Odiapua.com

ପାନୀୟ ଜଳଯୋଗାଣ ସୁବ୍ୟବସ୍ତା ନେଇ ସ୍ୱତନ୍ତ୍ର ସଚିବଙ୍କ ତିହିଡ଼ି ବ୍ଲକ ଗସ୍ତ

ଭଦ୍ରକ, ୩୦ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଗ୍ରୀଷ୍ମଋତୁ ପାଇଁ ଭୂତଳ ଜଳ ହ୍ରାସ ପାଉଥିବାରୁ ଲୋକମାନେ ପାନୀୟଜଳ ପାଇବାରେ ସମସ୍ୟା ସୃଷ୍ଟି ହୋଇଥାଏ । ଏଥିପାଇଁ ସରକାରଙ୍କ ପକ୍ଷରୁ ପାନୀୟଜଳ ଯୋଗାଣର ସୁବ୍ୟବସ୍ତା କରିବା ପାଇଁ ପଦକ୍ଷେପ ନିଆଯାଇଥାଏ । ଯେଉଁଠି ନଳକୂପ ଅଚଳ ରହିଥାଏ ସେଠାରେ ନଳକୂପ ଗୁଡ଼ିକୁ ସଚଳ କରିବା ସହିତ ପାନୀୟ ଜଳ ପ୍ରକଳ୍ପରୁ ଯେପରି ଲୋକମାନେ ସୁରୁଖୁରୁରେ ପାନୀୟଜଳ ପାଇପାରିବେ ସେନେଇ ବ୍ୟବସ୍ଥା କରାଯାଇଥାଏ । ତେବେ ଶୁକ୍ରବାର ସରକାରଙ୍କ ପକ୍ଷରୁ ରାଜ୍ୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ଉନ୍ନୟନ ବିଭାଗର ସ୍ୱତନ୍ତ୍ର ଶାସନ ସଚିବ ଗଙ୍ଗାଧର ନାୟକ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ ହୋଇ ଭଦ୍ରକ ଜିଲା ଗସ୍ତରେ ଆସି ତିହିଡ଼ି ବ୍ଲକରେ ପହଞ୍ôଚଥିଲେ । ପ୍ରଥମେ ବ୍ଲକ କାର୍ଯ୍ୟାଳୟରେ ବିଡିଓ ଜ୍ୟୋତିର୍ମୟ କରଙ୍କ ସହିତ ପାନୀୟଜଳ ଯୋଗାଣର ସୁବ୍ୟବସ୍ତା ନେଇ ଆଲୋଚନା କରିବା ସହିତ ଜଳ ଓ ପରିମଳ ବିଭାଗର ଅଭିଯୋଗ ଖାତାକୁ ତନଖି କରିଥିଲେ । ପରେ ଶ୍ରୀ ନାୟକ ବ୍ଲକର ପାଳିଆବିନ୍ଧା ପଞ୍ଚାୟତକୁ ଯାଇ ୨ଟି ପାନୀୟଜଳ ପ୍ରକଳ୍ପକୁ ଅନୁଧ୍ୟାନ କରିଥିଲେ । ଏଥିସହିତ ଦୋଳସାହି ପଞ୍ଚାୟତର ରାଢ଼ଙ୍ଗ ଗ୍ରାମରେ ଗତ ସପ୍ତାହରେ ମରାମତି ହୋଇଥିବା ନଳକୂପ ଗୁଡ଼ିକୁ ଯାଞ୍ଚ୍ କରି ଦେଖିଥିଲେ । ସ୍ୱତନ୍ତ୍ର ସଚିବ ଶ୍ରୀ ନାୟକଙ୍କ ସହିତ ଜଳ ପରିମଳ ବିଭାଗର ନିର୍ବାହୀ ଯନ୍ତ୍ରୀ ସୁଶାନ୍ତ କୁମାର ପଣ୍ଡା, ସହକାରୀ ନିର୍ବାହୀ ଯନ୍ତ୍ରୀ ମୁକୁଲ ଚନ୍ଦ୍ର ଦାସ, ବ୍ଲକ କନିଷ୍ଠ ଯନ୍ତ୍ରୀ ଖଗେନ୍ଦ୍ର ପ୍ରସାଦ ବେହେରା ଉପସ୍ଥିତ ଥିଲେ । ସ୍ୱତନ୍ତ୍ର ସଚିବ ଶ୍ରୀ ନାୟକ ଜିଲାର ବନ୍ତ, ଭଣ୍ଡରିପୋଖରୀ, ଚାନ୍ଦବାଲି, ଭଦ୍ରକ, ଧାମନଗର ବ୍ଲକର ପାନୀୟ ଜଳ ଯୋଗାଣ ସୁବ୍ୟବସ୍ଥା ନେଇ ଅନୁଧ୍ୟାନ କରିଥିବା ଜଣାଯାଇଛି ।