Odiapua.com

ପାଚେରୀ ଭାଙ୍ଗି ପୁଣି ପାଚେରୀ ନିର୍ମାଣ , ପ୍ରଶାସନର ସୌନ୍ଦର୍ଯ୍ୟକରଣ ଯୋଜନାକୁ ନେଇ ପ୍ରଶ୍ନବାଚୀ

ଭଦ୍ରକ, ୧ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକକୁ ସ୍ମାର୍ଟ ସିଟିରେ ପରିଣତ କରିବାକୁ ଏବେ ସହରରେ ଭଙ୍ଗାଗଢା ଯୋଜନା ଚାଲିଛି । ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇ ମାତ୍ର କିଛିଦିନ ତଳେ ନିର୍ମାଣ କରାଯାଇଥିବା ଡ୍ରେନ୍ ରାସ୍ତା ଏପରିକି କଂକ୍ରିଟ୍ ସେତୁ ଭାଙ୍ଗି ସେଠାରେ ନୂଆ ନିର୍ମାଣ କରାଯାଉଥିବା ବେଳେ ଏବେ ଭଦ୍ରକ ଜିଲାପାଳଙ୍କ ଅଫିସ୍ ଆଗରେ ଗାର୍ଡେନ ନିର୍ମାଣ ଲାଗି ଜିଲାପାଳଙ୍କ ପାଚେରୀ ଆଗରେ ଛିଡା କରାଯାଉଛି ପୁଣି ଏକ ନୂଆ ପାଚେରୀ । ଗତ କିଛିଦିନ ତଳେ ଜିଲାପାଳଙ୍କ କାର୍ଯ୍ୟାଳୟ ଆଗରେ ସଦୃଶ ପାଚେରୀ ନିର୍ମାଣ କରାଯାଇଥିଲା । ପାଚେରୀକୁ ସୁନ୍ଦର କରିବା ଲାଗି ସେଠାରେ ହଜାର ହଜାର ଟଙ୍କା ବ୍ୟୟରେ ସଦୃଶ ପେଣ୍ଟିଂ ମଧ୍ୟ କରାଯାଇଥିଲା । ହେଲେ ଏହି ଯୋଜନା ପୂର୍ଣ୍ଣାଙ୍ଗ ହେଉ ହେଉ ପୁଣି ପେଣ୍ଟିଂ ପାଚେରୀକୁ ୪/୫ ଫୁଟ୍ ଛାଡି ପାଚେରୀ ଆଗରେ ପୁଣି ଉଠାଯାଉଛି ପାଚେରୀ । ଏହି ଫଳରେ ଜିଲାପାଳଙ୍କ ପାଚେରୀର ସୌନ୍ଦର୍ଯ୍ୟ କେବଳ ହାନି ହେବ ତା ନୁହେଁ ଏହାଫଳରେ ସେଠାରେ ସୃଷ୍ଟି ହେଉଥିବା ଗଳିବାଟ ଗଲା ଲୋକଙ୍କ ମଳମୁତ୍ର ତ୍ୟାଗ ପାଇଁ ବାଟ ଖୋଲିଯିବ । ତେବେ ସହରକୁ ସୌନ୍ଦର୍ଯ୍ୟକରଣ କରାଯିବାରେ କୌଣସି ବାରଣ ନାହିଁ । ହେଲେ ଯୋଜନା ବିହୀନ ଭାବେ ନିର୍ମାଣ ଏବଂ ନିର୍ମାଣ ନସରୁଣୁ ତାକୁ ଭାଙ୍ଗିଦେଇ ସେଠାରେ ପୁଣି ଏକ ନିର୍ମାଣ କରାଯିବା ଘଟଣାର ଯଥାର୍ଥତା ନେଇ ପ୍ରଶ୍ନବାଚୀ ଦେଖାଦେଇଛି । ଜିଲା ପ୍ରଶାସନର ଏହା ସୌନ୍ଦର୍ଯ୍ୟକରଣ ଯୋଜନା ନା ନେତା ଏବଂ ଠିକାଦାରଙ୍କୁ ତୁଷ୍ଟିକରଣ ପାଇଁ ଉଦ୍ଧିଷ୍ଟ ତାହା ଏବେ ସାଧାରଣ ମହଲରେ ଚର୍ଚ୍ଚାର ବିଷୟ ହୋଇଛି । ରାସ୍ତା ପ୍ରଶସ୍ତି କରଣ ନାମରେ ନିକଟରେ ପ୍ରାୟ ୬୦ ଲକ୍ଷ ଟଙ୍କା ବ୍ୟୟରେ କୁଆଁସ ଠାରେ ସାଳନ୍ଦୀ ନଦୀ ଉପରେ ନିର୍ମିତ ଅର୍ଜୁନ ସେତୁକୁ ଭାଙ୍ଗିଦେଇ ସେଠାରେ ଏକ ନୂଆ ସେତୁ ନିର୍ମାଣ ଆରମ୍ଭ ହୋଇଥିବା ବେଳେ ପ୍ରସ୍ତାବିତ ଗାର୍ଡେନ ଜାଗାରେ ପ୍ରାୟ ୨୦ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ କଂକ୍ରିଟ୍ ଡ୍ରେନ୍‌କୁ ଭାଙ୍ଗି ଦିଆଯାଇଛି ।