତବ, ଖାଦ୍ୟ ସଚିବ ଶ୍ରୀ ରବି କାନ୍ତଙ୍କ ସମେତ ମନ୍ତ୍ରଣାଳୟର ଅନ୍ୟ ବରିଷ୍ଠ ଅଧିକାରୀମାନଙ୍କ ସହିତ ପ୍ରାୟ ଦୁଇ ଘଂଟା ଧରି ଏହି ସମୀକ୍ଷା କରାଯାଇଥିଲା।

ଦେଶରେ ପିଆଜ ଦର ବୃଦ୍ଧିର କାରଣ ଏବଂ ଏହାର ମୁକାବିଲା ଲାଗି ସରକାର ଦ୍ୱାରା ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ବୈଠକରେ ସମୀକ୍ଷା କରାଯାଇଥିଲା। ବୈଠକରେ ସୂଚନା ଦିଆଯାଇଥିଲା ଯେ ବିଶେଷ କରି ମହାରାଷ୍ଟ୍ରରେ ମୌସୁମୀ ବିଳମ୍ବ ହେବା କାରଣରୁ ଠିକ ସମୟରେ ପିଆଜ ବିହନ ଲଗାଇବା ସମ୍ଭବପର ହୋଇନଥିଲା। ଫଳରେ ମଣ୍ଡିରେ ଉତ୍ପାଦିତ ପିଆଜ ପହଁଚିବାରେ ମଧ୍ୟ ଡେରି ହୋଇଥିଲା। ଏହାଛଡ଼ା ରାଜ୍ୟରେ ଦୁଇଟି ବାତ୍ୟା କାରଣରୁ ହୋଇଥିବା ଅଦିନିଆ ବର୍ଷାର ପ୍ରଭାବ ସାମଗ୍ରିକ ପିଆଜ ଉତ୍ପାଦନ ଉପରେ ପଡ଼ିଥିଲା ଏବଂ ଏହା ମଧ୍ୟ ପିଆଜ ପରିବହନକୁ ପ୍ରଭାବିତ କରିଥିଲା।

ବୈଠକ ପରେ ଶ୍ରୀ ପାଶ୍ୱାନ ଗଣମାଧ୍ୟମକୁ ସୂଚନା ଦେଇ କହିଥିଲେ ଯେ ପିଆଜ ଦର ବୃଦ୍ଧି ଉପରେ ଅଂକୁଶ ଲଗାଇବାକୁ କେନ୍ଦ୍ର ସରକାର ସମସ୍ତ ଆବଶ୍ୟକ ପଦକ୍ଷେପ ଗ୍ରହଣ କରୁଛନ୍ତି। ୫୬, ୭୦୦ ଟନ ପିଆଜ ମହଜୁଦ କରି ରଖାଯାଇଛି। ଏଥିମଧ୍ୟରୁ ୧୫୨୫ ଟନ ନାଫେଡ ନିକଟରେ ରହିଛି। ବଜାରରେ ଯଥେଷ୍ଟ ପରିମାଣରେ ପିଆଜ ଉପଲବ୍ଧ କରାଇବା ଉଦ୍ଦେଶ୍ୟରେ ପିଆଜ ରପ୍ତାନି ଉପରେ ଅଂକୁଶ ଜାରି କରାଯାଇଛି। ଖୁଚୁରା ବ୍ୟବସାୟୀଙ୍କ ପାଇଁ ପିଆଜ ମହଜୁଦ କରି ରଖିବାର ସୀମା ୧୦ ମେଟ୍ରିକ ଟନ ରଖାଯାଇଥିବା ବେଳେ ପାଇକାରୀ ବ୍ୟବସାୟୀଙ୍କ ପାଇଁ ଏହି ସୀମା ୫୦ ମେଟ୍ରିକ ଟନ ରଖାଯାଇଛି। ପିଆଜ ଦର ବୃଦ୍ଧିର କାରଣ ସମ୍ପର୍କରେ ସୂଚନା ଦେଇ ଶ୍ରୀ ପାଶ୍ୱାନ କହିଥିଲେ ଯେ ସରକାର ସମସ୍ତ ଆବଶ୍ୟକ ପଦକ୍ଷେପ ଗ୍ରହଣ କରୁଛନ୍ତି, ମାତ୍ର ବର୍ଷା କାରଣରୁ ପିଆଜ ଉତ୍ପାଦନ ୩୦ରୁ ୪୦% ପ୍ରତିଶତ ହ୍ରାସ ପାଇଛି। ପିଆଜ ଯୋଗାଣ ମଧ୍ୟ ବାଧାପ୍ରାପ୍ତ ହୋଇଛି। ଦିଲ୍ଲୀ ମଣ୍ଡିରେ ମଧ୍ୟ ୨୫% ପିଆଜ କମ ପହଁଚିଛି।

କେନ୍ଦ୍ର ସରକାର ପିଆଜ ଆମଦାନୀ ପାଇଁ ଆବଶ୍ୟକ ସୁବିଧା ଯୋଗାଇ ଦେଇଛନ୍ତି। କୃଷି ମନ୍ତ୍ରଣାଳୟ ପକ୍ଷରୁ ରପ୍ତାନି ପାଇଁ ରହିଥିବା ନିୟମ ଓ ସର୍ତାବଳୀକୁ କେତେକ ସର୍ତ ସହିତ ନଭେମ୍ବର ୩୦ ତାରିଖ ପର୍ଯ୍ୟନ୍ତ କୋହଳ କରାଯାଇଛି। ଏହାଦ୍ୱାରା ଗୁଣବତା ଓ ନିରାପତା ସହ ସାଲିସ କରାନଯାଇ ପିଆଜର ଶୀଘ୍ର ଆମଦାନୀ ସୁନିଶ୍ଚିତ ହୋଇପାରିବ। ଆଫଗାନିସ୍ତାନ, ଇଜିପ୍ଟ, ତୁର୍କୀ ଏବଂ ଇରାନରୁ ପିଆଜ ଆମଦାନୀ ପାଇଁ ସେଠାରେ ଥିବା ଭାରତୀୟ ମିଶନକୁ କୁହାଯାଇଛି।

ମଦର ଡାଏରୀ, ସଫଲ ଷ୍ଟୋର ମାଧ୍ୟମରେ ଖୁଚୁରା ବଜାରରେ ସୁଲଭ ଦରରେ ଯଥେଷ୍ଟ ପରିମାଣରେ ପିଆଜ ଯୋଗାଇ ଦେବାକୁ ନାଫେଡକୁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ନାଫେଡର ଅତିରିକ୍ତ ଏମଡିଙ୍କ ନେତୃତ୍ୱରେ ଏକ ଟିମ ମହାରାଷ୍ଟ୍ର ଗସ୍ତ କରି ପିଆଜ ଯୋଗାଣର ସ୍ଥିତି ଅନୁଧ୍ୟାନ କରିବ।