Odiapua.com

ପାଚାଶ ବର୍ଷର ଶିଶୁଟିଏ ମୁଁ !

ଶୈଶବ, ଯୌବନ, ପ୍ରାପ୍ତ ବୟସ୍କ ଶାରୀରିକ ଭାବେ ପ୍ରକାଶିତ ହୋଇଥାଏ। ତଦନୁଯାୟୀ ମାନସିକ ବିକାଶ ହେବା ପ୍ରାବଧାନ ପ୍ରକୃତି ରଖିଥିବାବେଳେ ତାହାର କୌଣସି ନିଶ୍ଚିତତା ନଥାଏ। ତେଣୁ ଶାରୀରିକ ବିକାଶକୁ ନେଇ ମାନସିକତାର ପରିମାପ କରାଯାଇ ନପାରେ।

ମୋ ପିଲାବେଳ ଯାହା ଯେମିତି କଟିଥିଲା ହୁଏତ ଆଜି ସମୟର ପିଲାମାନେ ସେସବୁ ଆଉ ଦେଖିପାରିବେ ନାହିଁ। କିନ୍ତୁ ଆଜି ସମୟର ପିଲାଙ୍କ ଅନୁଭୂତିକୁ ଦେଖି ମୁଁ ଯେ ସେମିତି ଶିଶୁଟିଏ ଭଳି ଅଭିନୟ କରୁଛି ସେଇଥିରେ ତିଳେହେଲେ ସନ୍ଦେହ ନାହିଁ। ମୁଁ ପିଲା ଥିବାବେଳେ ରେଡ଼ିଓ, ଟେଲିଫୋନ୍ ଆଦି ଯନ୍ତ୍ର ଗୁଡିକ ପିଲା ଥିଲେ, ଯାହା ସେମାନେ ଆଜି ପ୍ରାପ୍ତ ବୟସ ହୋଇ ଦୂରଦର୍ଶନ, ସ୍ମାର୍ଟଫୋନ୍‌ରେ ପରିଣତ ହେବାବେଳକୁ ମୋ ବୟସ ପଚାଶ। କିନ୍ତୁ ସେସବୁ ଆଜିସମୟର ପିଲାଙ୍କ ସହିତ ପିଲାଳିଆମୀ କରୁଥିବା ବେଳେ ମୁଁ ମଧ୍ୟ ସେମାନଙ୍କ ସହିତ ପଡି କିଛି କମ୍ ପିଲା ନୁହେଁ। ରଙ୍ଗୀନ ପରଦାରେ ମିଥ୍ୟା ଖବର ସାଙ୍ଗକୁ ନାଚ, ଗୀତ ସହିତ ଅନେକ ଭାବାବେଗ ମୂଳକ କାର୍ଯ୍ୟକ୍ରମ, ଏବଂ ତା’ସହିତ ଘସା ଫୋନ୍‌ରେ ହ୍ୱାଟ୍ସଏପ୍‌, ଫେସବୂକରେ କେତେଯେ ରଙ୍ଗବେରଙ୍ଗ ଫୋଟୋ ସାଙ୍ଗକୁ ମିଠା ମିଠା କଥା ସହିତ କେତେ ମିଥ୍ୟା ଖବର, ସବୁଥିରେ ଚଳପ୍ରଚଳ ମୁଁ ପ୍ରବଳ ଧୁରନ୍ଧର। ନିଜକୁ ନିଜେ କୌଣସି ଶିଶୁଠାରୁ ମଧ୍ୟ ପ୍ରଗାଢ଼ ଅନୁରକ୍ତି, ଭକ୍ତିଭରା ଚିତ୍ତରେ ନିମଜ୍ଜିତ କରିଥାଏ ସେସବୁଥିରେ ଯାହା ମୋତେ ଆଜିଯାଏ ଶିଶୁଭଳି ରଖିବାରେ ଯଥେଷ୍ଟ ସହାୟକ ହେଉଛି। ତେଣୁ ମୁଁ ନିଜକୁ ଗୋଟିଏ ପଚାଶ ବର୍ଷର ଶିଶୁଭଳି