ଭଦ୍ରକ, ୬ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଧାମନଗର ବ୍ଲକ ଅନ୍ତର୍ଗତ ଦୋବଲ ଗ୍ରାମପଂଚାୟତରେ ଆର.ଡବ୍ଲ୍ୟୁ.ଏସ୍.ଏସ୍. ଦ୍ୱାରା କାର୍ଯ୍ୟକାରୀ ହେଉଥିବା ସୋଲାର ପାନୀୟ ଜଳ ଯୋଗାଣ ପ୍ରକଳ୍ପ ଏବେ ବିବାଦ ଘେରରେ। ପ୍ରକଳ୍ପଟି ସମ୍ପୂର୍ଣ୍ଣ ହେବା ପୂର୍ବରୁ ହିଁ ଏହାର ନିର୍ମାଣ ଶୈଳୀ ଓ ବ୍ୟବହୃତ ସାମଗ୍ରୀର ଗୁଣବତା କୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।ସୂଚନା ଥାଉକି ଗ୍ରାମବାସୀଙ୍କୁ ଶୁଦ୍ଧ ପାନୀୟ ଜଳ ଯୋଗାଇବା ଲକ୍ଷ୍ୟରେ ଏହି ସୋଲାର ପ୍ରକଳ୍ପ ହାତକୁ ନିଆଯାଇଥିଲା। ତେବେ ଘଟଣାସ୍ଥଳ ରେ ଦେଖିଲେ ବିଭାଗୀୟ କାର୍ଯ୍ୟର ଅବହେଳା ସ୍ପଷ୍ଟ ବାରି ହୋଇପଡୁଛି। ପ୍ରଥମତଃ, ସୋଲାର ପ୍ୟାନେଲ ଗୁଡ଼ିକୁ ମାତ୍ର ୧୦ ଫୁଟ ଉଚ୍ଚତାରେ ସ୍ଥାପନ କରାଯାଇଛି, ଯାହାକି ସୂର୍ଯ୍ୟକିରଣ ପାଇବା ପାଇଁ ସମ୍ପୂର୍ଣ୍ଣ ଅନୁପଯୁକ୍ତ। ଏପରିକି ଅନେକ ସ୍ଥାନରେ ଛାଇ ପଡ଼ୁଥିବା ଜାଗାରେ ଏହି ପ୍ୟାନେଲ ଗୁଡ଼ିକ ଲଗାଯାଇ ଥିବାରୁ ଏହା କିପରି ସଠିକ୍ ଭାବେ ଶକ୍ତି ଉତ୍ପାଦନ କରିବ, ତାହାକୁ ନେଇ ସନ୍ଦେହ ପ୍ରକାଶ ପାଇଛି।ଦ୍ୱିତୀୟରେ, ପ୍ରକଳ୍ପ ପାଇଁ ବ୍ୟବହାର କରାଯାଉଥିବା ପାଇପ୍ଗୁଡ଼ିକ ଅତି ନିମ୍ନମାନର ବୋଲି ଅଭିଯୋଗ ହୋଇଛି। ସାଧାରଣ ଚାପରେ ମଧ୍ୟ ଏହି ପାଇପ୍ ଗୁଡ଼ିକ ଫାଟିଯିବାର ଆଶଙ୍କା ରହିଛି। ସରକାରୀ ସ୍ତରରେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଥିଲେ ମଧ୍ୟ, ଦାୟିତ୍ୱରେ ଥିବା ଠିକାଦାର ଓ ବିଭାଗୀୟ ଅଧିକାରୀଙ୍କ ମଧୁଚନ୍ଦ୍ରିକାରେ ଏଭଳି ନିମ୍ନମାନର କାମ ଚାଲିଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି।ଏହି ସମ୍ପର୍କରେ ସ୍ଥାନୀୟ ବାସିନ୍ଦା କୁହନ୍ତି, “ଯଦି ଆରମ୍ଭରୁ କାମ ଏଭଳି ହୋଇଥାଏ, ତେବେ ଭବିଷ୍ୟତରେ ଏହି ପ୍ରକଳ୍ପରୁ ପାଣି ମିଳିବା ନିଶ୍ଚିତ ଭାବେ ସନ୍ଦେହଜନକ।’ ତୁରନ୍ତ ଉଚ୍ଚସ୍ତରୀୟ ତଦନ୍ତ କରି ସମ୍ପୃକ୍ତ ଠିକାଦାରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ଉନ୍ନତମାନର ସାମଗ୍ରୀ ବ୍ୟବହାର ପାଇଁ ଗ୍ରାମବାସୀ ଦାବି କରିଛନ୍ତି। ଏ ସମ୍ପର୍କରେ ବିଭାଗୀୟ କନିଷ୍ଠ ଯନ୍ତ୍ରୀଙ୍କ ପ୍ରତିକ୍ରିୟା ପାଇଁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସମ୍ଭବ ହୋଇପାରିନାହିଁ। ତେବେ ଠିକାଦାର ଙ୍କ ସହ ଯୋଗା ଯୋଗ କରା ଯାଇଥିଲା ଜେଇ ଙ୍କ ନିର୍ଦେଶ ଅନୁଯାଇ କାର୍ଯ୍ୟ ହେଉଚି କହି କଥା ଆଡେଇ ଦେଇଥିଲେ।