ଭଦ୍ରକ, ୨୬ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଅଧୀନ ଆନନ୍ଦପୁର ପଞ୍ଚାୟତର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର କର୍ତ୍ତୃପକ୍ଷଙ୍କ ଦ୍ୱାରା ସରକାରୀ ଜମି ଓ ପଶୁ ଚିକିତ୍ସା କେନ୍ଦ୍ରର କୋଠାକୁ ବେଆଇନ ଭାବେ କବଜା କରିନେଇଥିବା ଅଭିଯୋଗ ହୋଇଛି। ସୂଚନା ଅନୁଯାୟୀ, ଆନନ୍ଦପୁର ରାଜସ୍ୱ ଗ୍ରାମର ଖାତା ନଂ–୫୯୯, ପ୍ଲଟ ନଂ–୧୦୪୮ରେ ଥିବା ଗୋଚର ଜମିରେ ୨୦୧୧ ମସିହାରେ ପ୍ରାୟ ୧୫ ଲକ୍ଷ ଟଙ୍କା ବ୍ୟୟରେ ପଶୁ ଚିକିତ୍ସା କେନ୍ଦ୍ର ନିର୍ମାଣ କରାଯାଇଥିଲା। ଏହା ସହିତ କୃତ୍ରିମ ପ୍ରଜନନ କେନ୍ଦ୍ର ମଧ୍ୟ କାର୍ଯ୍ୟରତ ଥିଲା। କିନ୍ତୁ ଷ୍ଟାଫ୍ ଅଭାବରୁ ୨୦୨୧ ମସିହାରୁ କେନ୍ଦ୍ରଟି ଅଚଳ ହୋଇପଡ଼ିଥିବା କୁହାଯାଉଛି। ଗାଁଲୋକଙ୍କ ଅଭିଯୋଗ ଅନୁଯାୟୀ ବିଦ୍ୟାଳୟ ବାଉଣ୍ଡରିକୁ ଲାଗି ରହିଥିବା ପଶୁ ଚିକିତ୍ସା କେନ୍ଦ୍ର ୨ତାଲା କୋଠାକୁ ସ୍କୁଲ ନିଜ ଅକ୍ତିଆରକୁ ନେଇ ସେଠାରେ ପକା କାମ, ଗ୍ରୀଲ୍ ଲଗାଇବା ସହ ଅଫିସ ସ୍ଥାପନ ପାଇଁ ପ୍ରସ୍ତୁତି ଚଳାଇଛି। ଏହା ପାଇଁ ପ୍ରଶାସନିକ ଅନୁମତି ଅଛି କି ନାହିଁ, ସେନେଇ ଲୋକମାନେ ପ୍ରଶ୍ନ ଉଠାଇଛନ୍ତି। ଏହା ସହିତ ସମାନ ଖାତାର ପ୍ଲଟ ନଂ–୧୦୫୦ (ଗ୍ରାମ୍ୟ ଜଙ୍ଗଲ କିସମ) ଜମିରେ ସାଇକେଲ ଷ୍ଟାଣ୍ଡ ଓ ଅତିରିକ୍ତ ଶ୍ରେଣୀଗୃହ ନିର୍ମାଣ ହେଉଥିବା ବେଳେ ପ୍ଲଟ ନଂ–୧୦୫୧, ୧୦୬୬ ଓ ୧୦୬୮ରେ ଥିବା ଅନାବାଦୀ ଓ ଜଙ୍ଗଲ ଜମି ଉପରେ ମଧ୍ୟ କବଜା କରିଥିବା ଅଭିଯୋଗ ହୋଇଛି। ଏନେଇ ପ୍ରଧାନ ଆଚାର୍ଯ୍ୟଙ୍କୁ ପଚାରିବାରୁ କୁହନ୍ତୁ ବିଦ୍ୟାଳୟ ପରିଚାଳନା କମିଟି ସଦସ୍ୟ ଦେବେନ୍ଦ୍ର ସାହୁ ପଚାରନ୍ତୁ ସେ ଏହି କାର୍ଯ୍ୟ କରୁଛନ୍ତି। ତେବେ ପରିଚାଳନା କମିଟି ସଦସ୍ୟ ଦେବେନ୍ଦ୍ର ସାହୁ କହିଛନ୍ତି, ପଶୁ ଚିକିତ୍ସା ବିଭାଗର ଅଧିକାରୀଣୀଙ୍କ ସହ ଆଲୋଚନା ପରେ କୋଠାକୁ ନବୀକରଣ କରାଯାଉଛି। ବିଦ୍ୟାଳୟ ଅଫିସ ଏଠାରେ କାର୍ଯ୍ୟ କରିବ। ଅନ୍ୟପଟେ, ଧାମନଗର ପଶୁ ଚିକିତ୍ସା ବିଭାଗ ଭିଏସ୍ ଝାନସୀ ରାଣୀ ତପସ୍ୱୀଙ୍କୁ ପଚାରିବାରୁ କୁହନ୍ତି ଷ୍ଟାଫ୍ ଅଭାବରୁ କୋଠା ବନ୍ଧ ହୋଇ ରହିଥିଲା। ଅସ୍ଥାୟୀ ବ୍ୟବହାର ପାଇଁ ଅନୁରୋଧ କରିଥିଲେ ମୁଁ ମାନକରିବା ସ୍ୱତେ ସେମାନେ ଜୋର୍ ଜବରଦସ୍ତ କବଜା କରି କାର୍ଯ୍ୟ କରୁଛନ୍ତି। ଏନେଇ ମୁଁ ଥାନାରେ ଲିଖିତ ଅଭିଯୋଗ କରିବା ସହ ଉପରସ୍ଥ ଅଧିକାରୀଙ୍କୁ ଜଣାଇଛି। ସରକାରୀ ନିୟମ ଅନୁଯାୟୀ ଗ୍ରାମ୍ୟ ଜଙ୍ଗଲ ଜମିରେ ସ୍ଥାୟୀ ନିର୍ମାଣ ନିଷିଦ୍ଧ। ଏପରି ସ୍ଥିତିରେ ନିର୍ମାଣ କାର୍ଯ୍ୟ କିପରି ଚାଲିଛି ଓ ସରକାରୀ ସମ୍ପତ୍ତିର ବ୍ୟବହାର କେତେଦୂର ଆଇନସଙ୍ଗତ ସେନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଚର୍ଚ୍ଚା ବୃଦ୍ଧି ପାଇଛି। ଘଟଣାର ନିଷ୍ପକ୍ଷ ତଦନ୍ତ ପାଇଁ ତହସିଲଦାର ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ଶୀଘ୍ର ପଦକ୍ଷେପ ଗ୍ରହଣ କରିବାକୁ ଦାବୀ ହୋଇଛି।