Odiapua.com

ପାରିଷଦମାନଙ୍କ ସାମ୍ବାଦିକ ସମ୍ମିଳନୀ, ପୌର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ବଦଳି ଦାବି, ଧାରଣା ଚେତାବନୀ

ଭଦ୍ରକ, ୨୭ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ଭଦ୍ରକ ପୌରପାଳିକାର କିଛି ପାରିଷଦମାନଙ୍କ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏହି ସାମ୍ବାଦିକ ସମ୍ମିଳନୀରେ ଭଦ୍ରକ ପୌରପାଳିକାର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ବଦଳି ଦାବି କରିବା ସହ ଆସନ୍ତା ୭୨ ଘଣ୍ଟା ମଧ୍ୟରେ ବଦଳି କରାନଗଲେ ପୌର କାର୍ଯ୍ୟାଳୟ ସମ୍ମୁଖରେ ଶାନ୍ତିପୂର୍ଣ୍ଣ ଧାରଣା ଦିଆଯିବାର ଚେତାବନୀ ଦିଆଯାଇଛି। ସୂଚନା ଅନୁସାରେ କାର୍ଯ୍ୟନିର୍ବାହୀ ଅଧିକାରୀ ନିଜ ଡିକ୍ଟେରସିପ୍ ଓ ମନମୁଖୀ କାର୍ଯ୍ୟକଳାପ ଜାରି ରଖିଛନ୍ତି। ଏହା ପୂର୍ବରୁ ଲୋକସେବାରେ ନିଯୁକ୍ତ ଥିବା ଅଧିକାରୀ ପୂର୍ବତନ ପାରିଷଦ ପ୍ରବୀର ଜେନାଙ୍କ ସହ ଦୁର୍ବ୍ୟବହାର ଓ କଟୁ ମନ୍ତବ୍ୟ ପ୍ରକାଶ କରିଥିବାରୁ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ବିରୁଦ୍ଧରେ ଫୌଜଦାରୀ ମକଦ୍ଦମା ଆଗତ ହୋଇଥିଲା। ପରବର୍ତ୍ତୀ ସମୟରେ ନୂତନ ପୌରାଧ୍ୟକ୍ଷ ଆସନ ଗ୍ରହଣ କରିବାର କିଛିଦିନ ପରେ ପୌରାଧ୍ୟକ୍ଷାଙ୍କୁ କାର୍ଯ୍ୟରେ ଅସହଯୋଗ ଏବଂ ତାଙ୍କ କାର୍ଯ୍ୟରେ ବାଧା ଉପୁଜାଇବା ସହ ପାତର ଅନ୍ତର କରି ବିବାଦର ସୂତ୍ରପାତ କରିବା କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ଅଭ୍ୟାସ ପାଲଟି ଯାଇଛି। ଯେଉଁଥିପାଇଁ ପୌରାଧ୍ୟକ୍ଷ ନିକଟରେ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ଦରମା ବନ୍ଦ କରିବା ପାଇଁ ଜିଲା ପ୍ରଶାସନ ଓ ସରକାରଙ୍କୁ ଚିଠି ଦ୍ୱାରା ଅନୁରୋଧ କରିଥିଲେ।

ଏହାବ୍ୟତୀତ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଯଦି ବୃଦ୍ଧ, ସ୍ତ୍ରୀ, ବିକଳାଙ୍ଗ ଭତ୍ତାଧାରୀମାନଙ୍କୁ ୫/୬ ମାସ ହେଲା ଭତ୍ତା ନମିଳିବା ଅଭିଯୋଗ କରାଗଲା, ସେ ତାହା ନଶୁଣିବା ସହ ଘଣ୍ଟା ଘଣ୍ଟା ଧରି ଅପେକ୍ଷାରତ କରାଇ ଚାଲିଯିବା। ରାସନ୍ କାର୍ଡରେ ନାମ ସଂଯୋଗ କରିବାରେ ଅବହେଳା ଓ ଲୋକଙ୍କୁ ଏଥିରୁ ବଂଚିତ କରିବା ତାଙ୍କର ଦୈନନ୍ଦିନ ଅଭ୍ୟାସ ବୋଲି ଅଭିଯୋଗ କରିଛନ୍ତି। ପୁରୁଣାବଜାର ଅଂଚଳର ସଂଖ୍ୟାଲଘୁ ସଂପ୍ରଦାୟରୁ ଆସୁଥିବା ଭତ୍ତାଧାରୀ ନିଜ ଭତ୍ତା ପାଇବା ପାଇଁ ଅଭିଯୋଗ କରିବାକୁ ଯାଇôଥଲେ। ସେମାନଙ୍କ ସହ ସେମାନଙ୍କର ୱାର୍ଡ ପ୍ରତିନିଧି ମଧ୍ୟ ଉପସ୍ଥିତ ଥିଲେ। କାର୍ଯ୍ୟନିର୍ବାହୀ ଅଧିକାରୀ ମାତ୍ର ୨ ମିନିଟ୍ ସେମାନଙ୍କର ଅଭିଯୋଗ ଶୁଣିବା ମାତ୍ରେ ସଂଗେ ସଂଗେ ନିଜ କାର୍ଯ୍ୟାଳୟକୁ ଚାଲିଗଲେ। ଅଭିଯୋଗକାରୀମାନେ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ପଛେ ପଛେ ତାଙ୍କ କୋଠରୀକୁ ଯାଇ ନିଜର ଅଭିଯୋଗ ଉପସ୍ଥାପନ କରିଥିଲେ। କେହି ତାଙ୍କ ପ୍ରତି ର୍ଦୁବ୍ୟବହାର କରିନଥିଲେ। ଏହାର ସତ୍ୟାସତ୍ୟ ଭିଡିଓ ଫୁଟେଜକୁ ଯାଞ୍ଚ କଲେ ସ୍ପଷ୍ଟ ଜଣାପଡିବ ବୋଲି ସେମାନେ କହିଛନ୍ତି। ପରେ କାର୍ଯ୍ୟନିର୍ବାହୀ ଅଧିକାରୀ ପୌର କର୍ମଚାରୀଙ୍କୁ ଉସୁକାଇ କଲମଛାଡ ଆନ୍ଦୋଳନ କରାଇଥିଲେ। ପରେ ପୌରାଧ୍ୟକ୍ଷ କର୍ମଚାରୀମାନଙ୍କ ସହ ଆଲୋଚନା କରି ପ୍ରକୃତ ଦୋଷୀମାନଙ୍କ ବିରୁଦ୍ଧରେ ଉଚିତ୍ ପଦକ୍ଷେପ ନିଆଯିବାର ପ୍ରତିଶ୍ରୁତି ଦେବାପରେ ସେମାନେ ଆନ୍ଦୋଳନରୁ ଓହରି ଯାଇଥିଲେ। କିନ୍ତୁ ରାତାରାତି କିପରି ଏବଂ କାହା ଦ୍ୱାରା ଷଡଯନ୍ତ୍ର କରାଯାଇ ତହିଁ ପରଦିନ ପୁଣି କଲମଛାଡ ଆନ୍ଦୋଳନ ଜାରି ହୋଇଯିବାର ସେମାନେ ଦର୍ଶାଇଛନ୍ତି।

ଜିଲା ପ୍ରଶାସନ ଗତ ୨୪ ତାରିଖ ଘଟଣାକୁ ନିଜର ଏଜେନ୍ସି ଦ୍ୱାରା ପୁଙ୍ଖାନୁପୁଙ୍ଖ ଯାଞ୍ଚ ନକରି ପୌରାଧ୍ୟକ୍ଷାଙ୍କର ନିକଟତର ଦୁଇଜଣ ପାରିଷଦଙ୍କ ବିରୋଧରେ ଘଟଣା ଘଟିବାର ମାତ୍ର କିଛି ଘଣ୍ଟା ଭିତରେ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ମିଥ୍ୟା ଅଭିଯୋଗ ଗ୍ରହଣ କରି ୧୦୭ ସିଆରପିସି ମକଦ୍ଦମା ରୁଜୁ କରିଛନ୍ତି। ଏବଂ ଦୁଇଜଣ ପାରିଷଦଙ୍କୁ ସେହିଦିନ ସନ୍ଦ୍ୟା ୬ ଘଟିକା ସମୟରେ ପୁଲିସ୍ ଜିପ୍ ସଦଳ ବଳେ ନୋଟିସ୍ ପ୍ରଦାନ କରାଯିବା କେତେଦୂର ଆଇନ୍ ସଂଗତ ବୋଲି ସେମାନେ ଯୁକ୍ତି ବାଢିଛନ୍ତି। ଗତ ୨୪ ତାରିଖରେ ମ୍ୟୁନସିପାଲଟି କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ସମ୍ମୁଖରେ ନିଜ ୱାର୍ଡର ଭତ୍ତାକାରୀଙ୍କ ସହ ୫ ଜଣ ପାରିଷଦ ଉପସ୍ଥିତ ଥିବାସ୍ଥଳେ କେବଳ ୨ ଜଣ ପାରିଷଦଙ୍କ ବିରୁଦ୍ଧରେ ଏପରି ମକଦ୍ଦମା ରୁଜୁ କରାଯିବା ଏକ ରାଜନୀତି ପ୍ରେରିତ କାର୍ଯ୍ୟାନୁଷ୍ଠାନର ବୋଲି ସେମାନେ ଅଭିଯୋଗ କରିଛନ୍ତି। ସେମାନଙ୍କ ପକ୍ଷରୁ ବାରମ୍ବାର ଜିଲା ପ୍ରଶାସନ ଓ ରାଜ୍ୟ ପ୍ରଶାସନକୁ ଭଦ୍ରକ ପୌର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ନ୍ୟୁନଧରଣର କାର୍ଯ୍ୟକଳାପ ବିଷୟରେ ଅବଗତ କରାଇଥିଲେ ସୁଦ୍ଧା ଏପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ। ଯଦି ଆସନ୍ତା ୭୨ ଘଣ୍ଟା ମଧ୍ୟରେ ଭଦ୍ରକର ବିବାଦୀୟ ପୌର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ବଦଳି କରାନଯାଏ, ତେବେ ସେମାନଙ୍କ ପକ୍ଷରୁ ପୌର କାର୍ଯ୍ୟାଳୟ ସମ୍ମୁଖରେ ଶାନ୍ତିପୂର୍ଣ୍ଣ ଗଣଧାରଣା ଦିଆଯିବାର ଗଣମାଧ୍ୟମ ଜରିଆରେ ଚେତାବନୀ ଦିଆଯାଇଛି।