Odiapua.com

ପାଂଚ ଦଫା ଦାବି ନେଇ ତାଳଚେର ଶିଳ୍ପାଂଚଳ ଶ୍ରମିକ ସଂଘର ଗଣଧାରଣା

ତାଳଚେର, ୧୩/୬ (ଓଡ଼ିଆ ପୁଅ/ଅଜିତ ବେହେରା) : ପାଂଚ ଦଫା ଦାବି ନେଇ ଆଜି ତାଳଚେର ଶିଳ୍ପାଂଚଳ ଶ୍ରମିକ ସଂଘ ତରଫରୁ ଏହାର ସଭାପତି ମନୋଜ କୁମାର ପ୍ରଧାନଙ୍କ ନେତୃତ୍ୱରେ ସ୍ଥାନୀୟ ଭରତପୁର ମହାପ୍ରବନ୍ଧକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଦିଆଯିବା ସହ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ସଂଘର କହିବାନୁସାରେ, ତାଳଚେର ବ୍ଲକର ବିଭିନ୍ନ ପଂଚାୟତ ଭରତପୁର ପ୍ରକଳ୍ପ ଦ୍ୱାରା ପ୍ରଭାବିତ ହୋଇଅଛି। ତେବେ ଭରତପୁର କ୍ଷେତ୍ରରେ ନିୟୋଜିତ ବିଭିନ୍ନ ବେସରକାରୀ କମ୍ପାନୀ ସରକାରଙ୍କର ଶ୍ରମ ଆଇନକୁ ମାନୁନାହାନ୍ତି। ସର୍ବନିମ୍ନ ବେତନ ନଦେବା ସହ ସିଏମପିଏଫ୍ ମଧ୍ୟ କାଟୁ ନାହାନ୍ତି। ସେହିପରି କମ୍ପାନୀ କର୍ତ୍ତୃପକ୍ଷ ସ୍ଥାନୀୟ ପିଲାଙ୍କ ବଦଳରେ ବାହାରୁ ଶ୍ରମିକ ଆଣି ନିଯୁକ୍ତି ଦେଉଛନ୍ତି। ତେବେ ଏଠାରେ ନିୟୋଜିତ ସମସ୍ତ କମ୍ପାନୀ ଏମସିଏଲ ଅଧିନରେ ରହିଥିବା ସତ୍ୱେ ସମ୍ପୃକ୍ତ ଖଣି କର୍ତ୍ତୃପକ୍ଷ କୈାଣସି ପ୍ରକାରର ଏ ସମ୍ବନ୍ଧରେ କୈାଣସି ତଦନ୍ତ କରୁନାହାନ୍ତି। ଏହି ପରିପ୍ରେକ୍ଷୀରେ ଭରତପୁର କୋଇଲାଖଣିରେ ନିୟୋଜିତ ସମସ୍ତ ଘରୋଇ କମ୍ପାନୀଗୁଡ଼ିକରେ ୯୦ ଭାଗ ସ୍ଥନୀୟ ଲୋକଙ୍କୁ ନିଯୁକ୍ତି, କୋଇଲାଖଣି ଦ୍ୱାରା କ୍ଷତିଗ୍ରସ୍ତ ହେଉଥିବା ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି ଦେବା କ୍ଷେତ୍ରରେ ଏକ ସ୍ୱତନ୍ତ୍ର ନିୟମ ପ୍ରସ୍ତୁତ କରାଯିବା, କୋଇଲାଖଣି ମାନଙ୍କରେ କାର୍ଯ୍ୟରତ ଠିକା ଶ୍ରମିକମାନଙ୍କ୍ୁ ସରକାରଙ୍କର ନିୟମାନୁଯାୟୀ ସେମାନଙ୍କର ଧାର୍ଯ୍ୟ ସର୍ବନିମ୍ନ ଦରମା ପ୍ରଦାନ, ଠିକା ଶ୍ରମିକମାନଙ୍କର ସିଏମପିଏଫ୍ ବାଧ୍ୟତାମୂଳକ, ଠିକା ଶ୍ରମିକଙ୍କୁ କମ୍ପାନୀ ତରଫରୁ ମେଡ଼ିକାଲ ବହି ପ୍ରଦାନ ଆଦି ପାଂଚ ଦଫା ସମ୍ବଳିତ ଦାବିପତ୍ର ମହାପ୍ରବନ୍ଧକଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଥିଲା। ଏହି ଗଣଧାରଣାରେ ଶତାଧିକ ସଂଘର ସଭାପତି ଶ୍ରୀ ପ୍ରଧାନଙ୍କ ସମେତ ଶତାଧିକ ସ୍ଥାନୀୟ ଯୁବକ ସାମିଲ ହୋଇଥିଲେ। ତେବେ ଯଦି ଉପରୋକ୍ତ ଦାବିଗୁଡ଼ିକର ସ୍ଥାୟୀ ସମାଧାନ ନହୁଏ ତେବେ ଆଗାମୀ ଦିନରେ ଖଣି ବନ୍ଦ ଆନ୍ଦୋଳନ କରାଯିବ ବୋଲି ଦୃଢ଼ ଚେତାବନୀ ଦିଆଯାଇଥିଲା।