Odiapua.com

ପାଣି ସୁବିଧା ନଥାଇ ବି ଶୁଆ ଡ଼ଙ୍ଗରି ଆକର୍ଷଣ କରୁଛି ବଣଭୋଜି ପାଇଁ

ଝରିଗାଁ ୬/୨ (ଓଡ଼ିଆ ପୁଅ/ ସମ୍ବିତ କୁମାର ଦାଶ) ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ୍ ର ଚିତାବେଡା ପଞ୍ଚାୟତ ଅନ୍ତର୍ଗତ ଭିମା ଗୁଡ଼ା ଠାରୁ ଏକ କି.ମି ବାଟ ଗଲା ପରେ ବାମ ପାର୍ଶ୍ୱରେ ରହିଛି ଶୁଆ ଡ଼ଙ୍ଗରି। ସମତୁଲ ମାଟିରୁ ଶହେ ଫୁଟ ଉଚ୍ଚ ର ରହିଛି ପଥୁରିଆ ପାହାଡ ଖଣ୍ଡେ। ଆୟତନ ରେ ପ୍ରାୟ ଦୁଇ ଏକର ହେବ ପଥର ଚଟାଣ ବିସ୍ତାରିତ ହୋଇ ରହିଛି। ପ୍ରାୟ ଦୁଇ ହଜାର ବର୍ଗଫୁଟ ର ସମତଳ ପଥର ଚଟାଣ ଏବଂ ଛୋଟ ବଡ଼ ଶିଳା ଖଣ୍ଡ ରହିଛି ପଥର ପାହାଡ଼ର ଶୀର୍ଷରେ। ବଡ଼ ଛୋଟ ପଥର ଖଣ୍ଡ ମିଶି ଶୁଆ ଥଣ୍ଟ ଭଳି ଠିଆ ହୋଇରହିଛି। ଯାହାକୁ ସ୍ଥାନୀୟ ଅଞ୍ଚଳବାସୀ ଚଟାଣ ଉପରେ ରହିଥିବା ଏହି ଅଂଶ କୁ ଶୁଆ ଥଣ୍ଟ ପ୍ରାୟ ଦେଖା ଯାଉ ଥିବାରୁ ଏହି ପଥୁରିଆ ପାହାଡ଼ କୁ ଶୁଆ ଡଙ୍ଗରି ନାମିତ କରିଥିବା କହିଛନ୍ତି ଅଞ୍ଚଳବାସୀ। ବନ ବିଭାଗ ଦ୍ବାରା ରୋପିତ ଦୁଇ ଶହ ଏକର ରୁ ଉର୍ଦ୍ଧ୍ଓବ ହେବ ଚତୁର୍ପାର୍ଶ୍ୱରେ ଘେରି ରହିଛି ଆକାଶିଆ ଚାଖୁଣ୍ଡା ଗଛରେ ପରିପୂର୍ଣ୍ଣ ବିସ୍ତୀର୍ଣ୍ଣ ଜଙ୍ଗଲ। ସଣ୍ଡସା, ଭିମାଗୁଡ଼ା ଚିତା ବେଡ଼ା ଗ୍ରାମବାସୀ ଯତ୍ନ ଓ ସୁରକ୍ଷା ଦେଇ ଜଙ୍ଗଲ କୁ ରଖିଥିବା କହିଛନ୍ତି ଗ୍ରାମବାସୀ। ପାହାଡ଼ ତଳେ ଅଧ କି.ମି ବାଟ ଦୂର ଉତ୍ତର ଓ ଦକ୍ଷିଣ ଦିଗର ଉଭୟ ପାର୍ଶ୍ଵରେ ରହିଛି ଦୁଇଟି ପୋଖରୀ। ବର୍ଷା ଖରା ଋତୁ କୁ ଛାଡ଼ି ଦେଲେ ଶୀତ ବସନ୍ତ ରେ ଲୋକଙ୍କ ଭିଡ ଜମିଥାଏ ବଣଭୋଜି ପାଇଁ। ବର୍ଷା ଋତୁ ଶେଷ ହେବା ପରେ ବ୍ଲକ୍ ର ବିଭିନ୍ନ ଅଂଚଳରୁ ଭୋଜିଭାତ କରିବାକୁ ଆସିଥାନ୍ତି ଏହି ଶୁଆ ଡ଼ଙ୍ଗରି ନାମିତ ସ୍ଥାନ କୁ। ବେଶ୍ ଆକର୍ଷଣୀୟ ହୋଇଥାଏ ଏହାର ବାତାବରଣ। ଚାରିପଟେ ରହିଛି ବିସ୍ତୀର୍ଣ୍ଣ ଧାନ ଓ ମକା ଚାଷ ଜମି। ସବୁଜ ଜଙ୍ଗଲ ଘେରା ଏହି ପଥୁରିଆ ଡଙ୍ଗର ମଧ୍ୟରେ ବଣଭୋଜି କରି ନିଆରା ମଜା ଉଠାଇ ଥାନ୍ତି ଲୋକେ। ପାନୀୟ ଜଳ ସମସ୍ୟା ରହିଥିବା ସତ୍ତ୍ୱେ ଏହାର ପରିବେଶ ବାତାବରଣ ସ୍ଥାନୀୟ ବାସୀଙ୍କୁ ଆକର୍ଷିତ କରି ରଖିଛି। ବ୍ଲକ୍ ସଦର ଠାରୁ ମାତ୍ର ୧୦ କି.ମି ଦୂରରେ ରହିଥିବା ଶୁଆ ଡଙ୍ଗରି ଠାରେ ପ୍ରଶାସନ ତରଫରୁ ଅନ୍ତଃତ ପାନୀୟ ଜଳ ସମସ୍ୟା ଦୂର କରାଯାଇ ପାରିଲେ ବିଭିନ୍ନ ଅଂଚଳରୁ ଲୋକେ ଏହି ସ୍ଥାନ କୁ ଆସିବାକୁ ଇଚ୍ଛା ପ୍ରକଟ କରିଥାନ୍ତେ ବୋଲି ସ୍ଥାନୀୟ ଅଞ୍ଚଳବାସୀ ଏବଂ ଭୋଜି କରିବାକୁ ଆସିଥିବା ଯୁବ ଯୁବତୀ ପୁରୁଷ ମହିଳା ଇଚ୍ଛା ପ୍ରକଟ କରିଛନ୍ତି।