Odiapua.com

ପାଟୁଳି ସ୍ୱାସ୍ଥ୍ୟ ଉପକେନ୍ଦ୍ରକୁ ଚଞ୍ଚକତା କରି ସ୍ଥାନନ୍ତରିତ କରିବା ପ୍ରତିବାଦରେ ଗଣଧାରଣା

ଭଦ୍ରକ, ୩୧ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଭଣ୍ଡାରିପୋଖରୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧୀନରେ ଚାଲିଆସୁଥିବା ପାଟୁଳି ଉପ ସ୍ୱାସ୍ଥ୍ୟକେନ୍ଦ୍ରକୁ ଚଂଚକତା କରି ସ୍ଥାନାନ୍ତରିତ କରିବା ପ୍ରତିବାଦରେ ଗ୍ରାମବାସୀଙ୍କ ପକ୍ଷରୁ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଦିଆଯାଇଥିବା ଗଣଧାରଣା ଆଜି ୨ୟ ଦିନରେ ପହଞ୍ôଚଛି । ଖବର ଲେଖା ହେବା ପର୍ଯ୍ୟନ୍ତ ଏହି ଗଣଧାରଣା ଜାରି ରହିଥିବାର ଜଣାପଡିଛି । ପ୍ରକାଶଯୋଗ୍ୟ ୧୯୯୨ ମସିହାରୁ ଭଣ୍ଡାରିପୋଖରୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧୀନରେ ପାଟୁଳି ଠାରେ ଏକ ସ୍ୱାସ୍ଥ୍ର ଉପକେନ୍ଦ୍ର ସରକାରୀ ମଂଜୁରୀରେ ଚାଲିଆସୁଛି । ସେଠାରେ ମମତା ତରେଇ ଗତ ୨୦୧୩ ମସିହା ଡିସେମ୍ବର ୨ ତାରିଖରେ ଏଏନଏମ୍ ଭାବେ ଯୋଗଦେଇ କାର୍ଯ୍ୟ କରିଆସୁଥିବାବେଳେ ୨୦୨୨ ମସିହା ନଭେମ୍ବର ୨୬ ତାରିଖରେ ପାଟୁଳି ସ୍ୱାସ୍ଥ୍ୟ ଉପକେନ୍ଦ୍ରରେ ସିଏଚ୍‌ସି ଭାବେ ନିଯୁକ୍ତି ପାଇଛନ୍ତି । ଏହି ସ୍ୱାସ୍ଥ୍ୟ ଉପକେନ୍ଦ୍ରଟି ଏକ ଅସ୍ଥାୟୀ ଗୃହରେ ଚାଲିଆସୁଥିଲା । ଏଠାରେ ଏକ ସ୍ଥାୟୀ ଗୃହ ନିର୍ମାଣ ପାଇଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏକ ତଦନ୍ତକାରୀ ଦଳ ଆସି ପାଟୁଳି ଠାରେ ଏକ ଜାଗା ଚିହ୍ନଟ କରିଥିଲେ । କିନ୍ତୁ ପାଟୁଳି ଗ୍ରାମବାସୀଙ୍କ ସହିତ ଚଂଚକତା କରାଯାଇ ଚିହ୍ନଟ କରାଯାଇଥିବା ସ୍ଥାନକୁ ବିବାଦୀୟ ସ୍ଥାନର ଆଖ୍ୟା ଦେଇ ଉକ୍ତ ସ୍ୱାସ୍ଥ୍ୟ ଉପକେନ୍ଦ୍ରକୁ ମୋବାରକପୁର ଠାରେ କରାଇବାର ମସୁଧା ଚଳାଇଛନ୍ତି ବୋଲି ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି ।

ଗ୍ରାମବାସୀମାନେ ଏହି ଘଟଣା ଜାଣିବା ପରେ ସମସ୍ତ ବିଭାଗୀୟ ଅଧିକାରୀଙ୍କୁ ଜଣାଇଥିଲେ ମଧ୍ୟ କୌଣସି ସୁଫଳ ପାଇନଥିଲେ । ସେମାନେ ବାଧ୍ୟହୋଇ ମାନ୍ୟବର ଉଚ୍ଚ ନ୍ୟାୟାଳୟଙ୍କର ଦ୍ୱାରସ୍ଥ ହୋଇଥିଲେ । ମାନ୍ୟବର ଉଚ୍ଚ ନ୍ୟାୟାଳୟରେ କେଶ୍ ନଂ ୧୭୯୫୮/୨୦୨୩ ରେ କେଶ୍ ବିଚାରାଧୀନ ଥିବାବେଳେ ମୋବାରକପୁରଠାରେ ଗୃହକାର୍ଯ୍ୟ ଚାଲୁରହିଛି । ଏହି ସ୍ୱାସ୍ଥ୍ୟ ଉପକେନ୍ଦ୍ରଟି ପାଟୁଳିଠାରେ ହେବାର ନିହାତି ଆବଶ୍ୟକତା ଅଛି ବୋଲି ଗ୍ରାମବାସୀମାନେ ଦାବି କରିଛନ୍ତି । ମାନ୍ୟବର କୋର୍ଟଙକ୍ ନିଷ୍ପତ୍ତି ନଆସିବା ପର୍ଯ୍ୟନ୍ତ ଉକ୍ତ ଗୃହକାର୍ଯ୍ୟକୁ ବନ୍ଦ ରଖାଯାଉ ବୋଲି ଗତ ୧୯ ତାରିଖରେ ଜିଲାପାଳଙ୍କୁ ଏକ ଲିଖିତ ଅଭିଯୋଗ ପତ୍ର ପ୍ରଦାନ କରିଥିଲେ । ୭ଦିନ ମଧ୍ୟରେ ଏହା ବନ୍ଦ ନହେଲେ ଜିଲାପାଳଙ୍କ ଅଫିସ୍ ଆଗରେ ଆମରଣ ଅନଶନ କରିବାର ଚେତାବନୀ ଦେଇଥିଲେ । ଏଣୁ ଗ୍ରାମବାସୀମାନଙ୍କ ପକ୍ଷରୁ ପୂର୍ବ ଘୋଷଣା ମତେ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଦିଆଯାଇଛି । ଏବଂ ମାନ୍ୟବର କୋର୍ଟଙ୍କ ନିର୍ଦ୍ଦେଶ ନଆସିବା ପର୍ଯ୍ୟନ୍ତ ଉକ୍ତ ଗୃହକାର୍ଯ୍ୟ ବନ୍ଦ ରଖିବାକୁ ଅନୁରୋଧ କରାଯାଇଛି । ଏହି ଗଣଧାରଣାରେ ମଧୁସୂଦନ ଦତ୍ତ, ଶରତ କୁମାର ଦେ, ମଦନ ମୋହନ ଦତ୍ତ, ଦୁର୍ଯ୍ୟୋଧନ ଦତ୍ତ, ନିରଞ୍ଜନ ଦତ୍ତ, ରମାକାନ୍ତ ବେହେରା, ସୁବଳ ଚନ୍ଦ୍ର ସାହୁ, ଚନ୍ଦ୍ରମଣି ନନ୍ଦୀ, ଶଙ୍କର୍ଷଣ ଜେନାଙ୍କ ସମେତ ଶତାଧିକ ଗ୍ରାମବାସୀ ସାମିଲ ଅଛନ୍ତି ।