ଭଦ୍ରକ, ୨୭ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ସହରର ଭୂୟାଁ ମହଲ୍ଲା ଅଂଚଳରେ ଜଣେ ମହିଳାଙ୍କ ଉପରେ ଘରେ ପଶି ଆକ୍ରମଣ ହୋଇଥିବା ନେଇ ଅଭିଯୋଗ ହୋଇଛି। ପୀଡ଼ିତା ଜାହେରା ଖାତୁନଙ୍କ ଅଭିଯୋଗ ଅନୁଯାୟୀ, ଶନିବାର ସକାଳ ପ୍ରାୟ ୮ଟା ସମୟରେ ସେ ଘରେ ଏକାକୀ ଥିବା ବେଳେ ତିନିଜଣ ପୁରୁଷ ଓ ଜଣେ ମହିଳା ମିଶି ଜବରଦସ୍ତି ଘରର କବାଟ ଭାଙ୍ଗି ଭିତରକୁ ପ୍ରବେଶ କରିଥିଲେ। ଅଭିଯୋଗରେ କୁହାଯାଇଛି ଯେ, ଘରେ ପଶିବା ପରେ ସେମାନେ ତାଙ୍କ ସହ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହ ଗୌରାଙ୍ଗ ନାମକ ଜଣେ ବ୍ୟକ୍ତି ତାଙ୍କୁ ଶାରୀରିକ ଭାବେ ଆକ୍ରମଣ କରି ଛାତିରେ ଆଘାତ କରିଥିବା ପୀଡ଼ିତା ଦାବି କରିଛନ୍ତି। ଘଟଣା ସମୟରେ ପୋଲିସ ଉପସ୍ଥିତ ଥିବା ସତ୍ୱେ କୌଣସି ପ୍ରଭାବଶାଳୀ ପଦକ୍ଷେପ ନିଆଯାଇନଥିବା ବୋଲି ସେ ଅଭିଯୋଗ କରିଛନ୍ତି। ଆକ୍ରମଣରେ ଆହତ ହୋଇଥିବା ଜାହେରା ଖାତୁନ ବର୍ତମାନ ଚିକିତ୍ସାଧୀନ ଥିବାବେଳେ ସେ ଏନେଇ ସମ୍ପୃକ୍ତ ଥାନାରେ ଏକ ଲିଖିତ ଅଭିଯୋଗ ଦାଖଲ କରିଛନ୍ତି। ଅଭିଯୁକ୍ତମାନଙ୍କ ବିରୋଧରେ କଡ଼ା ଆଇନଗତ କାର୍ଯ୍ୟାନୁଷ୍ଠାନ ଦାବି କରି ସେ କହିଛନ୍ତି ଯେ, ଯଦି ତାଙ୍କୁ ନ୍ୟାୟ ନମିଳେ, ତେବେ ସେ ଭଦ୍ରକ ଏସ୍ପି କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିବେ। ପୋଲିସ ପକ୍ଷରୁ ଏହି ଅଭିଯୋଗ ଉପରେ କୌଣସି ସରକାରୀ ପ୍ରତିକ୍ରିୟା ମିଳିନାହିଁ। ଘଟଣାର ସତ୍ୟତା ଓ ପରିସ୍ଥିତି ସମ୍ପର୍କରେ ପୋଲିସ ତଦନ୍ତ ଜାରି ରହିଛି।