Odiapua.com

ପାନୀୟ ଜଳ ଅଭାବକୁ ନେଇ ରଣପୁରରେ ଜନ ଅସନ୍ତୋଷ

ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୧୨/୦୪-ନୟାଗଡ ଜିଲ୍ଲା ରଣପୁର ଏନ୍‌.ଏ.ସି ର ପଂଚୁଦୋଳ ପଡିଆ ଆଖ ପାଖ ଅଂଚଳରେ ପାନୀୟ ଜଳର ଘୋର ଅଭାବ ଦେଖା ଦେଇଛି । ଯାହା ଫଳରେ ଜନ ଅସନ୍ତୋଷ ହେଉଥିବା ଜଣା ପଡିଛି । ରଣପୁର ଡାକ୍ତରଖାନା ସାମ୍‌ନାରେ ଥିବା ରଘୁ-ଦିବାକର ମଣ୍ଡପ ପଛପଟେ ଥିବା ନଳକୂପଟି ଦୀର୍ଘ ଦିନ ହେଲା ଅଚଳ ହୋଇ ପଡିଛି । ସେହିଭଳି ଭାବରେ ସବ୍ ରେଜିଷ୍ଟର ଅଫିସ୍ ନିକଟରେ ଥିବା ନଳକୂପଟି ମଧ୍ୟ ଦୀର୍ଘ ୮ମାସ ହେଲା ଅଚଳ ହୋଇ ପଡିଛି । ଏହି ଅଂଚଳରେ ପାଇପ୍ ଲାଇନ୍ ପାନୀୟ ଜଳର ବ୍ୟବସ୍ଥା ନାହିଁ । ଏହି ୨ଟି ନଳକୂପ ଉପରେ ସାଧାରଣତଃ ରଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆସୁଥିବା ରୋଗୀ ଏବଂ ସମ୍ପର୍କୀୟ ଆହାର କେନ୍ଦ୍ରକୁ ଆସୁଥିବା ବ୍ୟକ୍ତି ବିଶେଷ ସାଧାରଣତଃ ଥାନା, କୋର୍ଟ, ସବ୍ ରେଜିଷ୍ଟର ଅଫିସ୍ କୁ ଆସୁଥିବା ବ୍ୟକ୍ତି ବିଶେଷମାନେ ପାନୀୟ ଜଳ ଟୋପାଏ ପାଇଁ ନିର୍ଭର କରିଥାନ୍ତି ।

ଗୋଟେପଟେ ଲକ୍‌ଡାଉନ୍ ଯୋଗୁଁ ଦୋକାନ ବଜାର ବନ୍ଦ ତେଣୁ ପାଣି ଟୋପାଏ ପଂଚୁଦୋଳ ପଡିଆ ମିଳିବା କଷ୍ଟକର । ଏପରିକି ଔଷଧ ଦୋକାନକୁ ଆସୁଥିବା ଲୋକମାନେ ବିଶେଷ ଅସୁବିଧା ଭୋଗ କରୁଛନ୍ତି । ଏ ସମ୍ପର୍କେ ନୟାଗଡ ଜନ ସ୍ୱାସ୍ଥ୍ୟ ଉପଖଣ୍ଡ ଅଧିକାରୀ ଶରତ ଚନ୍ଦ୍ର ନାୟକଙ୍କ ସହ ଯୋଗା ଯୋଗ କରିବାରେ କୁହନ୍ତି ଲକ୍‌ଡାଉନ୍ ଯୋଗୁଁ ଖୋଳା ହୋଇ ପଡିଥିବା ପାଣି ପାଇପ୍ ଲାଇନ୍ କାର୍ଯ୍ୟ ହୋଇପାରୁନାହିଁ । କିନ୍ତୁ ଏ ୨ ନଳକୂପ ଅଚଳ ବୋଲି ଆମ୍ଭ ପାଖରେ କୌଣସି ଖବର ନଥିଲା । ତୁରନ୍ତ ଏହି ୨ଟି ନଳକୂପ କାର୍ଯ୍ୟକ୍ଷମ କରାଇବା ପାଇଁ ପଦକ୍ଷେପ ନିଆଯିବ ।