Odiapua.com

ପରିବା ଦରରେ ଲାଗିଛି ନିଆଁ ; ଚାକିରିଆଙ୍କୁ ସୁହାଉଛି, ଗରିବଙ୍କୁ ଡରାଉଛି

ଭଦ୍ରକ, ୨୬ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏବେ ଭଦ୍ରକ ଜିଲାର ସବୁ ପରିବା ବଜାରରେ ଲାଗିଛି ନିଆଁ । ପରିବା ଦେଖିଲେ କାନ୍ଦୁଛି ପରିବାର । କରୋନା କାଳରେ ପରିବା ଦରର ଏଭଳି ଭାଉରେ ହନ୍ତସନ୍ତ ହେଲେଣି ଖାଉଟିମାନେ । ଲଗାତର ଭାବେ ୧ମ, ୨ୟ ଓ ଆସନ୍ନ ୩ୟ ଲହରୀର ଲକଡାଉନ୍ ସଟଡାଉନ୍ ସାଙ୍ଗକୁ ବନ୍ୟା, ଆଉ ଏବେ ପରିବା ଦର ସାଧାରଣ ଜୀବନ ଯାପନକୁ ଉଚ୍ଛନ୍ନ କଲାଣି । ଆକାଶଛୁଆଁ ଦର ଦେଖି ପରିବାକୁ ଛୁଇଁବାକୁ ଲୋକେ ଡରିଲେଣି । ଏବେ ବାଇଗଣ କିଲୋ-୮୦ ଟଙ୍କା, ଟମୋଟୋ-୪୦, ଭେଣ୍ଡି-୬୦, ପୋଟଳ-୮୦ ରୁ ୧୦୦, କାଙ୍କଡ-୬୦, ଗାଜର-୬୦, କଲରା-୮୦, ଝୁଡଙ୍ଗ କିଲୋପିଛା ୬୦ ଟଙ୍କାରେ ବିକ୍ରି ହେଉଛି । ଫୁଲକୋବି, ବନ୍ଧାକୋବି ଗୋଟା ୬୦ ରୁ ୮୦ ଟଙ୍କା, କଖାରୁ ଓ ଲାଉ ୪୦ ଟଙ୍କା, ଅମୃତଭଣ୍ଡା ୩୦ ଟଙ୍କା ଓ କଂଚାଲଙ୍କା ୧୦୦ ରେ ବିକ୍ରି ହେଉଛି । ବେପାରୀମାନେ କିଲୋ ଦର ନକହି ଗ୍ରାହକଙ୍କୁ ପାଏ (୨୫୦ ଗ୍ରାମ) ଦର କହୁଛନ୍ତି । ପ୍ରତିବାଦ କଲେ ବନ୍ୟା ଯୋଗୁଁ ପନିପରିବା ଚାଷ ଉଜୁଡି ଯାଇଛି ବୋଲି ମତବ୍ୟକ୍ତ କରୁଛନ୍ତି । ତେବେ ସବୁଠାରୁ ଆଶ୍ଚର୍ଯ୍ୟର ବିଷୟ ଭଦ୍ରକ ସହରର କଚେରୀ ବଜାରରେ ପରିବା ଦର ସାମାନ୍ୟ କମ୍ ରହିଥିବାବେଳେ ବନ୍ତଛକରେ ଏହାର ମୂଲ୍ୟ ଅତ୍ୟଧିକ ହେଉଛି । ଏ ସଂପର୍କରେ ମିଳିଥିବା ତଥ୍ୟ ଅନୁସାରେ ରାସ୍ତା ପାଶ୍ୱର୍ରେ ବସୁଥିବା ଉଠା ପରିବା ଦୋକାନୀମାନେ ଗୋଦାମରେ ପ୍ରତିଦିନ ସକାଳେ ଭିଡ ଲଗାଇବାର ଦେଖି ଗୋଦାମ ମାଲିକ ପ୍ରଥମେ ପରିବା ଗୁଡିକର ମୂଲ୍ୟ ଅତ୍ୟଧିକ ଦରରେ ଦେଉଥିବାବେଳେ, ତା’ ପରେ ପରେ କମ୍ ମୂଲ୍ୟରେ ପ୍ରଦାନ କରୁଛି । ଫଳରେ ପ୍ରଥମେ ପରିବା ନେଉଥିବା ବ୍ୟବସାୟୀ ଜଣକ ଉଚ୍ଚ ଦରରେ ପରିବା କିଣିଥିବାରୁ ଅଧିକ ଦରରେ ବିକ୍ରି କରୁଥିବାବେଳେ ପଛ ବେପାରୀଟି କମ୍ ମୂଲ୍ୟରେ ବିକ୍ରି କରୁଛି । ଏହାପଛରେ ପ୍ରଶାସନର କୌଣସି ଅଂକୁଶ ରହୁନଥିବାରୁ ବେପାରୀମାନେ ମନଇଚ୍ଛା ଦର କଷୁଛନ୍ତି ବୋଲି ଗ୍ରାହକମାନେ ଅଭିଯୋଗ କରିଛନ୍ତି । ଦୀର୍ଘଦିନ ଧରି ଲକଡାଉନ୍ ଓ ସଟଡାଉନ୍ ଲାଗିରହିବା ସହିତ ବନ୍ୟା ଆଳ ଦେଖାଇ ବ୍ୟବସାୟୀମାନେ ଏହାର ସୁଯୋଗରେ ପରିବା ଦର ବଢାଇ ଦେଇଛନ୍ତି । ଫଳରେ ଗରିବ ଶ୍ରମିକ ଓ ମଧ୍ୟବିତ ପରିବାର ହନ୍ତସନ୍ତ ହେଉଥିବାବେଳେ କେବଳ ସରକାରୀ ଚାକିରିଆଙ୍କୁ ବାଦ୍ ଦେଲେ ଅନ୍ୟ ସମସ୍ତେ ଏଭଳି ମୂଲ୍ୟ ବୃଦ୍ଧିକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି । ତେଣୁ ପ୍ରଶାସନ ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହୋଇଛି ।