Odiapua.com

ପାଣିର ଗାର ହେଲା ଜିଲା ପ୍ରଶାସନର ପ୍ରତିଶ୍ରୁତି, ସ୍ଥାନୀୟ ଯୁବକ ନିଜ ଖର୍ଚ୍ଚରେ ମରାମତି କଲେ ଗାଁ ରାସ୍ତା

ଭଦ୍ରକ, ୨୧ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ବ୍ଲକ୍ ଅଧୀନସ୍ଥ କୋଡବରୁଆଁ ପଂଚାୟତ ମଧ୍ୟଦେଇ ଯାଇଥିବା ପ୍ରାୟ ୧୦ କିମିର ଅସୁରା-ସାବରଙ୍ଗ ଆର୍‌ଡି ରାସ୍ତା ଉପରେ ୫ ଖଣ୍ଡ ଗ୍ରାମର ଲୋକେ ନିର୍ଭର କରନ୍ତି । ପ୍ରତିଦିନ କୋଡଗମ୍ଭୀର, ପଲ୍ଲୀ, ପଗଡ, କ୍ଷୀରସାହି ଓ ଆଟୋ ଗାଁର ଲୋକେ ଏହି ରାସ୍ତା ଦେଇ ଯିବାଆସିବା କରନ୍ତି । ଏପରିକି ପଲ୍ଲୀ ଶ୍ରୀ ଉଚ୍ଚ ବିଦ୍ୟାଳୟ, ସଂସ୍କୃତ ବିଦ୍ୟାଳୟ, ଚରମ୍ପା ମହାବିଦ୍ୟାଳୟ ଓ ସଂସ୍କୃତ ଆଞ୍ଚଳିକ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ଓ ଶିକ୍ଷକ, ଶିକ୍ଷୟିତ୍ରୀମାନେ ଏହି ରାସ୍ତା ଦେଇ ଯିବାଆସିବା କରିଥାନ୍ତି । ତେବେ କୋଡଗମ୍ଭୀର ମହାରଣା ସାହି ଛକ ଠାରୁ ପଲ୍ଲୀଶ୍ରୀ ଉଚ୍ଚ ବିଦ୍ୟାଳୟ ପର୍ଯ୍ୟନ୍ତ ପ୍ରାୟ ୨ କିମି ରାସ୍ତା ଏବେ ରକ୍ଷଣାବେକ୍ଷଣ ଅଭାବରୁ ମରଣଯନ୍ତା ପାଲଟିଛି । ଏହି କଂକ୍ରିଟ୍ ରାସ୍ତାରେ ବଡବଡ ଖାଲଖମା ସୃଷ୍ଟି ହୋଇ ବହୁ ଲୁହାରଡ୍ ପଦାକୁ ବାହାରି ଆସିଛି । ଫଳରେ ସ୍ଥାନୀୟ ଲୋକେ ବର୍ତ୍ତମାନର ଲଘୁଚାପ ଜନିତ ବର୍ଷାଦିନରେ ଯିବାଆସିବାକୁ ବିପଦ ସଂକୁଳ ମନେ କରୁଛନ୍ତି । ଗାଡିମୋଟର ଯିବାଆସିବା ନେଇ ଏହି ରାସ୍ତା ଏବେ ସଂପୂର୍ଣ୍ଣ ଅନୁପଯୁକ୍ତ ହୋଇପଡିଥିବାବେଳେ ସ୍ଥାନୀୟ ଗ୍ରାମବାସୀମାନେ ଏହାର ନିର୍ମାଣ ପାଇଁ ବିଭାଗୀୟ ବିଭିନ୍ନ ଅଧିକାରୀଙ୍କ ଦ୍ୱାରସ୍ଥ ହେବା ପରେ ମଧ୍ୟ କୌଣସି ସୁଫଳ ମିଳିଲା ନାହିଁ । ତତ୍‌କାଳୀନ ଜିଲାପାଳ ଡ. ଜ୍ଞାନ ଦାସ ଏହି ରାସ୍ତାଟିର ମରାମତି କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ତାଙ୍କର ପ୍ରତିଶ୍ରୁତି ପାଣିର ଗାର ହୋଇ ରହିଗଲା । ସ୍ଥାନୀୟ ଗ୍ରାମବାସୀଙ୍କ କହିବା ମୂଳେ ୟାସ୍ ବାତ୍ୟା ଠାରୁ ଏହି ରାସ୍ତାର ଅବସ୍ଥା ଅଧିକ ଶୋଚନୀୟ ହୋଇପଡିଛି । ଫଳରେ ଗାଡିମୋଟର ଯିବାଆସିବା ବେଳେ ବହୁ ଛୋଟବଡ ଦୁର୍ଘଟଣା ଘଟି ଲୋକେ ଆହତ ହେଉଛନ୍ତି । ଏଣୁ ଜିଲା ପ୍ରଶାସନ ନିକଟରୁ ବିଫଳ ହୋଇ ସ୍ଥାନୀୟ ଯୁବକମାନେ ନିଜ ଉଦ୍ୟମରେ ପକେଟ୍‌ରୁ ଟଙ୍କା ଖର୍ଚ୍ଚ କରି ବାଲି ଓ ସିମେଣ୍ଟ ପକାଇ ମରଣଯନ୍ତା ପାଲଟିଥିବା ୨ କିମି ରାସ୍ତାର ମରାମତି କରିଛନ୍ତି ।