Odiapua.com

ପାନୀୟ ଜଳଯୋଗାଣ ଏବଂ ପରିଚାଳନା ନିମନ୍ତେ ସମୀକ୍ଷା ବୈଠକ

ନୟାଗଡ଼, ୧୨ା୨ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ): ପାନୀୟ ଜଳଯୋଗାଣ ଏବଂ ପରିଚାଳନା ନିମନ୍ତେ ଏକ ସମୀକ୍ଷା ବୈଠକ ପଂଚାୟତରାଜ ମୁଖ୍ୟ ସଚିବ ଓ ଜିଲ୍ଲାପାଳ ଏବଂ ଜିଲ୍ଲା ମାଜିଷ୍ଟ୍ରେଟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ପିଡି ଡିଆରଡିଏ, ବିଭିନ୍ନ ବ୍ଳକର ତହସିଲଦାର, ବିଡିଓ, ଗ୍ରାମ୍ୟ ଜଳଯୋଗାଣ ବିଭାଗର ନିର୍ବାହୀ ଯନ୍ତ୍ରୀ, ଅଧକ୍ଷଣ ଯନ୍ତ୍ରୀ, ଜାତୀୟ ରାଜପଥର ନିର୍ବାହୀ ଯନ୍ତ୍ରୀ, ଟିପିସିଓଡିଏଲ୍ର ନିର୍ବାହୀ ଯନ୍ତ୍ରୀ ପ୍ରମୁଖ ଉପସ୍ଥିତ ଥିଲାବେଳେ ଏହି ବୈଠକକୁ ଗ୍ରାମ୍ୟ ଜଳଯୋଗାଣ ଓ ପରିମଳର ନିର୍ବାହୀ ଯନ୍ତ୍ରୀ ସମ୍ବୋଧିତ କରିଥିଲେ। ବୈଠକରେ ବୃହତ୍ତ ପାନୀୟ ଜଳ ଯୋଗାଣ ପ୍ରକଳ୍ପ ନିମନ୍ତେ ଚିହ୍ନଟ ହୋଇଥିବା ସମସ୍ତ ଉଚ୍ଚ ଜଳ ଭଣ୍ଡାର, ଜଳ ବିଶୋଧନାଗ।।ର ଏବଂ ଇଂଟେକ୍ ୱେଲ୍ ଭୂଖଣ୍ଡକୁ ନିର୍ବାହୀ ଯନ୍ତ୍ରୀ ଗ୍ରାମ୍ୟ ଜଳଯୋଗାଣ ପରିମଳ ଖଣ୍ଡ ନୟାଗଡ଼ଙ୍କୁ ହସ୍ତାନ୍ତର କରିବାକୁ ତହସିଲଦାରମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା। ଏଥିସହିତ ରାସ୍ତା ଓ ବନ୍ଧରେ ପାଇପ୍ ବିଛାଇବା ପାଇଁ ଆବଶ୍ୟକ ଥିବା ଅନୁମତି କାର୍ଯ୍ୟ ଏକ ସପ୍ତାହ ମଧ୍ୟରେ ଦେବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା। ଜିଲ୍ଳାରେ କାର୍ଯ୍ୟ ଉନ୍ନୟନ ସହାୟକ ସଂସ୍ଥାର କାର୍ଯ୍ୟକୁ ପ୍ରଶଂସା କରାଯିବା ସହ ଆଗକୁ ଆହୁରି ଉନ୍ନତି କରାଯିବା ପାଇଁ କୁହାଯାଇଥିଲା।