Odiapua.com

ପାଣି ଟାଙ୍କି ଅଛି ହେଲେ ଝରଣା ପାଣି ସାହା ଭରଷା

ନୟାଗଡ/୨୭/୨(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)- ସରକାର ଶୁଦ୍ଧ ପାନୀୟ ଜଳ ଯୋଗାଇବା ପାଇଁ ସୋଲାର ଠାରୁ ଆରମ୍ଭ କରି ବିଦ୍ୟୁତ୍ ମାଧ୍ୟମ ରେ ଜଳ ଯୋଗାଣ ପାଇଁ ପାଣି ଟାଙ୍କି ମାନ ନିର୍ମାଣ କରୁଛନ୍ତି । କିନ୍ତୁ ବିଭାଗୀୟ ଅବହେଳା ଓ ଅଣଦେଖା ଯୋଗୁଁ ପ୍ରକଳ୍ପ ଗୁଡିକ କାର୍ଯ୍ୟ କରୁନାହିଁ । ଫଳରେ ଲୋକମାନେ ଝରଣାର ଜଳ କୁ ଛାଣି ପାନୀୟ ଜଳ ରୂପେ ବ୍ୟବହାର କରୁଛନ୍ତି । ସେଭଳି ଘଟଣା ଦେଖିବାକୁ ମିଳୁଛି ନୟାଗଡ ଜିଲ୍ଲା ରଣପୁର ବ୍ଲକ ବନ୍ଧମୁଣ୍ଡା ଗ୍ରାମପଞ୍ଚାୟତ ରେ । ବନ୍ଧମୁଣ୍ଡା ଗ୍ରାମ ପଞ୍ଚାୟତ ର ଅନେକ ଗ୍ରାମ ନଗଡା ଠାରୁ କିଛି କମ୍ ନୁହେଁ । ଅନେକ ଗ୍ରାମ କୁ ପକ୍କା ରାସ୍ତା ନାହିଁ । ମୋବାଇଲ୍ ସୁବିଧା ନାହିଁ । ନେଟ୍‌ୱାର୍କ ଓ ସ୍ୱସ୍ଥ୍ୟ ଚିକିତ୍ସା ପାଇଁ   ବନ୍ଦବୋସ୍ତ ମଧ୍ୟ ନାହିଁ । ଆଗକୁ ପ୍ରବଳ ଗ୍ରୀଷ୍ମ ପ୍ରବାହ । ଏହି ପଞ୍ଚାୟତ ର ୯୦ଭାଗ ଗ୍ରାମ ରିଜର୍ଭ ଜଙ୍ଗଲ ମଧ୍ୟରେ ଅବସ୍ଥିତ । ପାନୀୟ ଜଳ ପାଇଁ କେତେକ ଗାଁ ରେ ସୋଲାର ପ୍ରକଲ୍ପ ଥିଲେ ମଧ୍ୟ ରକ୍ଷଣା ବେକ୍ଷଣ ଅଭାବ ରୁ ପ୍ରକଳ୍ପ ଗୁଡିକ କାର୍ଯ୍ୟ କରୁ ନାହିଁ । ଶଙ୍ଖଯୋଡି  ଗ୍ରାମରେ ପାନୀୟ ଜଳ ଯୋଗାଣ ପାଇଁ ଏକ ଓଭର୍ ହେଡ୍ ପାଣି ଟାଙ୍କି ୨ ବର୍ଷ ହେଲା ନିର୍ମାଣ ହୋଇଥିଲେ ମଧ୍ୟ କାର୍ଯ୍ୟ କରୁ ନାହିଁ । ଏହି ପାନୀୟ ଜଳ ପ୍ରକଳ୍ପ ଟି ଶଙ୍ଖଯୋଡି ଓ ଜାମୁଗଣ୍ଡ ଗ୍ରାମକୁ ଜଳ ଯୋଗାଇବା ପାଇଁ ବ୍ୟବସ୍ଥା ହୋଇଛି । କିନ୍ତୁ କାର୍ଯ୍ୟ କରୁ ନାହିଁ । ଜାମୁଗଣ୍ଡ ଗ୍ରାମ ରେ ଥିବା ସୋଲାର ଜଳ ଯୋଗାଣ ପ୍ରକଳ୍ପ ଟି ବର୍ଷ ବର୍ଷ ଧରି ଅଚଳ ହୋଇ ପଡି ରହିଛି । ଗ୍ରାମ ମାନଙ୍କରେ ଥିବା ଅନେକ ନଳକୂପ ମଧ୍ୟ ଅଚଳ । ଫଳରେ ଜାମୁଗଣ୍ଡ ଠାରୁ ଆରମ୍ଭ କରି ଉକୁଟକୁମେଇ , ମୁକେଇମାଳି , ସୁଆଙ୍ଗ ,  ଟିକିରାଇପଡା ଆଦି ଗ୍ରାମର ଗ୍ରାମବାସୀ ମାନେ ପାହାଡ ନିକଟରେ ଥିବା ଝରଣା ଜଳ କୁ ଛାଣି ପାନୀୟ ଜଳ ରୂପେ ବ୍ୟବହାର କରୁଥିବା ଦେଖିବାକୁ ମିଳୁଛି ।