ଭାବୁଛି। ବୟସ ବୃଦ୍ଧି ସାଙ୍ଗକୁ ମାନସିକ ପରିପକ୍ୱତା ବୃଦ୍ଧି ହେବା ଗୋଟିଏ ପ୍ରାକୃତିକ ନିୟମ ହୋଇଥିଲେ ମଧ୍ୟ ନିଜସ୍ୱ ଭାବଧାରାକୁ ଯେମିତି ପରିଚାଳିତ କରାଯିବ ତାହାର ପ୍ରଭାବଯେ କାର୍ଯ୍ୟ ଶୈଳୀ ଗୁଡିକରେ ପ୍ରତିଫଳିତ ହେବ ସେଇଥିରେ ତିଳେହେଲେ ସନ୍ଦେହ ନାହିଁ। ତେଣୁ ମୋ ଭାବଧାରାକୁ ପ୍ରଭାବିତ କରି ମୋତେ ଶିଶୁଭଳି ରଖିଥିବା ଆଜିର ଦୂରଦର୍ଶନ, ସ୍ମାର୍ଟଫୋନ୍ ଏବଂ ଅନେକ ମିଥ୍ୟା ଖବର ପ୍ରବାହିତ ଶୂନ୍ୟ ଜ୍ଞାନ ମୋ ହିତାହିତ ଜ୍ଞାନକୁ ଖୁବ୍ ପ୍ରଭାବିତ କରିଥିବା ଅସ୍ୱୀକାର କରିହେବ ନାହିଁ। ତଥାପି ମୁଁ ଅନେକ ଆଶା ନେଇ ଅଗ୍ରଗାମୀ।

ମଣିଷ ଜୀବନର ପ୍ରକୃତ ରହସ୍ୟ ଅନୁଭବ କରିନପାରି ଦେହତ୍ୟାଗ କରୁଥିବା ମଣିଷଙ୍କ ସଂଖ୍ୟା ୯୯୯୯ ପ୍ରତିଶତରୁ ଅଧିକ ହେଉଥିବା କୌଣସି ଆନୁମାନିକ ତଥ୍ୟ ନୁହେଁ ବରଂ ସମ୍ପୂର୍ଣ୍ଣ ସତ୍ୟ। ଉପଯୁକ୍ତ ଜ୍ଞାନ ପ୍ରବାହର ଅଭାବନୀୟତା ହେତୁ ସମାଜରେ ପ୍ରକୃଷ୍ଠ ଜ୍ଞାନ ବିତରଣ କରାନଯାଇ ମିଥ୍ୟା ତଥ୍ୟ ଦେଇ ସାଧାରଣ ଲୋକଙ୍କୁ ପ୍ରତାରିତ କରି ଚାଲିଥିବା ବ୍ୟବସାୟୀକ ଗୋଷ୍ଠୀଙ୍କ ଗୋଟିଏ ଅତ୍ୟନ୍ତ ଜଟିଳ ଷଢ଼ଯନ୍ତ୍ର ଯାହା ବୁଝିବା ସାଧାରଣ ଲୋକଙ୍କ ପାଇଁ ଅସମ୍ଭବ। ଇତିମଧ୍ୟରେ ସେହି ଲୁଟେରା ବ୍ୟବସାୟୀଙ୍କ ପ୍ରତାରଣାପୂର୍ଣ୍ଣ ତଥ୍ୟ ଗୁଡିକ ମାଧ୍ୟମରେ ସାଧାରଣ ଲୋକଙ୍କୁ ପ୍ରତାରିତ କରି ନିଜସ୍ୱ ସ୍ୱାର୍ଥ ଆଦାୟ କରିବା ଲକ୍ଷ ରଖି ବିଭିନ୍ନ ଅନାବଶ୍ୟକ ବିଷୟ ସମାଜରେ ପ୍ରଚାର ପ୍ରସାର କରୁଥିବା ବେଳେ ମୁଁ ମଧ୍ୟ ତାହାର ଜଣେ ଗ୍ରାହକ ହେବାରୁ ବଞ୍ଚିତ ନୁହେଁ। କାରଣ ସେମାନଙ୍କ ଦ୍ୱାରା ଦିଆଯାଉଥିବା ବିଭିନ୍ନ ଆକର୍ଷଣୀୟ ବାର୍ତ୍ତାରେ ମନ ଏତେମାତ୍ରାରେ ବିମୁଗ୍ଧ ହୋଇଯାଏଯେ ମୁଁ କଣ, କେହି ମଧ୍ୟ ବାଦ୍ ପଡନ୍ତି ନାହିଁ ସେଇଥିରୁ। ତରଙ୍ଗ ଜାଲର ମାୟାରୁ ବଂଚିତ ହୋଇ ରହିବା ଆଜି ସମୟରେ ଅସମ୍ଭବ ମନେହୁଏ ଯେଉଁଥିରୁ କେହି ବାଦ୍ ପଡନ୍ତି ନାହିଁ। ମୁଁ ମଧ୍ୟ ନୁହେଁ। ହେଲେ ବଡ ଆଶ୍ଚର୍ଯ୍ୟ ଲାଗେ ମୋତେ ବେଳେ ବେଳେ ଭାବିଲେ ଯେ ଆମ ଦେଶ ସଂସ୍କୃତି, ପରମ୍ପରାକୁ ଭୁଲିଯାଇ ଏହି ପାଶ୍ଚାତ୍ୟ ସଭ୍ୟତା ପଛରେ ପଡିଥିବା ଆମ ଦେଶ ଲୋକଙ୍କ ବାସ୍ତବତା କଣ, ଏବଂ ଏହା ପଛରେ ରହିଥିବା ରହସ୍ୟ କଣ ? କାରଣ ଆମଦେଶର ସଂସ୍କୃତି ମଣିଷକୁ ମଣିଷ ଭଳି ଗଢି ତୋଳିବା ଲକ୍ଷ ରଖିଥିବା ବେଳେ ଏହି ପାଶ୍ଚାତ୍ୟ ସଂସ୍କୃତି ସମସ୍ତଙ୍କୁ ବିଭିନ୍ନ ଅମାନବୀୟ ଚେତନରେ ଅଭିଷିକ୍ତ କରାଇ ଅଜ୍ଞାନ କରି ସାରିଲାଣି। ପବନ ତରଙ୍ଗ ମାଧ୍ୟମରେ ପ୍ରବାହିତ ୯୯ ଶତକଡା ଖବର ମିଥ୍ୟା ତଥ୍ୟ ଉପରେ ଆଧାରିତ ହୋଇଥିଲେ ମଧ୍ୟ କେହି ସେସବୁ ପଛରେ ପଡିବା ଛାଡି ପାରୁନାହାନ୍ତି କିମ୍ବା ମୁଁ ମଧ୍ୟ ନୁହେଁ। ଏମିତି ଦେଖିବାକୁ ମିଳୁଛି ଏହି ପବନ ତରଙ୍ଗରେ ପ୍ରବାହିତ ସମସ୍ତ ଖବର ଗୁଡିକ କୌଣସି ତଥ୍ୟଭିତ୍ତିକ ନହୋଇ ବରଂ ପ୍ରାକୃତିକ ଜୀବନଧାରଣ ଶୈଳୀ ବିପରୀତେ ଜୀବନ ବିପନ୍ନ ସହିତ ବ୍ୟାପକ କ୍ଷତିର କାରଣ ହେଉଥିଲେ ମଧ୍ୟ ସବୁ ଜାଣିଶୁଣି ସେସବୁକୁ ତ୍ୟାଗ କରିପାରୁନଥିବା ମୋ ପିଲାଳିଆମୀ ନୁହେଁତ ଆଉ କଣ ? ତଥାପି କାହିଁକି ମୋର ଏହି ପିଲାଳିଆମୀ ଦିନକୁ ଦିନ ବ୍ୟାପ୍ତ ହେବାରେ ଲାଗିଛି ଯାହା ମୋ ଭାବ ବହିର୍ଭୁତ ହୋଇପଡୁଛି। ଅନୁଭବ ହୂଏକି କିଛି ଷଢ଼ଯନ୍ତ ମୂଳକ କାର୍ଯ୍ୟକ୍ରମ ରହିଛି ଏହା ପଛରେ। ତଥାପି ମୁଁ ସେସବୁ ଛାଡିପାରୁନାହିଁ।

