ଭଦ୍ରକ, ୧୨ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପ୍ରତିଦିନ ସକାଳେ ଆଖୁଆପଦା ଅଂଚଳର ୪/୫ଟି ପଞ୍ଚାୟତର ଗାଁ ଗାଁ ବୁଲି ଲୋକଙ୍କ ଘରେ ଖବର କାଗଜ ପହଞ୍ଚାଉଥିବା ୭୨ ବର୍ଷିୟ ନୃସିଂହ ଚରଣ ମହାପାତ୍ରଙ୍କର ମୃତଦେହ ଆଜି ସକାଳୁ ସ୍ଥାନୀୟ ଏକ କେନାଲରୁ ଉଦ୍ଧାର କରାଯାଇଛି । ପାଣିରେ ପଡିଯାଇ ତାଙ୍କର ମୃତ୍ୟୁ ହୋଇଥିବାର ସନ୍ଦେହ କରାଯାଉଛି । ନୃସିଂହ ସବୁଦିନ ପାହାନ୍ତାରୁ ଉଠି ସାଇକେଲ୍ ଯୋଗେ ଷଠିପୁର ଯାଇ ବିଭିନ୍ନ ଖବରକାଗଜ ଆଣି ବିତରଣ କରନ୍ତି ଏବଂ ନିଜ ଘରକୁ ଅପରାହ୍ନ ପ୍ରାୟ ୩ଟାରେ ଫେରନ୍ତି । କିନ୍ତୁ ସବୁଦିନ ପରି ଖବର କାଗଜ ବିତରଣ କରି ଶୁକ୍ରବାର ଦିନ ସେ ଘରକୁ ଫେରିନଆସିବାରୁ ତାଙ୍କର ଏକମାତ୍ର ପୁତ୍ର ବିକ୍ରମ ପରିବାରର ଅନ୍ୟ ଲୋକ ଓ ଗାଁ ଲୋକଙ୍କ ସହାୟତାରେ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରି କୌଣସି ଖବର ପାଇନଥିଲେ । ଆଜି ସକାଳ ପ୍ରାୟ ୫ଟା ସମୟରେ ଜଗନ୍ନାଥ ପ୍ରସାଦ ଠାରୁ ବାଲିପୋଖରୀକୁ ସଂଯୋଗ ହୋଇଥିବା ନ୧ମ୍ବର କେନାଲର ରାସ୍ତା ମଝି ଦକ୍ଷିଣ ପାଶ୍ୱର୍ରେ ପାଣି ଭିତରେ ଜଣେ ଲୋକ ପଡି ପ୍ରାଣ ହରାଇଥିବା ଖବର ମିଳିବା ପରେ ବିକ୍ରମ ଓ ଗ୍ରାମବାସୀମାନେ ଯାଇ ଶବ ଚିହ୍ନଟ କରିବା ସହ ଭଣ୍ଡାରିପୋଖରୀ ଥାନା ପୁଲିସ୍କୁ ଖବର ଦେଇଥିଲେ । ଘଟଣାସ୍ଥଳରୁ ନୃସିଂହଙ୍କ ସାଇକେଲ, ଖବର କାଗଜ ବ୍ୟାଗ୍ ଉଦ୍ଧାର କରାଯାଇଛି । ପୁଲିସ୍ ଦମକଳ ବାହିନୀ ସହାୟତାରେ ଶବ ଉଦ୍ଧାର କରି ଏକ ଅପମୃତ୍ୟୁ ମାମଲା ରୁଜୁ କରିବା ସହ ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି । ଏହି ଘଟଣା ସ୍ଥାନୀୟ ଅଂଚଳରେ ଏକ ଶୋକାକୁଳ ବାତାବରଣ ସୃଷ୍ଟି କରିଥିବାବେଳେ ବାଲିପୋଖରୀ ସରପଂଚ ଅକ୍ଷୟ କୁମାର ତ୍ରିପାଠୀ ନୃସିଂହଙ୍କ ଆକସ୍ମିକ ମୃତ୍ୟୁରେ ଶୋକ ପ୍ରକାଶ କରିବା ସହ ତାଙ୍କ ପରିବାର ବର୍ଗଙ୍କୁ ଭେଟି ସମବେଦନା ଜଣାଇଛନ୍ତି ।