Odiapua.com

ପାତ୍ରପଡ଼ା ଛକରେ ମଦ ଦୋକାନ ଖୋଲିବା ନେଇ ପ୍ରତିବାଦ

ବାଲେଶ୍ୱର, ୨୩ା୪(ଓଡ଼ିଆ ପୁଅ/ଅଭୟ ଦାସ): ବାଲେଶ୍ୱର ସହରର ପାତ୍ରପଡ଼ା ଅଞ୍ଚଳରେ ପ୍ରସ୍ତାବିତ ସରକାରୀ ବିଦେଶୀ ମଦ ଦୋକାନଲ ଖୋଲିବା ନେଇ ପ୍ରଶାସନର ନିଷ୍ପତ୍ତିକୁ ବିରୋଧ କରିଛନ୍ତି ସ୍ଥାନୀୟ ବାସିନ୍ଦା। ଏନେଇ ଶୁକ୍ରବାର ସ୍ଥାନୀୟ ଅଞ୍ଚଳର ମହିଳା ଓ ପୁରୁଷ ସୁବର୍ଣ୍ଣେଶ୍ୱର ମହାଦେବ ମନ୍ଦିର ପ୍ରାଙ୍ଗଣରେ ଗଣଧାରଣା ଦେଇଥିଲେ। ସଂସ୍କୃତି ସମ୍ପନ୍ନ ବାଲେଶ୍ୱର ସହରର ସମ୍ବେଦନଶୀଳ ଏହି ଅଞ୍ଚଳରେ ପୂର୍ବରୁ ମଧ୍ୟ ଏକ ମଦଦୋକାନ ଖୋଲିବାକୁ ପ୍ରଶାସନ ଉଦ୍ୟମ କରି ଶେଷରେ ସମୂହ ସ୍ୱାର୍ଥକୁ ଗୁରୁତ୍ୱ ଦେଇ ଏଥିରୁ ନିବୃତ ହୋଇଥିଲା ବୋଲି ଲୋକମାନେ କହିଛନ୍ତି। ମଦଦୋକାନ ପାଇଁ ଚିହ୍ନଟ ସ୍ଥାନ ନିକଟରେ ସୁବର୍ଣ୍ଣେଶ୍ୱର ମହାଦେବ ମନ୍ଦିର, ୨ଶହରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ ପଢ଼ୁଥିବା ମାଦ୍ରାସା ଶିକ୍ଷାନୁଷ୍ଠାନ, ୩୫୦ ଛାତ୍ରଛାତ୍ରୀ ପଢ଼ୁଥିବା ସୁନହଟ ୟୁଜିୟୁପି ସ୍କୁଲ ଏବଂ ଅନତୀ ଦୂରରେ ବାବା ଭୁଜାଖିଆ ପୀରଙ୍କ ଆସ୍ଥାନ ରହିଛି। ସରକାରୀ ନିୟମକୁ ଉଲଂଘନ କରି ଏଠାରେ ମଦ ଦୋକାନ ଖୋଲିବା ନିଷ୍ପତ୍ତିି ଉଚିତ ନୁହେଁ ବୋଲି ସ୍ଥାନୀୟ ଲୋକେ କହିଛନ୍ତି। ସେହିପରି ଏହି ଅଞ୍ଚଳରେ ଉଭୟ ହିନ୍ଦୁ ଓ ମୁସଲିମ ସମ୍ପ୍ରଦାୟ ଭାଇଚାରା ରକ୍ଷା ସହ ବସବାସ କରୁଥିବା ବେଳେ ମଦ ଦୋକାନ ଏହାର ଅନ୍ତରାୟ ସୃଷ୍ଟି କରିବ ବୋଲି ଲୋକେ ଆଶଙ୍କା ପ୍ରକାଶ କରିଛନ୍ତି। ପୂର୍ବରୁ ବିଭିନ୍ନ ସମୟରେ ସାମାନ୍ୟ ସାମାନ୍ୟ କଥାକୁ ନେଇ ପାତ୍ରପଡ଼ା ଓ ତାର ପାଖାପାଖି ଅଞ୍ଚଳ ଅଞ୍ଚଳ ମଧ୍ୟରେ ବିବାଦ ତଥା ଗଣ୍ଡୋଗଳ ହୋଇଥିଲା। ଶାନ୍ତି ଫେରାଇ ଆଣିବା ପାଇଁ ଦୀର୍ଘଦିନ ଧରି ପୁଲିସ ଫୋର୍ସ ମୁତୟନ ହୋଇଥିବା ବେଳେ ପ୍ରାଶାସନିକ ଓ ପୁଲିସ ଅଧିକାରୀଙ୍କୁ ନାକେଦମ ହେବାକୁ ପଡ଼ିଥିଲା। ତେବେ ଗତ କିଛିଦିନ ଧରି ଆପାତତଃ ଏଠାରେ ଶାନ୍ତି ପରିଲକ୍ଷିତ ହୋଇଥିବା ବେଳେ ମଦ ଦୋକାନ ଖୋଲିବା ଦ୍ୱାରା ପୁଣି ତାହା ନଷ୍ଟ ହୋଇଯିବ ବୋଲି ଧାରଣାରତ ଲୋକେ କହିଛନ୍ତି। ଅବକାରୀ ବିଭାଗ ଓ ଜିଲା ପ୍ରଶାସନ ଏହି ନିଷ୍ପତ୍ତି ପ୍ରତ୍ୟାହାର ନ କଲେ ଆଗାମୀ ଦିନରେ ଜନ ଆନ୍ଦୋଳନ ଆହୁରି ତୀବ୍ର ହେବ ବୋଲି ସେମାନେ ଚେତାବନୀ ଦେଇଛନ୍ତି। ସମାଜସେବୀ ଅଭୟ ଦାସଙ୍କ ପୌରୋହିତ୍ୟରେ ଆୟୋଜିତ ପ୍ରତିବାଦ କାର୍ଯ୍ୟକ୍ରମରେ ଚିନ୍ମୟ ବିଶ୍ୱାଳ, ରାଜେନ୍ଦ୍ର ରାଉତ, ବିଶ୍ୱନାଥ ରାଉତ, ଶ୍ରଦ୍ଧାଞ୍ଜଳି ରାୟ, ସିଦ୍ଧେଶ୍ୱର ବିନ୍ଧାଣୀ ପ୍ରମୁଖ ଯୋଗଦେଇ ପ୍ରଶାସନର ତ୍ରୁଟିପୂର୍ଣ୍ଣ ନୀତିକୁ ତୀବ୍ର ସମାଲୋଚନା କରିଥିଲେ। ନଳିନୀ ରଂଜନ ଦାସ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ପ୍ରତିବାଦ ସଭାରେ ବିଭିନ୍ନ ସ୍ୱୟଂ ସହାୟିକା ସଂଘର ମହିଳା ଓ ଗ୍ରାମବାସୀମାନେ ଯୋଗ ଦେଇଥିଲେ।