Odiapua.com

ପରିବାର ଲୋକଙ୍କୁ ଖଣ୍ଡାରେ ହାଣି ରକ୍ତାକ୍ତ କରିଥିବା ଅଭିଯୁକ୍ତକୁ ଗିରଫ କରୁନି ପୁଲିସ୍

ଭଦ୍ରକ, ୨୪ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବିଳମ୍ବିତ ରାତ୍ରରେ ଶ୍ୱଶୁର ଘରେ ପଶି ପାଂଚ ଜଣଙ୍କୁ ମରଣାନ୍ତକ ଆକ୍ରମଣ ସହ ନିଜ ଶାଶୁଙ୍କ ହାତକୁ ଦୁଇ ଗଡ କରିଥିବା ଅଭିଯୁକ୍ତକୁ ଗିରଫ କରୁନି ପୋଲିସ।ଘଟଣା ଗତ ୧୩ ତାରିଖ ବିଳମ୍ବିତ ରାତ୍ରରେ ଘଟିଥିଲେ ମଧ୍ୟ ପୋଲିସ ତିନି ଦିନ ପରେ ୧୬ ତାରିଖରେ ଥାନା କେସ ନଂ ୫୬୪/୨୪ ଭାରତୀୟ ନ୍ୟାୟ ସଂହିତା (ବିଏନଏସ)) ଧାରା ୧୦୯ ରେ ଏକ ମାମଲା ରୁଜୁ କରି ଚୁପ ବସିଛି । ଏପଟେ ଆକ୍ରମଣର ଶିକାର ହୋଇଥିବା ଲୋକମାନେ କଟକ ବଡ଼ ଡ଼ାକ୍ତରଖାନାରେ ମୃତ୍ୟୁ ସହିତ ଲଢେଇ କରୁଛନ୍ତି। ଘଟଣାଟି ଘଟିଛି ତୋଡ଼ଙ୍ଗା ଗ୍ରାମ ପଂଚାୟତ ବରପଦି ପାଟଣା ଗ୍ରାମରେ। ଭଦ୍ରକ ରାନ୍ଦିଆ ଅଂଚଳର ସ୍ୱର୍ଗତ ବାଇଧର ରାଉଳ ଙ୍କ ପୁଅ ଗୌରାଙ୍ଗ ରାଉଳ ତାଙ୍କ ସ୍ତ୍ରୀ ଘରୁ ପଳାଇବା ଘଟଣାରେ ଶ୍ୱଶୁର ଘର ଲୋକଙ୍କ ସଂପୃକ୍ତିକୁ ନେଇ ଅତ୍ୟନ୍ତ ଉତକ୍ଷିପ୍ତ ହୋଇ ଏଭଳି ନୃଶଂସ କାଣ୍ଡ ଘଟାଇଥିବା ଜଣାଯାଇଛି। ଅଭିଯୁକ୍ତ ଗୌରାଙ୍ଗ ଗତ ୧୩ ତାରିଖ ବିଳମ୍ବିତ ରାତ୍ରରେ ଶ୍ୱଶୁର ଘରେ ପଶି ଶ୍ୱଶୁର ଜାଗେଶ୍ୱର ବେହେରାଙ୍କ ହାତ, ପେଟ, ଜଂଘ ଓ ମୁଣ୍ଡକୁ ଏକ ଖଣ୍ଡାରେ ଆକ୍ରମଣ କରିଥିବା ବେଳେ ଶାଶୁଙ୍କ ବାମ ହାତକୁ ଦିଗଡ କରିଥିଲା। ଏଥି ସହିତ ଶଳା ଭାଉଜ ଅନସୂୟା ବେହେରା ଓ ତାଙ୍କ ପୁଅ ଝିଅ ଦୁଇ ଜଣଙ୍କ ମୁଣ୍ଡ,ହାତ, ପିଠି ଓ ଗୋଡ଼କୁ ଖଣ୍ଡାରେ ଅମାନୁଷିକ ଭାବେ ଆକ୍ରମଣ କରି କ୍ଷତାକ୍ତ କରିଥିଲା। ଗୌରାଙ୍ଗ ଆକ୍ରମଣର ଶିକାର ପାଂଚଜଣ କ୍ଷତାକ୍ତ ଙ୍କୁ ଗ୍ରାମବାସୀ ମାନେ ପ୍ରଥମେ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିବା ବେଳେ ସେମାନଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ କଟକ ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ଅଭିଯୁକ୍ତ ଗୌରାଙ୍ଗ ଙ୍କ ଶଳା ପ୍ରଦୀପ ବେହେରାଙ୍କ ଲିଖିତ ଅଭିଯୋଗର ତିନି ଦିନ ପରେ ଭଦ୍ରକ ଗ୍ରାମାଂଚଳ ଥାନାର ଭାରପ୍ରାପ୍ତ ଅଧିକାରୀ କେବଳ କେସଟିଏ କରି ଚୁପ ବସିବା ଘଟଣାକୁ ଅଧିକ ରହସ୍ୟାବୃତ କରିଛି। ଭଦ୍ରକ ଏସପି ଙ୍କୁ ଭେଟି ଆକ୍ରମଣକାରୀ ଙ୍କୁ ତୁରନ୍ତ ଗିରଫ ପାଇଁ ଦାବି କରିଛନ୍ତି। ଏସପିଙ୍କ ନିର୍ଦ୍ଦେଶ ପରେ ଏକ ସାଇଂଟିଫିକ ଟିମ ଘଟଣାସ୍ଥଳକୁ ଯାଇ ଅନୁସନ୍ଧାନ କରିଥିବା ବେଳେ ଅଭିଯୁକ୍ତକୁ ଗିରଫ ପାଇଁ ଉଦ୍ୟମ ଆରମ୍ଭ ହୋଇଛି। ତେବେ ଏଭଳି ଜଘନ୍ୟ ଘଟଣାରେ ପୋଲିସର ନିରବତା ପାଇଁ ଅଭିଯୁକ୍ତ ଖସିଗଲା ବୋଲି ସ୍ଥାନୀୟ ଲୋକମାନେ ଅଭିଯୋଗ କରିଥିବା ବେଳେ ଖୋଦ ଆଇଆଇସି ଙ୍କ କାର୍ଯ୍ୟ ଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ତେବେ ପୋଲିସ ଘଟଣାର ତଦନ୍ତ କରି ତୁରନ୍ତ ଅଭିଯୁକ୍ତକୁ ଗିରଫ ପାଇଁ ଗ୍ରାମବାସୀ ଦାବି କରିଛନ୍ତି।