Odiapua.com

ପାଗଳ ଷଣ୍ଢର ବର୍ବର କାଣ୍ଡ : ଫୁଲ ତୋଳୁଥିବା ବୃଦ୍ଧାଙ୍କୁ କଚାଡି ମାରିଲା, ଶିକ୍ଷୟିତ୍ରୀ ମଧ୍ୟ ଗୁରୁତର ଆହତ, ଟ୍ରାଙ୍କୁଲାର ଯୋଗେ ଆୟତ୍ତ ହେଲା ଷଣ୍ଢ

ଭଦ୍ରକ, ୨୨ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ହିନ୍ଦୁ ଧର୍ମରେ ମହାଦେବଙ୍କ ବାହନ ରୂପେ ପ୍ରଥମେ ବୃଷଭଙ୍କୁ ଆରାଧନା କରାଯାଇଥାଏ । କିନ୍ତୁ ଆଜି ସେହି ଦେବତାଙ୍କ ବାହନ ଏକ ବୃଷଭର ମତିଭ୍ରମ ଘଟି ସେ ମହାଦେବଙ୍କ ମନ୍ଦିର ସମ୍ମୁଖରେ ତାଙ୍କ ଆରାଧନା ପାଇଁ ଫୁଲ ତୋଳୁଥିବା ଜଣେ ମହିଳାଙ୍କୁ ଶିଙ୍ଗରେ ଭୁସି କଚାଡି କଚାଡି ମାରିଦେବା ଘଟଣା ଜିଲା ତମାମ୍ ଚର୍ଚ୍ଚାର ବିଷୟ ହୋଇଛି । କେବଳ ମହିଳା ଜଣଙ୍କୁ ଏକ ହାତି ଠାରୁ ଅଧିକ ବିଭତ୍ସ ଭାବେ ମାରି ମାଂସ ପେଣ୍ଡୁଳାରେ ପରିଣତ କରିଥିବା ବୃଷଭଟିର ମନ ଏତିକିରେ ଶାନ୍ତି ହୋଇନଥିଲା । ସେ ଅନ୍ୟ ଏକ ଶିକ୍ଷୟିତ୍ରୀଙ୍କୁ ମଧ୍ୟ ସେହି ମନ୍ଦିରକୁ ଆସୁଥିବାବେଳେ ଗୋଡାଇଥିଲା । ମାତ୍ର ସ୍ଥାନୀୟ ଲୋକେ ଠେଙ୍ଗାବାଡି ଧରି ଗୋଡାଇବାରୁ ସଂପୃକ୍ତ ଶିକ୍ଷୟିତ୍ରୀ ଜଣଙ୍କ ମୃତ୍ୟୁ ମୁଖରୁ ବର୍ତ୍ତିଥିଲେ ମଧ୍ୟ ଡାହାଣ ହାତ, ମୁଣ୍ଡ ଆଘାତ ଲାଗି ଗୁରୁତର ଭାବେ ଭଦ୍ରକ ଜିଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି । ତେବେ ପରବର୍ତ୍ତୀ ସମୟରେ ଦମକଳ ବାହିନୀ ସହ ପୁଲିସ୍ ଘଟଣାସ୍ଥଳରେ ପହଞ୍ôଚ ମାଇକ୍ ପ୍ରଚାର ଯୋଗେ ଲୋକଙ୍କୁ ସତର୍କ କରାଇଥିଲା । ଏବଂ ଷଣ୍ଢଟିକୁ ବିଭାଗୀୟ ଅଧିକାରୀମାନଙ୍କ ଦ୍ୱାରା ଟ୍ରାଙ୍କୁଲାର ଦିଆଯାଇ କାବୁ କରାଯାଇଥିଲା । ଏହି ଘଟଣାରେ ଗ୍ରାମାଞ୍ଚଳ ଥାନାରେ ୮୬/୨୩ ମୂଳେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇ ମୃତ ମହିଳାଙ୍କର ଶବ ବ୍ୟବଚ୍ଛେଦ କରାଯାଇଛି ।

