Odiapua.com

ପାରିବାରିକ କଳହର କରୁଣ ପରିଣତି, ବେକରେ ରଶି ଲଗେଇ ଝୁଲିଲେ ସ୍ତ୍ରୀ, ସ୍ୱାମୀ ଫେରାର

ଭଦ୍ରକ, ୨ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପାରିବାରିକ କଳହର କରୁଣ ପରିଣତି, ବେକରେ ରଶି ଲଗେଇ ଝୁଲିଲେ ସ୍ତ୍ରୀ। ଥାନାରେ ମାମଲା ରୁଜୁ, ସ୍ୱାମୀ ଫେରାର। ଏଭଳି ଘଟଣା ଘଟିଛି ଭଦ୍ରକ ଜିଲା ତିହିଡି ଥାନା ସୟା ପଞ୍ଚାୟତ ଅଧୀନ ବାଲିଚତୁରୀ ଗ୍ରାମରେ। ମୃତା ମହିଳା ପ୍ରଣବ ମଳିକଙ୍କ ସ୍ତ୍ରୀ ସୁମିତ୍ରା ବୋଲି ଜଣାଯାଇଛି। ଗତକାଲି ସକାଳେ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଝଗଡା ହୋଇଥିଲା। ଯାହାକୁ କେନ୍ଦ୍ରକରି ସ୍ତ୍ରୀ ସୁମିତ୍ରା ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ଥାନା ସୂତ୍ରରୁ ସୂଚନା ମିଳିଛି। ଧୁଷୁରୀ ଥାନା ମଙ୍ଗଳପୁର ଖପରପଦା ଗାଁର ବାଇଧର ଦାସଙ୍କ ଝିଅ ସୁମିତ୍ରା ଗତ ୧୦ ବର୍ଷ ତଳେ ପ୍ରକାଶଙ୍କ ସହିତ ବୈଦିକ ରୀତିରେ ବିବାହ ହୋଇଥିଲା। ପରେ ବିଭିନ୍ନ ସମୟରେ ସୁମିତ୍ରାଙ୍କୁ ମାନସିକ, ଶାରୀରିକ ଓ ଯୌତୁକ ନିର୍ଯ୍ୟାତନା ଦିଆଯାଇଥିଲା। ତାଙ୍କର ମୃତଦେହ ତିହିଡି ମେଡିକାଲରେ ପଡିଥିବାର ଖବର ପାଇଥିଲେ ବାପଘର ଲୋକେ। ଯାହାକୁ ନେଇ ସୁମିତ୍ରାଙ୍କ ସ୍ୱାମୀ ସମେତ ତାଙ୍କ ପରିବାର ଲୋକଙ୍କ ବିରୋଧରେ ଥାନାରେ ଅଭିଯୋଗ ହୋଇଛି। ମୃତା ସୁମିତ୍ରାଙ୍କ ବାପାଙ୍କ ଅଭିଯୋଗକୁ ଭିତ୍ତିକରି ପୁଲିସ୍ ଶବ ଜବତ କରିବା ସହିତ ଏକ ମାମଲା ୩୨୭/୨୨, ଦଫା ୪୯୮ (କ) / ୩୦୬ ଓ ୩୪ ଆଇପିସି ରୁଜୁ କରି ଶବକୁ ବ୍ୟବେଚ୍ଛଦ କରିବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ତେବେ ମୃତାଙ୍କ ସ୍ୱାମୀ ଫେରାର ଥିବା ଆଇଆଇସି ତପନ କୁମାର ପ୍ରଧାନଙ୍କ ଠାରୁ ସୂଚନା ମିଳିଛି।