ଆଜ୍ଞା ହଁ। ବାସ୍ତବିକ ଅନେକ ଗବେଷଣା କରି ସ୍ୱତଃ ତର୍ଜମା କରି ଦେଖିଲିଯେ ବାସ୍ତବିକ ଏହିସବୁ ତରଙ୍ଗ ଜାଲର ମାୟା ପଛରେ ଅନେକ ଷଢ଼ଯନ୍ତ୍ର ମୂଳକ ଚାଲ୍ ରହିଛି ଯାହା ମୁଁ ଆପଣଙ୍କୁ କହିବି ନାହିଁ। କାରଣ କହିଲେ ସେସବୁ ଏତେ ସହଜରେ ଗ୍ରହଣୀୟ ହେବନାହିଁ। ଆପଣଙ୍କ ପ୍ରଶ୍ନ କାହିଁକି ? ଉତ୍ତର ହେଲା ଯେତେବେଳେ ବ୍ରିଟିଶ ଭାରତକୁ ପ୍ରବେଶ କରିଥିଲା ଆଉ ତାହା ପରବର୍ତ୍ତୀ ସମୟରେ ଆମକୁ ଶାସନ କରିବାରେ ସକ୍ଷମ ହୋଇଥିଲା ସେହି ଦୁଇଟି ସମୟ ବ୍ୟବଧାନ ମଧ୍ୟରେ ସେମାନେ କଣ କରୁଥିଲେ, ଯଦି ଆମ ଲୋକେ ତାକୁ ବୁଝି ପାରିଥାନ୍ତେ ତାହେଲେ ବ୍ରିଟିଶ କଣ ଆମ ଦେଶରେ ତାହାର କାୟା ବିସ୍ତାର କରିପାରିଥାନ୍ତା ? ନିଶ୍ଚିତ ନୁହେଁ।ଯେହେତୁ ଅନେକ ବର୍ଷ ଧରି ପିଢ଼ିକୁ ପିଢ଼ି ସେମାନଙ୍କ ମାୟାକୁ ବୁଝିବାରେ ଅକ୍ଷମ ରହିଲେ, ତେଣୁ କୌଣସି ଗୋଟିଏ ସମୟରେ ସେମାନେ ଆମକୁ ଅକ୍ତିଆର କରିବାରେ ସମର୍ଥ ହେବାପରେ ହାତଗୁଡ କହୁଣିକୁ ଚାଲିଯାଇଥିଲା ଯାହା ଆଉ ଚାଟି ହେଲାନାହିଁ। ଅନୁରୂପ ବର୍ତ୍ତମାନ କେଉଁ ଆଭ୍ୟନ୍ତରୀଣ ଏବଂ ବାହ୍ୟ ଶକ୍ତି କିଭଳି ଷଢ଼ଯାନ୍ତ୍ରୀକ ଉପାୟରେ ଆମକୁ କବଳିତ କରିବା ପାଇଁ ଲକ୍ଷ ଧାର୍ଯ୍ୟ କରିଛି ବୁଝିବା ଏତେ ସହଜ ନୁହେଁ। ତଥାପି ଆମେ ଭାବୁଛେ ଆଜି ସମୟରେ ସେମିତି କରିବା ସହଜ ନୁହେଁ। କିନ୍ତୁ ଆମକୁ ମାନେ ରଖିବାକୁ ହେବଯେ ସାଧାରଣ ମଣିଷ ଯେତିକି ଚାଲାକ ବୋଲି ନିଜକୁ ଭାବୁଛି ଷଢ଼ଯନ୍ତ୍ରୀ ସେହି ଅନୁପାତରେ ଚାଲାକ ହୋଇଥାଏ ବୋଲି ଆମ ଭାବ ବହିର୍ଭୁତ। ସେମାନେ ଆମକୁ ଚାଲାକ ହେବାଭଳି ମାଧ୍ୟମ ଗୁଡିଏ ପ୍ରସ୍ତୁତ କରି ପୂର୍ବାପେକ୍ଷା ଅଧିକ ନିର୍ବୋଧ କରିଚାଲିଛନ୍ତି ବୋଲି ବୁଝ ିହେଉନାହିଁ ଆଦୌ। ତେଣୁ ସମସ୍ତେ ମୋ ଭଳି ପିଲାଳିଆମୀ କରୁଥିବା ଅତ୍ୟନ୍ତ ପରିତାପର ବିଷୟ ଯାହା ଆମ ଆସନ୍ତା ପିଢିଙ୍କ ପାଇଁ ଏକ ମର୍ମନ୍ତୁଦ ଅଭିଶାପ ଭଳି କାର୍ଯ୍ୟ କରିବ। ସେତିକି ବେଳକୁ ପାଶ୍ଚତାପ କରିବା ପାଇଁ ଆମେ ନଥିବା। କିନ୍ତୁ ଆମର ଏହି ନିର୍ବୋଧତା ପାଇଁ ଆମ ଆସନ୍ତା ପିଢିଙ୍କ ପାଖରେ ସେମିତି ଅଜ୍ଞାନୀ ହୋଇ ରହିଯିବା ଯେମିତି ବର୍ତ୍ତମାନ ଆମେ ତର୍ଜମା, ବ୍ୟାଖ୍ୟା କରୁଛେ ଆମ ପୂର୍ବଜଙ୍କ ନିର୍ବୋଧତା ଉପରେ।

ଯାହାସବୁ ବିକାଶଧାରା ବର୍ତ୍ତମାନ ସମୟରେ ପ୍ରବାହିତ ହେଉଛି ଏବଂ ଆର୍ଥିକ ଆନ୍ଦୋଳନ କରାଯାଇ ସମସ୍ତେ ଏକପ୍ରକାର ଆର୍ଥିକ ବନ୍ଧନୀରୁ ମୁକୁଳି ନୂତନ ଅଶାର ଆଲୋକ ପାଇଲା ଭଳି ଅନୁଭବ କରୁଛନ୍ତି, ଏସବୁ ତରଙ୍ଗ ଜାଲ ମାଧ୍ୟମରେ ବ୍ୟାପକ ମାୟାଜାଲ, ମଣିଷକୁ ପ୍ରତାରିତ କରି ଦୁର୍ବଳ କରିବା ପାଇଁ ଯାହା ସାଧାରଣରେ ଅନୁଭୂତ ହେଉନାହିଁ। ବରଂ ଆମେ ବାସ୍ତବତାର ଆଢୁଆଳରେ ଅବାସ୍ତବ କୁହୁଡି ପହଁରି ପହଁରି ଶେଷରେ ସ୍ରୋତର ଗୋଟିଏ ଗଣ୍ଡରେ ଲୀନ ହେବାକୁ ଯାଉଛେ ବୋଲି କାହାର ହୃଦୟସ୍ପର୍ଶୀ ହୋଇପାରୁନାହିଁ। ବରଂ ଆମର ଏହି ମତାମତ ଗୁଡିକ ହାସ୍ୟାସ୍ପଦ ଭଳି ଅନୁଭବ ହେବା ଛଡା ଆଦୌ ଗ୍ରହଣୀୟ ହୋଇପାରିବ ନାହିଁ ବୋଲି ଜାଣିମଧ୍ୟ ପ୍ରକାଶ କରିବାକୁ ବାଧ୍ୟ କରିଛି ମନ ଆମର, କାରଣ ଆମେ ସମସ୍ତଙ୍କୁ ନିଜର କରି ଗୋଟିଏ ପରିବାରର ସଦସ୍ୟ ବୋଲି ବିଚାର ରଖିଛୁ। କିନ୍ତୁ ସ୍ୱଗୃହ ଉପଦେଶ ଗୁଡିକ ଅଗ୍ରହଣୀୟ ହୋଇ ମଣିଷ ପର ବୁଦ୍ଧି ଶୁଣି ନିଜ ଘର ଭାଙ୍ଗୁଥିବା ଉଦାହରଣ କିଛି କମ୍ ଦେଖିବାକୁ ମିଳେନାହିଁ ଆମ ସମାଜରେ। କେହି ଗ୍ରହଣ ନକଲେ ମଧ୍ୟ ଆମ କର୍ତବ୍ୟ ସମ୍ପନ୍ନ କରିବା ପାଇଁ ଦୃଢ଼ ପ୍ରତିଜ୍ଞାବଦ୍ଧ ଅମ ଜିବନର ଶେଷ ସୀମା କେଉଁଠି ନିଜକୁ ଜଣାନାହିଁ। ତଥାପି ସାମାଜିକ ସଂସ୍କାର ସୁଧାରରେ ବ୍ରତୀ ମନ ଆମର ଅସ୍ଥିର କେବଳ ଭବିଷ୍ୟ ପିଢିଙ୍କ ପାଇଁ। କାରଣ ବର୍ତ୍ତମାନ ପ୍ରବାହିତ ସମସ୍ତ ଭାବଧାରା, ବିକାଶଶୀଳ ଦର୍ଶନୀ ଗୁଡିକ ସାମାଜିକ ଉନ୍ନତ୍ତି ବାହ୍ୟାରେ କରୁଥିଲେ ମଧ୍ୟ ସେସବୁର ବାସ୍ତବତା ସ୍ୱଛ ପ୍ରଚ୍ଛଦ ପଟରେ ମାୟାର ଜାଲ ଭଳି ଦଣ୍ଡାୟମାନ। ସେଗୁଡିକୁ ବୁଝିବା ଏତେ ସହଜ ହେଉନାହିଁ କେବଳ ଆମର ଅହଂଭାବ ଯୋଗୁଁ ଯାହା, ସେସବୁ ମଧ୍ୟ ସେହି ଷଢ଼ଯନ୍ତ୍ରକାରୀଙ୍କ ଷଢ଼ଯନ୍ତ୍ରର ପ୍ରତିଫଳନ ମାତ୍ର। ପୂର୍ବାପେକ୍ଷା ବର୍ତ୍ତମାନର ଷଡ଼ଯନ୍ତ୍ର ଏତେ କଠୋରଯେ ସେଗୁଡିକୁ ବୁଝିବା ଅତ୍ୟନ୍ତ ଜଟିଳ ବିଷୟ। ସାଧାରଣ ଲୋକେ ଶିକ୍ଷା ଥାଇ ମଧ୍ୟ ନିଜ ଅନ୍ତର୍ଜ୍ଞାନ ସୃଷ୍ଟି କରିନପାରି ବର୍ତ୍ତମାନର ମାୟାଜାଲରେ ପଡି ଉବୁଟୁବୁ ହୋଇଥାଇ ମଧ୍ୟ ନିଜକୁ ଅତ୍ୟନ୍ତ ଭାଗ୍ୟବାନ ମନେ କରୁଥିବା ଏକ ବ୍ୟାପକ ଅବ୍ୟକ୍ତ ସମସ୍ୟା। ତଥାପି କେହି ବୁଝନ୍ତି ନାହିଁ, ବୁଝିବେ ନାହିଁ।

ତେଣୁ ଆଜିଠାରୁ ମୁଁ ସେସବୁ ମାୟାଜାଲରୁ ନିଜକୁ ମୁକୁଳିତ କରି ପିଲାଳିଆମୀକୁ ଭୁଲିଯାଇ ତରଙ୍ଗ ଜାଲରୁ ନିଜକୁ ଉଦ୍ଧାର କରି ମୋ ଭବିଷ୍ୟତ ପିଢିଙ୍କ ପାଇଁ ବ୍ୟଗ୍ର ସଂକଳ୍ପ ବଦ୍ଧ। ତରଙ୍ଗ ଜାଲରୁ ମିଥ୍ୟା ଆଭାସ ଗ୍ରହଣ କରି ନିଜକୁ ନିର୍ବୋଧତା ମଧ୍ୟରେ ବନ୍ଦୀ ନକରି ବାସ୍ତବତାର ଉନ୍ମୋଚନ କରିବାରେ ବ୍ରତୀ ମୋ ପିଲାଳିଆମୀକୁ ପରିତ୍ୟାଗ କରିବା ସଂକଳ୍ପ କରିବାପାଇଁ ସମ୍ପୂର୍ଣ୍ଣ ଚେଷ୍ଟିତ। ଆଉ ଆପଣ?।
– ପଙ୍କଜ କୁମାର ପାଣିଗ୍ରାହୀ
ସୋସିଆଲ ଫୋରମ (ଭାରତ)
ଛତ୍ରପୁର, ଗଞ୍ଜାମ