ଭଦ୍ରକ, ୯ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଧାମନଗର ବ୍ଲକ ଅନ୍ତର୍ଗତ ପାଳସାହି ସେବା ସମବାୟ ସମିତିରେ ଦୀର୍ଘ ଚାରି ବର୍ଷ ଧରି ସାଧାରଣ ସଭା (ଜେନେରାଲ ବଡି ମିଟିଂ) ଅନୁଷ୍ଠିତ ହୋଇନଥିବା ଅଭିଯୋଗକୁ ନେଇ ଅଂଚଳବାସୀ ଓ ଚାଷୀମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ପାଳସାହି ଓ ଉଇପୁର ପଂଚାୟତକୁ ନେଇ ଗଠିତ ଏହି ସମିତି ଉପରେ ଅଂଚଳର ଅଧିକାଂଶ ଚାଷୀ ନିର୍ଭରଶୀଳ ଥିବାବେଳେ ନିୟମ ଅନୁଯାୟୀ ପ୍ରତିବର୍ଷ ସାଧାରଣ ସଭା ଅନୁଷ୍ଠିତ ହେବା କଥା। କିନ୍ତୁ ଦୀର୍ଘଦିନ ହୋଇନଥିବାରୁ ସମିତିର କାର୍ଯ୍ୟକଳାପ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।ଗତ ଶୁକ୍ରବାର ଦୁଇ ପଂଚାୟତର ବହୁ ଚାଷୀ ଓ ବିଶିଷ୍ଟ ବ୍ୟକ୍ତି ସମିତି କାର୍ଯ୍ୟାଳୟରେ ପହଂଚି ସଭାପତି ଓ କର୍ମଚାରୀଙ୍କ ସହ ଆଲୋଚନା କରିଥିଲେ। ସମ୍ପାଦକଙ୍କ ଅନୁପସ୍ଥିତିରେ ସଭାପତିଙ୍କ ନିକଟରେ ସାଧାରଣ ସଭା ନ ହେବା, ଅଡିଟ୍ ରିପୋର୍ଟ ଓ ସମିତିର ବିଭିନ୍ନ କାର୍ଯ୍ୟକଳାପ ସମ୍ପର୍କରେ ଚାଷୀମାନେ ଜବାବ ମାଗିଥିଲେ। ସଭାପତିଙ୍କ କହିବା ଅନୁଯାୟୀ, ଅଡିଟ୍ ପ୍ରକ୍ରିୟା ଶେଷ ହୋଇନଥିବାରୁ ସଭା ଡକାଯାଇପାରିନାହିଁ ଏବଂ ଆଗାମୀ କିଛି ମାସ ମଧ୍ୟରେ ସଭା କରିବାକୁ ଚେଷ୍ଟା କରାଯିବ।ତେବେ ସମିତିରେ ଦୀର୍ଘଦିନ ଧରି ବେନିୟମ ଓ ମନମୁଖୀ କାର୍ଯ୍ୟ ଚାଲିଥିବା ନେଇ ଚାଷୀମାନେ ଗୁରୁତର ଅଭିଯୋଗ ଆଣିଛନ୍ତି। ସମ୍ପାଦକ ପ୍ରାୟତଃ ଅନୁପସ୍ଥିତ ରହୁଥ?ିବାବେଳେ ତାଙ୍କ ଜଣେ ସମ୍ପର୍କୀୟ ସମିତିର କାର୍ଯ୍ୟ ପରିଚାଳନା କରୁଥିବା ନେଇ ପ୍ରଶ୍ନ ଉଠିଛି। ସେହିପରି ବର୍ତମାନର ସମ୍ପାଦକ ପୂର୍ବରୁ ଅନ୍ୟ ଏକ ସମବାୟ ସମିତିକୁ ଯାଇଥିବା ପରେ ପୁଣି କେଉଁ ନିୟମ ଅନୁସାରେ ଏଠାରେ ଯୋଗଦେଲେ, ତାହ ମଧ୍ୟ ସନ୍ଦେହ ପ୍ରକାଶ ପାଇଛି।ସବୁଠାରୁ ଗୁରୁତର ଅଭିଯୋଗ ହେଉଛି, ଅନେକ ଚାଷୀଙ୍କ ଅଜାଣତରେ ସେମାନଙ୍କ ନାମରେ ହଜାର ହଜାର ଟଙ୍କାର ଋଣ ଦେଖାଇ ଅର୍ଥ ହଡ଼ପ କରାଯାଇଥିବା ଅଭିଯୋଗ। ଏହାର ଉଚ୍ଚସ୍ତରୀୟ ତଦନ୍ତ କରାଗଲେ ସମିତିରେ ଚାଲିଥିବା ସମସ୍ତ ଅନିୟମିତତା ପଦାକୁ ଆସିବ ଏବଂ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଚାଷୀମାନେ ଦାବି କରିଛନ୍ତି। ଏହି ପ୍ରତିବାଦ ଓ ଆଲୋଚନାରେ ପୂର୍ବତନ ସମିତିସଭ୍ୟ ତଥା ବ୍ଲକ କଂଗ୍ରେସ ସଭାପତି ରମେଶ ଚନ୍ଦ୍ର ବେହେରା, ଚାଷୀ ନେତା କାଶୀନାଥ ମହାନ୍ତି, ବିଜୟ କୁମାର ସୁତାର, ମୃତ୍ୟୁଞ୍ଜୟ ସାହୁ, ସୁରେନ୍ଦ୍ର କୁମାର ମଲ୍ଲିକ ପ୍ରମୁଖ ସାମିଲ ହୋଇଥିଲେ।ଚାଷୀମାନଙ୍କ ଅଭିଯୋଗ ଅନୁସାରେ, ବାରମ୍ବାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଦୌଡ଼ିବା ସତ୍ୱେ କୌଣସି ସମାଧାନ ହୋଇନଥିବାରୁ ସେମାନେ ଥକିପଡ଼ିଛନ୍ତି। ଦାବି ପୂରଣ ନ ହେଲେ ଆଗାମୀ ଦିନରେ ମଣ୍ଡି ସମ୍ମୁଖରେ ଧାରଣା ଓ ଆନ୍ଦୋଳନ କରାଯିବ ବୋଲି ଗ୍ରାମବାସୀ ଚେତାବନୀ ଦେଇଛନ୍ତି।