Odiapua.com

ପରୀହତ୍ୟା ମାମଲାର ସିବିଆଇ ତଦନ୍ତ ଦାବି: ସଦର ବିଜେପି ପକ୍ଷରୁ ପଦଯାତ୍ରା-ବିକ୍ଷୋଭ

ବାଲେଶ୍ୱର, ୨୪ା୧୨ (ଓଡ଼ିଆ ପୁଅ/ଅଭୟ ଦାସ): ପରୀ ହତ୍ୟା ମାମଲାରେ ତା’ର ପିତାମାତଙ୍କୁ ଉଚିତ ନ୍ୟାୟ ପ୍ରଦାନ ଦାବିରେ ବିଜେପି ସଦରମଣ୍ଡଳ ପକ୍ଷରୁ ବିଶାଳ ପଦଯାତ୍ରା ଓ ପ୍ରତିବାଦ କାର୍ଯ୍ୟକ୍ରମ ଆଜି ଅନୁଷ୍ଠିତ ହୋଇଯାଇଛି। ସଦର ବିଜେପି ନେତା ମାନସ କୁମାର ଦତ୍ତଙ୍କ ନେତୃତ୍ୱରେ କର୍ମୀ ଓ ସମର୍ଥକମାନେ ଦଳୀୟ କାର୍ଯ୍ୟାଳୟରୁ ବାହାରି ସହର ପରିକ୍ରମା ପୂର୍ବକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚିଥିଲେ। ସେଠାରେ ଆୟୋଜିତ ପ୍ରତିବାଦ କାର୍ଯ୍ୟକ୍ରମରେ ଗୌରାଙ୍ଗ ଦାସ ପୌରେହିତ୍ୟ କରିଥିଲେ। ଶ୍ରୀ ଦତ୍ତଙ୍କ ସମେତ ବରଷ୍ଠ ବିଜେପି ନେତା ବିଜୟ କୁମାର ପାଣିଗ୍ରାହୀ, ଦୁକୁଲୁ ଘଡ଼େଇ, ରବିନାରାୟଣ ମହାପାତ୍ର, ଚିତ୍ତରଂଜନ ପଣ୍ଡା, ସୀତାକାନ୍ତ ସ୍ୱାଇଁ, ସତ୍ୟଜିତ୍ ମିଶ୍ର, ପିଣ୍ଟୁ ନାୟକ, ସୁଷମା ବିଶ୍ୱାଳ ପ୍ରମୁଖ ଏଥିରେ ଯୋଗଦେଇ ପରୀ ହତ୍ୟା ମାମଲାରେ ଏସଆଇଟି ତଦନ୍ତ ନାମରେ ରାଜ୍ୟ ସରକାର ଲୋକଙ୍କୁ ଭୁଆଁ ବୁଲାଉଥିବା ଆରୋପ କରିଥିଲେ। ଏହି ମାମଲାରେ ସମ୍ପୃକ୍ତ ମନ୍ତ୍ରୀଙ୍କୁ ସୁରକ୍ଷା ଦେବା ପାଇଁ ଏସଆଇଟି ଟିମ୍ ତଦନ୍ତ ନାମରେ ଫାର୍ସ ଚଲାଇଛି। ଗିରଫ ଅଭିଯୁକ୍ତଙ୍କ ଉପରେ କରାଯାଉଥିବା ଆରୋପ ସଧାରଣରେ ସନ୍ଦେହ ସୃଷ୍ଟି କରିଥିବା ବେଳେ ଏହି ମାମଲାକୁ ତୁରନ୍ତ ସିବିଆଇକୁ ହସ୍ତାନ୍ତର ପାଇଁ ବକ୍ତାମାନେ ଦାବି କରିଥିଲେ। ପରୀକୁ ନ୍ୟାୟ ନ ମିଳିବା ପର୍ଯ୍ୟନ୍ତ ବଜେପିର ଏହି ଆନ୍ଦୋଳନ ଏମିତି ଜାରି ରହିବା ସହ ଆଗାମୀ ଦିନରେ ଆହୁରି ତେଜିୟାନ ହେବ ବୋଲି ସେମାନେ ଚେତାବନୀ ଦେଇଥିଲେ। ଏହି ଅବସରରେ ଦଳ ପକ୍ଷରୁ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ବାଲେଶ୍ୱର ଅତିରିକ୍ତ ଜିଲାପାଳଙ୍କୁ ପ୍ରଦାନ କରାଯାଇଥିଲା।