୧୯୮୪ ମସିହାରେ ପ୍ରଶାନ୍ତ ନନ୍ଦଙ୍କର ନିର୍ଦ୍ଦେଶିତ ଓ ଅଭିନୀତ ଗୋଟିଏ ଚଳଚିତ୍ର ମୁକ୍ତି ଲାଭ କରିଥିଲା। ଚଳଚିତ୍ରର ନାମ ଥିଲା ‘ ଜଗା ବଳିଆ’। ସେଥିରେ ଗୋଟିଏ ଚମତ୍କାର ଗୀତଟିଏ ଚିତ୍ରକରଣ କରାଯାଇଥିଲା। ତାହା ହେଲା ‘ପାନ ଗୁଆ ଖଇର ଗୁଆକାତି – ଭଲ ବ୍ୟବସାୟ ରାଜନୀତି’। ୩୯ ବର୍ଷ ତଳେ ଏହି ଗୀତଟିର ବାସ୍ତବତା ଏବେ ବହୁଳ ଭାବରେ ପରିଲକ୍ଷିତ ହେଉଛି। ଆଇ.ଏ.ଏସ ଅଫିସର ଚାକିରୀ ଛାଡ଼ି କିମ୍ବା ଚାକିରିରୁ ଅବସର ପରେ ରାଜନୀତି ମୈଦାନକୁ ଡେଉଁଛନ୍ତି। ସେହିପରି ଆଇପିଏସ, ଓଏଏସ, ଅନ୍ୟ ସରକାରୀ ବାବୁମାନେ ଆଜିକାଲି ସରକାରୀ ଚାକିରିରୁ ଅବସର ପରେ ଜନ ସେବା କରିବାକୁ ମନ ବଳାଉଛନ୍ତି। ସରକାରୀ ଚାକିରୀ ଜୀବନ ଭିତରେ ଜନ ସେବା କରିକି ମନ ପୁରିଲା ନାହିଁ। ରାଜନୀତି ମୈଦାନକୁ ଓହ୍ଲାଇ ଆଉ କି ଜନସେବା କରିବାର ଇଚ୍ଛା ତାହା ଏକ ବିରାଟ ପ୍ରଶ୍ନବାଚୀ। ସେହିପରି ବ୍ୟବସାୟରେ ପ୍ରତିଷ୍ଠିତ ହେଲା ପରେ ରାଜନୀତି କରିବାକୁ ଇଛୁକ ଅନେକ ବ୍ୟବସାୟୀ। ଖବର କାଗଜ ମାଲିକ କହୁଛି ମୁଁ ବିଧାୟକ ନ ହେଲେ ସାଂସଦ ହେବି। ଏଇ କ୍ୟାଟେଗୋରିର ନେତା ନିର୍ବାଚନର ୬ମାସ କିମ୍ବା ବର୍ଷେ ପୂର୍ବରୁ ଏରିଆରେ ବୁଲିବା ଆରମ୍ଭ କରିବେ। ବିଭିନ୍ନ ସ୍ଥାନରେ ପୋଷ୍ଟର ମାରିବେ। ଚାକିରୀ କାଳରେ ନିଜ ଗ୍ରାମ ଓ ପରିବାରଜନଙ୍କୁ ଧରାଛୁଅଁ ଦେଉନଥିବା ଏହି ତଥା କଥିତ ରାଜନେତାଙ୍କ ହଠାତ ଗ୍ରାମ ଓ ପରିବାର ପ୍ରେମ ନିଶ୍ଚିନ୍ତ ଭାବରେ ଆଶ୍ଚର୍ଯ୍ୟନ୍ୱିତ କରିବା ସ୍ୱାଭାବିକ। ବର୍ଷ ବର୍ଷ ଧରି ରାଜନୀତି କରୁଥିବା ରାଜନେତାଙ୍କ ଅବସ୍ଥା ଏବେ ଶୋଚନୀୟ। ବର୍ଷ ତମାମ ଏରିଆରେ ବୁଲିବେ। ଜନ ସମ୍ପର୍କ ତିଆରି କରିବେ। ମାତ୍ର ଟିକଟ ଧରି ଆସିବେ ବଡ଼ ବଡ଼ ସରକାରୀ ବାବୁ। ଦଳୀୟ ନିର୍ଦ୍ଦେଶ ମଧ୍ୟ ଆସିବ। ଦଳୀୟ ଭିତ୍ତିରେ ଟିକଟ ପାଇଥିବା ତଥାକଥିତ ନେତାକୁ ସହଯୋଗ କର।