ପ୍ରାପ୍ତ ଖବରରୁ ଯାହା ଜଣାଯାଏ ଗ୍ରାମାଞ୍ଚଳ ଞ୍ଚଳ ଥାନା ଅଧୀନସ୍ଥ ଚରମ୍ପା ପଥରଆଡିର ସ୍ୱର୍ଗତଃ ବାସୁଦେବ ପଣ୍ଡାଙ୍କ ପତ୍ନୀ ଶାନ୍ତିଲତା (୭୫) ସବୁଦିନ ଭଳି ଶିବ ମନ୍ଦିରର ପୂଜା ପାଇଁ ଭୋର୍‌ରୁ ଉଠି ବିଭିନ୍ନ ସ୍ଥାନରେ ଫୁଲ ତୋଳନ୍ତି । ଏହି ଶିବ ମନ୍ଦିରର ଜଣେ ଭକ୍ତ ଭାବେ ଶାନ୍ତିଲତା ସ୍ଥାନୀୟ ଅଂଚଳରେ ବେଶ୍ ପରିଚିତ । ସବୁଦିନ ଭଳି ଆଜି ସେ ସକାଳ ୬ଟା ସମୟରେ ଶିବ ମନ୍ଦିର ନିକଟରେ ଫୁଲ ତୋଳୁଥିବାବେଳେ ସ୍ଥାନୀୟ ଅଂଚଳରେ ଏକ ମତିଭ୍ରମ ଷଣ୍ଢ ହଠାତ୍ ତାଙ୍କୁ ଆକ୍ରମଣ କରିବା ପାଇଁ ଗୋଡାଇଥିଲା । ତେବେ ଶାନ୍ତିଲତାଙ୍କ ଗୋଡ ଶାଢୀରେ ଛନ୍ଦିହୋଇ ସେ ପଡିଯାଇଥିବାବେଳେ ଷଣ୍ଢଟି ତାଙ୍କୁ ଶିଙ୍ଗରେ ଭୁସି କଚାଡି ତଳେ ପକାଇ ଦଳିଚକଟି ଦେଇଥିଲା । ଭୋର୍ ସମୟ ହୋଇଥିବାରୁ ସେଠାରେ ଜନ ସମାଗମ ଅଧିକ ନଥିବାରୁ ଶାନ୍ତିଲତା ଅକାଳରେ ପ୍ରାଣ ହରାଇଥିଲେ । ଏତିକିରେ ଷଣ୍ଢଟି ଶାନ୍ତ ପଡିନଥିଲା । ଭଡାରେ ରହୁଥିବା ସ୍ଥାନୀୟ କୋଡବରୁଆଁ ପଲ୍ଲୀଶ୍ରୀ ଉଚ୍ଚ ବିଦ୍ୟାଳୟର ଶିକ୍ଷୟିତ୍ରୀ ତଥା ଭଦ୍ରକ ଜିଲା କଂଗ୍ରେସ ସଭାପତି ଅଶୋକ ଦାସଙ୍କ ଭଉଣୀ ସାଇ ପ୍ରସନ୍ନା ଦାସ (୪୮) ଶିବ ମନ୍ଦିରକୁ ପୂଜା ପାଇଁ ଆସୁଥିବାବେଳେ ରକ୍ତମୁଖା ଷଣ୍ଢଟି ତାଙ୍କୁ ଗୋଡାଇଥିଲା । ସ୍ଥାନୀୟ ଲୋକେ ଠେଙ୍ଗାବାଡି ଧରି ଘଉଡାଇଥିଲେ ମଧ୍ୟ ଷଣ୍ଢଟି ତାଙ୍କୁ ଗୁରୁତର ଆହତ କରିଥିଲା । ପାଗଳ ଷଣ୍ଢଟିର ଏଭଳି ନାରକୀୟ କାଣ୍ଡ ଦେଖି ଲୋକେ ଆତଙ୍କିତ ହେବା ସହ ଉତ୍ତେଜିତ ହୋଇପଡିଥିଲେ । ତେବେ ଟ୍ରାଙ୍କୁଲାର ଯୋଗେ ଷଣ୍ଢଟିକୁ ଆୟତ୍ତ କରାଯିବା ପରେ ଘଟଣାର ଯବନିକା ପଡିଛି ।