ଭଦ୍ରକ, ୧୮ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଶିକ୍ଷା ମନ୍ଦିରରେ ଅସାମାଜିକଙ୍କ ଦାଦାଗିରି। ସାମ୍ନାରେ ମାଟ୍ରିକ ପରୀକ୍ଷା, ହେଲେ ବିଦ୍ୟାଳୟ ପରିସରରେ ଶିକ୍ଷାଦାନ ପରିବର୍ତେ ଦେଖିବାକୁ ମିଳିଛି ଅଶାନ୍ତିର ବାତାବରଣ। ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ରାଧାବଲ୍ଲଭପୁର ପଂଚାୟତ ସ୍ଥିତ ଉତ୍କଳମଣି ନୋଡାଲ ଉଚ୍ଚ ବିଦ୍ୟା ପୀଠ ରେ ବୁଧବାର ଦିନ କିଛି ସ୍ଥାନୀୟ ଲୋକ ମୁଖ୍ୟ ଫାଟକରେ ତାଲା ପକାଇ ଦେବା ଫଳରେ ଗୁରୁତର ସ୍ଥିତି ଉପୁଜିଛି।ଆସନ୍ତା ୧୯ ତାରିଖରୁ ରାଜ୍ୟରେ ମାଟ୍ରିକ ପରୀକ୍ଷା ଆରମ୍ଭ ହେବାକୁ ଯାଉଥିବା ବେଳେ ଏହି ବିଦ୍ୟାଳୟଟି ଏକ ପରୀକ୍ଷା କେନ୍ଦ୍ର ଭାବେ ଚୟନ ହୋଇଛି। ଆଜି ସକାଳେ ସିଟି ନମ୍ବର ପକାଇବା ସହ ଅନ୍ୟାନ୍ୟ ଜରୁରୀ ପରୀକ୍ଷା ପରିଚାଳନା କାର୍ଯ୍ୟ ପ୍ରସ୍ତୁତି ପାଇଁ ଶିକ୍ଷକ ଓ ଶିକ୍ଷୟତ୍ରୀ ମାନେ ସ୍କୁଲ କୁ ଆସିବା ବେଳେ କିଛି ବ୍ୟକ୍ତି ସ୍କୁଲ୍ ଗେଟ୍ରେ ତାଲା ଝୁଲାଇ ଦେଇଥିଲେ। ପାଖାପାଖି ଦେଢ଼ ଘଂଟା କାଳ ଶିକ୍ଷୟତ୍ରୀମାନେ ବାହାରେ ଠିଆ ହୋଇ ରହିଥିଲେ।ସ୍ଥାନୀୟ କିଛି ଗୋଷ୍ଠୀଙ୍କ ଅଭିଯୋଗ ଯେ, ପ୍ରଧାନ ଶିକ୍ଷୟତ୍ରୀ ଉର୍ବଶୀ ସାମନ୍ତ ନିଜ ଇଚ୍ଛାରେ ବିଦ୍ୟାଳୟ ଚଳାଉଛନ୍ତି ଏବଂ ତାଙ୍କର କାର୍ଯ୍ୟଶୈଳୀ ସନ୍ତୋଷଜନକ ନୁହେଁ। ଅନ୍ୟପଟେ ଏହି ଅଭିଯୋଗକୁ ତୀବ୍ର ବିରୋଧ କରିଛନ୍ତି ପ୍ରଧାନ ଶିକ୍ଷୟତ୍ରୀ। ସେ କହିଛନ୍ତି, “ଅଭିଯୋଗ ସମ୍ପୂର୍ଣ୍ଣ ମିଥ୍ୟା। ଯଦି କିଛି ଅସନ୍ତୋଷ ଥିଲା, ତେବେ ଉପରିସ୍ଥ ଅଧିକାରୀଙ୍କୁ ଜଣାଇବା କଥା। କିନ୍ତୁ ପରୀକ୍ଷା ପରି ପରିସ୍ଥିତିରେ ଗେଟ୍ରେ ତାଲା ପକାଇ ବିଦ୍ୟାଳୟର ସୁରକ୍ଷା ଓ ଛାତ୍ରଛାତ୍ରୀଙ୍କ ମାନସିକ ସ୍ଥିତି ସହ ଖେଳିବା କେତେଦୂର ସମୀଚୀନ ।ସବୁଠାରୁ ଚିନ୍ତାର ବିଷୟ ହେଉଛି, ପୋଲିସ ପହଂଚିବା ପୂର୍ବରୁ ଜିଏ ତାଲା ପକାଇ ଥିଲେ ସିଏ ଖୋଲି ଦେଇଥିଲେ। କିନ୍ତୁ ବିଦ୍ୟାଳୟ ପରିସରରେ ବାରମ୍ବାର ବଢ଼ୁଥିବା ଅସାମାଜିକଙ୍କ ପ୍ରାଦୁର୍ଭାବ ଶିକ୍ଷକ ଓ ଅଭିଭାବକ ଙ୍କୁ ଚିନ୍ତାରେ ପକାଇଛି। ଏକ ସରକାରୀ ବିଦ୍ୟାଳୟରେ ଏଭଳି ଦାଦାଗିରି ପ୍ରଶାସନର ଦୁର୍ବଳତାକୁ ପଦାରେ ପକାଇଛ।ଯଦି ପରୀକ୍ଷା ଦିନ ମଧ୍ୟ ଏଭଳି ‘ମନମୁଖୀ ତାଲାବନ୍ଦୀ’ ହୁଏ, ତେବେ ପରୀକ୍ଷାର୍ଥୀଙ୍କ ସୁରକ୍ଷା ପାଇଁ କିଏ ଦାୟୀ ରହିବ। ଜିଲ୍ଲା ଶିକ୍ଷା ଅଧିକାରୀ ଓ ପୋଲିସ ପ୍ରଶାସନ ଏହି ଘଟଣାକୁ ଗୁରୁତର ସହ ନେଇ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି। ତେବେ ଏହି ଘଟଣା କୁ ଆଖି ଆଗରେ ରଖି ଜିଲ୍ଲା ଅତିରିକ୍ତ ଶିକ୍ଷାଧିକାରୀ ଜଗବନ୍ଧୁ ସାହୁ ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତି ସାମନ୍ତ ଙ୍କ ଠାରୁ ଦାଇତ୍ୱ କାଡ଼ି ନେଇଛନ୍ତି ଏବଂ ପି ବି ହାଇସ୍କୁଲ ର ପ୍ରଧାନଶିକ୍ଷକ କୁ ଦାଇତ୍ୱ ଦିଆ ଯାଇଛି। ଏ ଦିଗରେ ଶ୍ରୀମତି ସାମନ୍ତ କହିଛନ୍ତି ବାରମ୍ବାର ସ୍ଥାନୀୟ ସରପଂଚ ପ୍ରିତମ ଦାସ ତାଙ୍କ କଥାରେ ଚାଲିବା ପାଇଁ କହିଲେ ତାଂକ କଥାରେ ଗଲି ନାହିଁ ବୋଲି ଏପରି ରାଜନୀତି କରି ମୋ ବିରୋଧରେ ଚକ୍ରାନ୍ତ କରିଛନ୍ତି ବୋଲି କହିଛନ୍ତି।