ଏ ସର୍ମ୍ପକେ ରଣପୁର ଜଳ ଯୋଗାଣ ବିଭାଗ କନିଷ୍ଠ ଯନ୍ତ୍ରୀ ପ୍ରକାଶ କୁମାର ମହାନ୍ତି ଙ୍କ ସହ ଯୋଗାଯୋଗ କରିବାରେ କୁହନ୍ତି ଯେ ଶଙ୍କଯୋଡି ଠାରେ ନିର୍ମାନ ହୋଇଥିବା ପାନୀୟ ଜଳ ପ୍ରକଳ୍ପ ଟି ସୈାର ଶକ୍ତି ଦ୍ୱାରା ଚାଳିତ ହେବା ପାଇଁ ବ୍ୟୟ ଅଟକଳ କରାଯାଇଥିଲା । କିନ୍ତୁ ସେହି ପଞ୍ଚାୟତ ରେ ପୂର୍ବରୁ ବିଦ୍ୟୁତ୍‌  ସଂଯୋଗ ନଥିଲା । ଏବେ ବିଦ୍ୟୁତ ସଂଯୋଗ ହୋଇଥିବାରୁ ସେହି ପ୍ରକଳ୍ପ କୁ ବିଦ୍ୟୁତ୍ ଚାଳିତ କରିବା ପାଇଁ ବ୍ୟୟ ଅଟକଳ ଉପରିସ୍ଥ ଅଧିକାରୀ ଙ୍କ ନିକଟ କୁ ପଠା ଯାଇଥିଲା । ଏବେ ବ୍ୟୟ ଅଟକଳ ଟି ମଞ୍ଜୁରୀ ହୋଇ ଆସିଅଛି । ମାର୍ଚ୍ଚ ମାସ ଭିତରେ ବିଦ୍ୟୁତ ସଂଯୋଗ କରାଯାଇ ଶଙ୍ଖଯୋଡି ପାନୀୟ ଜଳ ପ୍ରକଳ୍ପ କୁ କାର୍ଯ୍ୟକ୍ଷମ କରାଯିବ । ଏବଂ ସୈାର ଚାଳିତ ଅଚଳ ପ୍ରକଳ୍ପ ଗୁଡିକ ମରାମତି ପାଇଁ ଓରେଡା କୁ ଲେଖା ଯାଇଅଛି । ଆଗକୁ ପ୍ରବଳ ଗ୍ରୀଷ୍ମ ପ୍ରବାହ ଏବେ ମଧ୍ୟ ଗ୍ରୀଷ୍ମ ପ୍ରବାହ ଆରମ୍ଭ ହୋଇ ଯାଇଅଛି । ଜିଲ୍ଲା ଉଚ୍ଚ କର୍ତ୍ତୁପକ୍ଷ ଏଥିପ୍ରତି ଦୃଷ୍ଟି ଦେଇ ପଞ୍ଚାୟତ କୁ ଶୁଦ୍ଧ ପାନୀୟ ଜଳ ଯୋଗାଇବା ପାଇଁ ଅଗ୍ରାଧିକାର ଦେବାପାଇଁ ଗ୍ରାମବାସୀ ମାନେ ଅନୁରୋଧ କରିଛନ୍ତି ।