ଏହି ରୋଗ କେବଳ ଓଡ଼ିଶାରେ ନୁହେଁ। ଅଧିକାଂଶ ଆଞ୍ଚଳିକ ଓ ଜାତୀୟ ଦଳଗୁଡ଼ିକରେ ସମାନ ଅବସ୍ଥା। ତଳ ସ୍ତରର ସରକାରୀ ବାବୁଙ୍କୁ ଦଳ ଟିକଟ ଦବ ନାହିଁ। ବଡ଼ ବାବୁ ହିଁ ରାଜନୀତି କରିବାକୁ ଯୋଗ୍ୟ। ଚାକିରୀ କାଳରେ କ୍ଷମତାକୁ ଉପଭୋଗ କଲେ। ଚାକିରୀ ସରିଲା ପରେ ଭି କ୍ଷମତା ଦରକାର। ଏମାନେ ସରପଞ୍ଚ ବା ଜିଲ୍ଲା ପରିଷଦ ଲଢ଼ିବେ ନାହିଁ। ସିଧା ବିଧାୟକ ହେଇ ମନ୍ତ୍ରୀ ଅବା ସାଂସଦ ହେଇ ପାର୍ଲାମେଣ୍ଟ ଯିବେ।
ପ୍ରତିଷ୍ଠିତ ବ୍ୟବସାୟୀ ରାଜନୀତିକୁ ଆସିବାକୁ ଚାହୁଁଛନ୍ତି। ରାଜନେତା ହେଇଗଲେ ନିଜ ବ୍ୟବସାୟ ଆହୁରି ଆଗକୁ କିପରି ବଢ଼ିବ ତାହା ହେଉଛି ଗୋଟିଏ ଲକ୍ଷ୍ୟ। ଖବର କାଗଜ ମାଲିକର ଚିନ୍ତାଧାରା ଠିକ ସେଇଆ। ରାଜନୀତି ସହିତ ନିଜ ଖବର କାଗଜ କିପରି କୋଟି କୋଟି ଟଙ୍କା ଵିଜ୍ଞାପନ ପାଇ ଆଗକୁ ବଢିବ ତାହା ହିଁ ଗୋଟିଏ ଲକ୍ଷ୍ୟ।
ତେଣୁ ଜନସେବା ବା ଲୋକସେବା ଗୋଟିଏ ହାସ୍ୟାସ୍ପଦ ବାକ୍ୟରେ ପରିଣତ ହେଇ ସାରିଲାଣି ଏହି ଭାରତ ବର୍ଷରେ। ତଥ୍ୟ କହୁଛି ଏହି ଧରଣର ରାଜନେତା କେବେ ଭି ରାଜନୀତିରେ ସଫଳତା ହାସଲ କରି ପାରନ୍ତି ନାହିଁ। ଥରୁଟିଏ କିମ୍ବା ଅତିବେଶୀରେ ଦୁଇ ଥର ସୁଯୋଗ ପାଇଲା ପରେ ନିଜସ୍ୱ ସ୍ୱାର୍ଥ ସାଧନା ପରେ ନିଜେ ରାଜନୀତିରୁ ଓହରି ଯାଆନ୍ତି କିମ୍ବା ଲୋକଙ୍କ ଦ୍ୱାରା ପ୍ରତାଖ୍ୟାନ ହୋଇ ଘରେ ବସନ୍ତି। ଏହି ପରମ୍ପରା ବହୁ ବର୍ଷରୁ ରହି ଆସିଛି। କିନ୍ତୁ ସ୍ୱାଧୀନତା ପରେ ଅନେକ ସରକାରୀ ବାବୁ, ବ୍ୟବସାୟୀ, ସାମ୍ବାଦିକ ଅଥବା ଅନ୍ୟାନ୍ୟ ବିଭାଗୀୟ କର୍ମକର୍ତ୍ତା ରାଜନୀତିରେ ଯୋଗ ଦେଉଥିଲେ ଓ ରାଜନୀତିରେ ନିଜ ଜୀବନକୁ ଉତ୍ସର୍ଗ କରୁଥିଲେ। ମାତ୍ର ଏବେ ସେଇ ପରମ୍ପରା ଆଉ ନାହିଁ। ଏବେ ‘ପାନ ଗୁଆ ଖଇର ଗୁଆକାତି – ଭଲ ବ୍ୟବସାୟ ରାଜନୀତି।
ପ୍ରିୟ ରଞ୍ଜନ ସାହୁ