Odiapua.com

ପାନୀୟ ଜଳ ପ୍ରକଳ୍ପରେ ବ୍ୟାପକ ଅନିୟମିତତା: ୮ ବର୍ଷ ପରେ ବି ଅପହଞ୍ଚ ‘ବସୁଧା’ର ମଧୁର ଜଳ,ବିଶ୍ୱ ଜଳ ଦିବସ ପାଇଁ ତରବରିଆ ଫଟା ପାଚେରିରେ ରଙ୍ଗ ମରା କାହା ସ୍ୱାର୍ଥରେ

ଭଦ୍ରକ, ୧୮ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ରାଜ୍ୟ ସରକାରଙ୍କ ‘ବସୁଧା’ ଯୋଜନାରେ ଘରେ ଘରେ ପାନୀୟ ଜଳ ପହଞ୍ଚାଇବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି। କିନ୍ତୁ ଧାମନଗର ବ୍ଲକ ଖପରପଦା ପଞ୍ଚାୟତରେ ଏହି ଯୋଜନା ବାଟବଣା ହୋଇଛି। ଦୀର୍ଘ ୮ ବର୍ଷ ହେବ ଲୁଣିଆ ଠାରେ ଦୁଇଟି ୨ ଲକ୍ଷ ଲିଟର ବିଶିଷ୍ଟ ଜଳ ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ସରିଥିଲେ ମଧ୍ୟ ସ୍ଥାନୀୟ ଲୋକଙ୍କୁ ଏପର୍ଯ୍ୟନ୍ତ ମଧୁର ଜଳ ଟୋପାଏ ମିଳିପାରି ନାହିଁ। ପ୍ରାପ୍ତ ସୂଚନା ଅନୁଯାୟୀ, ଲୁଣିଆ ଶାସନ ଗ୍ରାମକୁ ପାଣି ପାଇପ୍ ବିଛା ଯାଇଥିଲେ ମଧ୍ୟ ଜଳ ଯୋଗାଣ କରାଯାଉ ନାହିଁ। ଏ ସମ୍ପର୍କରେ ସ୍ଥାନୀୟ ବାସିନ୍ଦା ବ୍ରଜ କିଶୋର ପଣ୍ଡା କହିଛନ୍ତି ଯେ, “କୋଟି କୋଟି ଟଙ୍କା ବ୍ୟୟରେ ଟାଙ୍କି ନିର୍ମାଣ ହୋଇଛି ସତ, କିନ୍ତୁ ଲୋକଙ୍କ ପାଇଁ ଏହା ଶୋଭାବର୍ଦ୍ଧନ କାରୀ ସାମଗ୍ରୀ ପାଲଟିଛି। ଆମେ ପାଣି ମୁନ୍ଦାଏ ପାଇଁ ଚାହିଁ ବସିଛୁ।ଆସନ୍ତା ମାର୍ଚ୍ଚ ୨୨ ତାରିଖରେ ବିଶ୍ୱ ଜଳ ଦିବସ ପାଳନ ପାଇଁ ବିଭାଗ ତରବରିଆ ପ୍ରସ୍ତୁତି କରୁଥିବା ବେଳେ ଏଠାରେ ବ୍ୟାପକ ଅନିୟମିତତା ଅଭିଯୋଗ ହୋଇଛି। ପ୍ରକଳ୍ପର ସୁରକ୍ଷା ପାଚେରି ଫାଟି ଯାଇଥିଲେ ମଧ୍ୟ ତାହାର ମରାମତି ନକରି କେବଳ ରଙ୍ଗ ମାରି ଦିଆଯାଉଛି। ଲକ୍ଷ ଲକ୍ଷ ଟଙ୍କାର ସରକାରୀ ପାଣ୍ଠି ହଡ଼ପ କରିବା ପାଇଁ ଏହା ଠିକାଦାରଙ୍କ ଏକ ଯୋଜନାବଦ୍ଧ ଚାଲ୍ ବୋଲି ସ୍ଥାନୀୟ ଲୋକେ ଦାବି କରିଛନ୍ତି। ଏହି ସମ୍ପର୍କରେ ସମିତି ସଭ୍ୟ ଭାରତ ବିଜୟ ଦଳାଇ ନିଜର କ୍ଷୋଭ ପ୍ରକାଶ କରି କହିଛନ୍ତି ଯେ, ବିଭାଗୀୟ ଅଧିକାରୀଙ୍କ ଖାମଖିଆଲି ନୀତି ଯୋଗୁଁ ଲୋକେ ହଇରାଣ ହେଉଛନ୍ତି। ଏହା ସରକାରୀ ଅର୍ଥର ଅପ ବ୍ୟୟ ଛଡ଼ା ଅନ୍ୟ କିଛି ନୁହେଁ।ଅନ୍ୟପଟେ, ବିଭାଗୀୟ ଯନ୍ତ୍ରୀ ପ୍ରଦୀପ ନାୟକ କହିଛନ୍ତି, “ମୁଁ ନୂଆ କରି ଦାୟିତ୍ୱ ଗ୍ରହଣ କରିଛି। ପୂର୍ବରୁ ଠିକାଦାର କାର୍ଯ୍ୟ ସାରି ନଥିବାରୁ ଜଳ ଯୋଗାଣରେ ବିଳମ୍ବ ହୋଇଛି, କିନ୍ତୁ ଖୁବଶୀଘ୍ର ଏହା କାର୍ଯ୍ୟକ୍ଷମ ହେବ।” ସେହିପରି ସରପଞ୍ଚ ଅନୁସୟା ସାହୁ କହିଛନ୍ତି ଯେ, ବିଭାଗ ମୋତେ ଦାଇତ୍ୱ ହସ୍ତାନ୍ତର କରି ନାହିଁ ,ବର୍ତ୍ତମାନ କାର୍ଯ୍ୟ ଉପରେ ଦୃଷ୍ଟି ଦିଆଯାଇଛି ଏବଂ ଆସନ୍ତା ଏକ ସପ୍ତାହ ମଧ୍ୟରେ ଲୋକମାନେ ପାଣି ପାଇବେ ବୋଲି ଆମେ ଆଶା କରୁଛୁ।”ଏବେ ଦେଖିବାକୁ ବାକି ରହିଲା, ଏହି ଏକ ସପ୍ତାହ ଭିତରେ ଲୋକଙ୍କୁ ପାଣି ମିଳୁଛି ନା ପୂର୍ବ ଭଳି ପ୍ରତିଶ୍ରୁତି ପାଣିର ଗାର ହୋଇ ରହିଯାଉଛି।